
Low Pressure: ରାଜ୍ୟରେ ପୁଣି ସକ୍ରିୟ ମୌସୁମୀ , ୫ଦିନ ଧରି ଲାଗି ରହିବ ବର୍ଷା
ରାଜ୍ୟରେ ପୁଣି ସକ୍ରିୟ ହୋଇଛି ବର୍ଷା । ଆଗାମୀ ୫ ଦିନ ଧରି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଜାରି ରହିବ ବର୍ଷା । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଉତ୍ତର ଓଡ଼ିଶା ଉପକୂଳ ଅଞ୍ଚଳରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟର ପ୍ରଭାବରେ ଏଭଳି ପାଣିପାଗ ପରିସ୍ଥିତି ସୃଷ୍ଟି ହୋଇଛି ।
ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଜିଠାରୁ ୨୦ ତାରିଖ ପର୍ଯ୍ୟନ୍ତ ଉତ୍ତର ଓ ଉପକୂଳ ଓଡ଼ିଶାର ଅନେକ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଏବଂ ଝଡ଼ ପବନର ସମ୍ଭାବନା ରହିଛି । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ସମେତ ଅନେକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଏଥିସହ ବଜ୍ରପାତ ସହ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ମଧ୍ୟ ଆଶଙ୍କା ରହିଛି । ତେଣୁ ବଜ୍ରପାତ ସମୟରେ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
ସେପଟେ ସୋମବାର କଟକରେ ରାଜ୍ୟର ସର୍ବାଧିକ ୩୫.୬ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଥିଲା । ଆଗାମୀ କିଛି ଦିନ ପାଇଁ ରାଜ୍ୟବାସୀଙ୍କୁ ପାଣିପାଗ ବିଭାଗର ସତର୍କ ସୂଚନା ଉପରେ ନଜର ରଖିବା ସହ ବଜ୍ରପାତ ଓ ଝଡ଼ ସମୟରେ ସୁରକ୍ଷିତ ସ୍ଥାନରେ ରହିବାକୁ କୁହାଯାଇଛି ।