
Ramayana: ରାବଣ ହୋଇ ଜଟାୟୁଙ୍କୁ ମାରିଲେ ୟଶ, ପୁଅ କହିଲେ ବାପା ଏମିତି କରିବା ଉଚିତ ନଥିଲା
ବାପାଙ୍କୁ ପରଦାରେ ରାବଣ ଭୂମିକାରେ ଦେଖି ପୁଅର ମନ ହେଲା ଦୁଃଖ। ଜଟାୟୁଙ୍କୁ ହତ୍ୟା କରିବା ଦୃଶ୍ୟକୁ ଆଦୌ ପସନ୍ଦ କଲେନି ୟଶଙ୍କ ପୁଅ। କହିଲେ, ବାପା ତୁମେ ଏମିତି କରିବା ଉଚିତ ନଥିଲା। ନିତେଶ ତିୱାରୀଙ୍କ ଆଗାମୀ ଫିଲ୍ମ ‘ରାମାୟଣ’ରେ ରାବଣ ଭୂମିକାରେ ନଜର ଆସିବେ ସାଉଥ୍ ସୁପରଷ୍ଟାର ୟଶ। ଫିଲ୍ମର ୱାର୍ଲ୍ଡ ପ୍ରିମିୟରରେ ପରିବାର ସହ ସାମିଲ ହୋଇଥିଲେ ୟଶ। ଆଉ ବାପାଙ୍କ ଅଭିନୟ ଦେଖି ପୁଅ ୟଥର୍ବଙ୍କ ଏଭଳି ପ୍ରତିକ୍ରିୟା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ନିଜ ବାପାଙ୍କୁ ପରଦାରେ ରାବଣ ଭୂମିକାରେ ଦେଖିଲେ, ହେଲେ ଜଟାୟୁଙ୍କୁ ହତ୍ୟା କରିବା ଦୃଶ୍ୟକୁ ସହିପାରିଲେନି ପୁଅ । ଫିଲ୍ମରେ ମଧ୍ୟ ଗୋଟିଏ ପକ୍ଷୀକୁ ହତ୍ୟା କରିବା ଠିକ୍ ନୁହେଁ ବୋଲି ବାପାଙ୍କୁ କହିଦେଲେ । ଏଭଳି ଏକ ନିଆରା ଘଟଣାକୁ ନେଇ ଏବେ ଚର୍ଚ୍ଚାରେ ଅଭିନେତା ୟଶ । ନିତେଶ ତିୱାରୀଙ୍କ ଆଗାମୀ ମହାକାବ୍ୟ ଫିଲ୍ମ ‘ରାମାୟଣ’ରେ ରାବଣ ଚରିତ୍ରରେ ଅଭିନୟ କରୁଛନ୍ତି ୟଶ । ଫିଲ୍ମର ୱାର୍ଲ୍ଡ ପ୍ରିମିୟରରେ ପତ୍ନୀ ଓ ଦୁଇ ସନ୍ତାନ ଆୟରା ଏବଂ ୟଥର୍ବଙ୍କ ସହ ଫିଲ୍ମ ଦେଖିଥିଲେ ସେ । ପରେ ଏକ ସାକ୍ଷାତକାରରେ ପୁଅର ପ୍ରତିକ୍ରିୟା ବିଷୟରେ କହିଥିଲେ ୟଶ ।
ୟଶ କହିଥିଲେ, ଫିଲ୍ମରେ ରାବଣ ଓ ଜଟାୟୁଙ୍କ ଯୁଦ୍ଧ ଦୃଶ୍ୟ ଦେଖି ପୁଅ ୟଥର୍ବ ଭାବପ୍ରବଣ ହୋଇପଡ଼ିଥିଲେ । ଜଟାୟୁଙ୍କ ମୃତ୍ୟୁ ତାଙ୍କୁ ଆଦୌ ଭଲ ଲାଗିନଥିଲା । ଏପରିକି ବାପାଙ୍କୁ କହିଥିଲେ, ତୁମେ ଫିଲ୍ମରେ ମଧ୍ୟ ଏମିତି କରିବା ଉଚିତ ନଥିଲା । ପୁଅର ଏଭଳି ନିଷ୍କପଟ କଥା ଶୁଣି ସେ ଆଶ୍ଚର୍ଯ୍ୟ ହୋଇଥିବା କହିଛନ୍ତି ୟଶ । ଏହି କଥା ଶୁଣି ସାକ୍ଷାତକାର ସମୟରେ ଉପସ୍ଥିତ ଥିବା ଅଭିନେତ୍ରୀ ସାଇ ପଲ୍ଲବୀ ମଧ୍ୟ ହସି ପକାଇଥିଲେ ।
ସେପଟେ ରାବଣ ଚରିତ୍ରକୁ ଏକ ଭିନ୍ନ ଦୃଷ୍ଟିକୋଣରୁ ଦେଖାଇବାକୁ ଚାହୁଁଥିବା କହିଛନ୍ତି ୟଶ । ତାଙ୍କ ମତରେ ରାବଣ କେବଳ ଜଣେ ଖଳନାୟକ ନଥିଲେ, ତାଙ୍କ ଚରିତ୍ରରେ ମଧ୍ୟ କିଛି ଭଲ ଗୁଣ ରହିଥିଲା । ରାବଣଙ୍କ ଶକ୍ତି, ବୁଦ୍ଧିମତ୍ତା, ବ୍ୟଙ୍ଗ ଏବଂ ମାନବୀୟ ଦୁର୍ବଳତାକୁ ନିଜ ଅଭିନୟରେ ଫୁଟାଇବାକୁ ଚେଷ୍ଟା କରିଥିବା କହିଛନ୍ତି ଅଭିନେତା ।
ଏହି ଫିଲ୍ମରେ ରଣବୀର କପୁର ରାମ, ସାଇ ପଲ୍ଲବୀ ସୀତା, ୟଶ ରାବଣ, ସନ୍ନି ଦେଓଲ ହନୁମାନ ଏବଂ ରବି ଦୁବେ ଲକ୍ଷ୍ମଣ ଭୂମିକାରେ ନଜର ଆସିବେ । ଫିଲ୍ମର ସଙ୍ଗୀତ ପ୍ରସ୍ତୁତ କରୁଛନ୍ତି ହାନ୍ସ ଜିମର୍ ଓ ଏ.ଆର୍. ରହମାନ । ଆସନ୍ତା ୫ ନଭେମ୍ବର ୨୦୨୬ରେ ଏହି ଫିଲ୍ମ ବିଶ୍ୱବ୍ୟାପୀ ରିଲିଜ୍ ହେବାକୁ ଯାଉଛି ।