
Honey Singh Emotional Note: ହନି ସିଂଙ୍କ ପରିବାରରେ ଶୋକର ଛାୟା, ଭଣଜାଙ୍କ ମୃତ୍ୟୁରେ ଭାବୁକ ହେଲେ ସିଙ୍ଗର
ବଲିଉଡ୍ର ଲୋକପ୍ରିୟ ରାପର୍ ୟୋ ୟୋ ହନି ସିଂଙ୍କ ପରିବାର ଉପରେ ଦୁଃଖର ଲହରୀ ଖେଳିଯାଇଛି । ପଞ୍ଜାବର ଜଳନ୍ଧରରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତାଙ୍କ ନିକଟ ସମ୍ପର୍କୀୟ ବିଦିତ୍ ଓଲକଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ବିଦିତଙ୍କ ବାଲ୍ୟବନ୍ଧୁ ଆରବ ତାଲୱାର ମଧ୍ୟ ପ୍ରାଣ ହରାଇଛନ୍ତି ।
ସୂଚନା ଅନୁଯାୟୀ, ବିଦିତ୍ ଓଲକ୍ ପଞ୍ଜାବୀ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ମ୍ୟୁଜିକ୍ କମ୍ପାନୀ ସ୍ପିଡ୍ ରେକର୍ଡସ୍ର ମାଲିକ ଦିନେଶଙ୍କ ପୁଅ । ଆରବ ତାଲୱାର ଜଳନ୍ଧରର ପ୍ରତିଷ୍ଠିତ ବ୍ୟବସାୟିକ ସଂସ୍ଥା ପପି ସ୍ୱିଟ୍ସର ମାଲିକଙ୍କ ପୁଅ ବୋଲି ଜଣାପଡ଼ିଛି । ରବିବାର ଭୋର୍ ପ୍ରାୟ ୩ଟା ସମୟରେ ଦୁଇ ବନ୍ଧୁ ଏକ ଭୋଲ୍ସୱାଗନ୍ କାର୍ରେ ଜଣେ ସାଙ୍ଗଙ୍କ ଜନ୍ମଦିନ ପାର୍ଟିରୁ ଫେରୁଥିଲେ । ସେମାନେ ବିଏମସି ଚୌକରୁ ବିଏସଏଫ୍ ଚୌକ ଅଭିମୁଖେ ଯାଉଥିବା ବେଳେ ପୁଲିସ ଲାଇନ୍ସ ଓଭରବ୍ରିଜ୍ ଉପରେ ଏକ ସଫେଇ କାର୍ଯ୍ୟରେ ନିୟୋଜିତ ଟ୍ରାକ୍ଟର-ଟ୍ରଲି ସହ କାର୍ଟି ଜୋରଦାର ଧକ୍କା ହୋଇଥିଲା ।
ଦୁର୍ଘଟଣାର ଖବର ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା । ତେବେ ଉଭୟଙ୍କ ମୃତ୍ୟୁ ହୋଇଥିଲା । ପରିବାର ପକ୍ଷରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ନକରିବାକୁ ଅନୁରୋଧ କରାଯିବା ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଥିବା ଖବର ମିଳିଛି । ଏହି ଦୁଃଖଦ ଘଟଣାରେ ଗଭୀର ମର୍ମାହତ ହୋଇଛନ୍ତି ରାପର୍ ହନି ସିଂ । ସେ ସୋସିଆଲ ମିଡିଆ ଜରିଆରେ ନିଜର ଶୋକ ପ୍ରକାଶ କରିଛନ୍ତି । ଏହି ଘଟଣା ପରେ ଉଭୟ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।