ରାଜ୍ୟ

Red Alert Issue: ଦକ୍ଷିଣ ଓଡ଼ିଶାକୁ ରେଡ୍ ଆଲର୍ଟ ଜାରି, ୨୫ ଯାଏଁ ପ୍ରବଳ ବର୍ଷା

ଦକ୍ଷିଣ ଓଡ଼ିଶାକୁ ରେଡ୍ ଆଲର୍ଟ ଜାରି । ଗଭୀର ଅବପାତ ଯୋଗୁଁ ୨୫ ଯାଏଁ ପ୍ରବଳ ବର୍ଷା । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଗାମୀ ତିନିଦିନ ପାଇଁ ଜିଲ୍ଲାୱାରୀ ରେଡ୍ , ଅରେଞ୍ଜ ଓ ୟେଲୋ ଚେତାବନୀ ଜାରି କରାଯାଇଛି । ବିଶେଷକରି ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇପାରେ। ଆଜି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାକୁ ରେଡ୍ ଚେତାବନୀ ଦିଆଯାଇଛି । ଏହି ଜିଲ୍ଲାଗୁଡ଼ିକର କିଛି ଅଞ୍ଚଳରେ ଅତିପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ । କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଓ ମାଲକାନଗିରି ପାଇଁ ଅରେଞ୍ଜ ଚେତାବନୀ ଜାରି ହୋଇଛି । ଉପକୂଳ ଓ ଉତ୍ତର ଓଡ଼ିଶାର ଅନେକ ଜିଲ୍ଲାରେ ବଜ୍ରପାତ ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ ।

୨୩ ସେପ୍ଟେମ୍ବର ସକାଳରୁ ୨୪ ସେପ୍ଟେମ୍ବର ସକାଳ ପର୍ଯ୍ୟନ୍ତ ବର୍ଷାର ପ୍ରଭାବ ପଶ୍ଚିମ ଦିଗକୁ ବଢ଼ିବ । ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଓ କଳାହାଣ୍ଡି ରେଡ୍ ଚେତାବନୀ ମଧ୍ୟରେ ରହିବ। ରାୟଗଡ଼ା, ଗଞ୍ଜାମ ଓ ଗଜପତିରେ ମଧ୍ୟ ପ୍ରବଳରୁ ଅତିପ୍ରବଳ ବର୍ଷାର ଆଶଙ୍କା ରହିଛି । ଅନେକ ଜିଲ୍ଲାରେ ବଜ୍ରପାତ ସହ ଝଟକା ପବନ ଜାରି ରହିପାରେ । ୨୪ ସେପ୍ଟେମ୍ବର ସକାଳରୁ ୨୫ ସେପ୍ଟେମ୍ବର ସକାଳ ପର୍ଯ୍ୟନ୍ତ ନବରଙ୍ଗପୁରରେ ରେଡ୍ ଚେତାବନୀ ବଳବତ୍ତର ରହିବ । କୋରାପୁଟ, ମାଲକାନଗିରି, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, କନ୍ଧମାଳ ଓ ରାୟଗଡ଼ାର କିଛି ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଏହି ସମୟରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷାର ତୀବ୍ରତା କମିବା ସମ୍ଭାବନା ରହିଛି । ୨୩ ତାରିଖ ସକାଳରୁ ୨୪ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶା–ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଏବଂ ସମୁଦ୍ର ମଧ୍ୟରେ ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟର ବେଗରେ ପବନ ବହିପାରେ। ଝଟକା ପବନର ବେଗ ୭୫ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିବା ଆଶଙ୍କା ରହିଛି । ଏହି କାରଣରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି ।

ଲଗାଣ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମିବା, ସ୍ଥାନୀୟ ବନ୍ୟା, ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ, ସଡ଼କ ଓ ରେଳ ଯାତାୟାତ ବାଧାପ୍ରାପ୍ତ ହେବା ଏବଂ ଦୁର୍ବଳ ଘର, ଗଛ ଓ ବିଦ୍ୟୁତ୍ ଖୁଣ୍ଟ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ରେଡ୍ ଓ ଅରେଞ୍ଜ ଚେତାବନୀ ଥିବା ଜିଲ୍ଲାର ଲୋକଙ୍କୁ ପ୍ରବଳ ବର୍ଷା ସମୟରେ ଘରେ ରହିବା ସହ ନଦୀକୂଳ ଓ ତଳିଆ ଅଞ୍ଚଳକୁ ନ ଯିବା ପାଇଁ କୁହାଯାଇଛି ।

Leave a Reply

Your email address will not be published. Required fields are marked *

Back to top button