
Monsoon Withdrawal: ଆଜି ସରୁଛି ମୌସୁମୀ ବର୍ଷା ଋତୁ, ଓଡ଼ିଶା ପାଇଁ ଥିଲା ଅସ୍ୱାଭାବିକ ଭାବେ ଅଧିକ ବର୍ଷାର ବର୍ଷ
ଆଜି ସରୁଛି ୨୦୨୬ ମୌସୁମୀ ବର୍ଷା ଋତୁ । ଜୁନ୍ ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାରି ମାସର ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ଋତୁ । ୨୦୨୬ର ମୌସୁମୀ ଓଡ଼ିଶା ପାଇଁ ଥିଲା ଅସ୍ୱାଭାବିକ ଭାବେ ଅଧିକ ବର୍ଷାର ବର୍ଷ । ଜୁନ୍ ରେ ବଡ଼ ବର୍ଷା ନିଅଣ୍ଟରୁ ଆରମ୍ଭ ହୋଇଥିବା ମୌସୁମୀ ପରବର୍ତ୍ତୀ ସମୟରେ ବଙ୍ଗୋପସାଗରରେ ଗୋଟିଏ ପରେ ଗୋଟିଏ ପାଣିପାଗ ପ୍ରଣାଳୀ ଯୋଗୁଁ ରାଜ୍ୟରେ ଅଧିକ ବର୍ଷା ଦେଇଛି ।
ଏହାସହ ବାରମ୍ବାର ବନ୍ୟାର ସାମ୍ନା କରିଛି ଉତ୍ତର ଓଡ଼ିଶା ଏବଂ ମୌସୁମୀର ଶେଷ ପର୍ଯ୍ୟାୟରେ ମହାନଦୀ ଅବବାହିକାରେ ମଧ୍ୟ ସାମାନ୍ୟ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ସେପ୍ଟେମ୍ବର ୨୫ ସୁଦ୍ଧା ଓଡ଼ିଶାରେ ୧ହଜାର ୪୫୩.୧ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା । ଏହି ସମୟର ସ୍ୱାଭାବିକ ବର୍ଷା ୧ହଜାର ୧୨୫.୭ ମିଲିମିଟର ଥିବାବେଳେ ରାଜ୍ୟରେ ପ୍ରାୟ ୨୯ ପ୍ରତିଶତ ଅଧିକ ବର୍ଷା ହୋଇଛି ।
ଏଥର ମୌସୁମୀର ଆରମ୍ଭ କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ଜୁନ୍ ଶେଷ ବେଳକୁ ଓଡ଼ିଶାରେ ପ୍ରାୟ ୪୭ ପ୍ରତିଶତ ବର୍ଷା ନିଅଣ୍ଟ ରହିଥିଲା । ପରେ ଜୁଲାଇ ଓ ଅଗଷ୍ଟରେ ଲଗାତାର ବର୍ଷା ଏହି ନିଅଣ୍ଟକୁ ପୂରଣ କରିଦେଇଥିଲା । ଅଗଷ୍ଟ ଶେଷ ସୁଦ୍ଧା ରାଜ୍ୟ ମୌସୁମୀ ଋତୁର ସ୍ୱାଭାବିକ ବର୍ଷା ପରିମାଣକୁ ଅତିକ୍ରମ କରିସାରିଥିଲା ।