
Samastipur Girl Molestation : ଜମୁଇ ପରେ ସମସ୍ତିପୁରରେ ସମାନ ଘଟଣା, ଯୁବତୀଙ୍କୁ ଦୁର୍ବ୍ୟବହାର ଓ ଅସଦାଚରଣ କରି ୪ ଗିରଫ
ବିହାରର ଜମୁଇ ପରେ ପୁଣି ସମସ୍ତିପୁରରେ ସମାନ ଘଟଣା ଘଟିଛି । ଜମୁଇରେ ନାବାଳିକାଙ୍କ ପ୍ରତି ଅସଦାଚରଣ ପରେ ସମସ୍ତିପୁର ଜିଲ୍ଲା ଅନ୍ତର୍ଗତ କର୍ପୂରୀଗ୍ରାମ ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ସହ କିଛି ଯୁବକ ଦୁର୍ବ୍ୟବହାର, ଗାଳିଗୁଲଜ ଏବଂ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏହି ସମ୍ପୂର୍ଣ୍ଣ ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ମାମଲାରେ ପୋଲିସ ୪ ଜଣ ଅଭିଯୁକ୍ତକୁ ଗିରଫ କରିଛି ।
ସୂଚନା ଅନୁଯାୟୀ, ବିହାର ସମସ୍ତିପୁରରେ ଗତକାଲି ସନ୍ଧ୍ୟାରେ ଜଣେ ଯୁବତୀ ଜଣେ ଯୁବକଙ୍କ ସହ ଜଗତସିଂହପୁର ଗ୍ରାମର ବନ୍ଧ ବାଇପାସ୍ ରୋଡ୍ ଦେଇ ଯାଉଥିଲେ । ସେହି ସମୟରେ ଯୁବତୀ ଜଣକ ରାସ୍ତାରେ ଅଟକି ଫଟୋ ଉଠାଉଥିବା ବେଳେ ସେହି ସମୟରେ ସ୍ଥାନୀୟ କିଛି ଯୁବକ ସେଠାରେ ପହଞ୍ଚି ଯୁବତୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କ ପ୍ରତି ଅଭଦ୍ର ଆଚରଣ କରିଥିଲେ ।
ଭିଡିଓଟି ସୋସିଆଲ ମିଡିଆରେ ଭାଇରଲ ହେବା ପରେ ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୋଲିସ ଗତକାଲି ବିଳମ୍ବିତ ରାତିରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଘଟଣାରେ ସଂପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ସେମାନଙ୍କର ଘରୁ ଗିରଫ କରିଛି । ଏହା ସହିତ ଅଭିଯୁକ୍ତଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ମାମଲାକୁ ନେଇ ସମସ୍ତିପୁର ଏସ୍ପି ଅରବିନ୍ଦ ପ୍ରତାପ ସିଂହ କହିଛନ୍ତି ଯେ, ଘଟଣାଟି ଅତ୍ୟନ୍ତ ଗମ୍ଭୀର ଏବଂ ଦୋଷୀମାନଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବ ନାହିଁ । ପୋଲିସ ସମସ୍ତ ଘଟଣାକୁ ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେଉଛି । ଦୋଷୀଙ୍କୁ କୌଣସି ପରିସ୍ଥିତି ଛଡାଯିବ ନାହିଁ ବୋଲି ସେ କହିଛନ୍ତି । ସଦର ଡିଏସପି ଏବଂ ସ୍ଥାନୀୟ ଥାନାର ଟିମ୍ ଘଟଣା ସ୍ଥଳରେ ପହଞ୍ଚିଛି । ଭିଡିଓ ଆଧାରରେ ଅନ୍ୟ ଦୋଷୀଙ୍କୁ ଖୋଜା ଚାଲିଛି ।