କ୍ରୀଡା

Commonwealth Kabaddi Championship: କବାଡ଼ି ଚାମ୍ପିୟନସିପରେ ଭାରତର ଐତିହାସିକ ସଫଳତା, ଜିତିଲେ ସ୍ୱର୍ଣ୍ଣ ପଦକ

କବାଡ଼ିରେ ଭାରତକୁ ଡବଲ୍ ଧମାକା । କମନୱେଲ୍ଥ କବାଡ଼ି ଚାମ୍ପିୟନଶିସିପରେ ଭାରତୀୟ ପୁରୁଷ ଓ ମହିଳା ଦଳ ଜିତିଛନ୍ତି ସ୍ୱର୍ଣ୍ଣ ପଦକ । ଫାଇନାଲରେ ପୁରୁଷ ଦଳ ଶ୍ରୀଲଙ୍କାକୁ ୫୪-୨୦ ପଏଣ୍ଟରେ ପରାସ୍ତ କରିଥିବାବେଳେ ମହିଳା ଦଳ ଉଗାଣ୍ଡାକୁ ୩୫-୧୫ ପଏଣ୍ଟରେ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଛି । କମନୱେଲ୍ଥ କବାଡ଼ି ଚାମ୍ପିୟନଶିପ୍ର ପ୍ରଥମ ସଂସ୍କରଣରେ ଉଭୟ ବିଭାଗରେ ସ୍ୱର୍ଣ୍ଣ ଜିତି ଭାରତ ଇତିହାସ ରଚିଛି ।

ସୁରଜିତ ସିଂହଙ୍କ ନେତୃତ୍ୱରେ ଖେଳୁଥିବା ଭାରତୀୟ ପୁରୁଷ ଦଳ ଫାଇନାଲରେ ଆରମ୍ଭରୁ ହିଁ ଶ୍ରୀଲଙ୍କା ଉପରେ ଭାରି ପଡ଼ିଥିଲା । ପ୍ରଥମ ହାଫ୍ରେ ଭାରତ ୧୫-୨ ପଏଣ୍ଟରେ ଆଗୁଆ ରହିଥିଲା। ପ୍ରଥମ ୨୦ ମିନିଟ୍ରେ ଭାରତୀୟ ଦଳ ବିଶାଳ ଅଗ୍ରଣୀ ହାସଲ କରିଥିଲା। ଭାରତର ଦମଦାର ରେଡ୍ ଓ ଶକ୍ତିଶାଳୀ ଡିଫେନ୍ସ ଆଗରେ ଶ୍ରୀଲଙ୍କା ଦଳ ସମ୍ପୂର୍ଣ୍ଣ ଭାବେ ଫିକା ପଡ଼ିଯାଇଥିଲା । ପୂରା ଟୁର୍ଣ୍ଣାମେଣ୍ଟରେ ଭାରତ ଅପରାଜେୟ ରହି ଚାମ୍ପିୟନ୍ ହୋଇଛି । ଭାରତ ପକ୍ଷରୁ ଆଦିତ୍ୟ ସିନ୍ଧେ ସର୍ବାଧିକ ୧୦ ପଏଣ୍ଟ ହାସଲ କରିଥିଲେ । ସେଥିରେ ୬ଟି ଟଚ୍ ପଏଣ୍ଟ ରହିଥିଲା । ସେହିପରି ଭରତ ହୁଡ୍ଡା ୮ ପଏଣ୍ଟ ଏବଂ ପଙ୍କଜ ମୋହିତେ ୬ ପଏଣ୍ଟ ହାସଲ କରି ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ। ଡିଫେନ୍ସରେ ଯୋଗେଶ ଦହିୟା ଚମତ୍କାର ପ୍ରଦର୍ଶନ କରି ୫ଟି ଟ୍ୟାକଲ୍ ପଏଣ୍ଟ ହାସଲ କରିଥିଲେ । ସ୍ୱର୍ଣ୍ଣ ପଦକ ଜିତିବା ପରେ ଭାରତୀୟ ଖେଳାଳିମାନେ ତ୍ରିରଙ୍ଗା ଧରି ମଇଦାନରେ ଲାପ୍ ଅଫ୍ ଅନର କରିଥିଲେ ।

ସେହିପରି ମହିଳା ଫାଇନାଲ୍ରେ ମଧ୍ୟ ଭାରତୀୟ ଦଳ ନିଜର ଦବଦବା ଜାହିର କରିଥିଲା । ଉଗାଣ୍ଡାକୁ ୩୫-୧୫ ପଏଣ୍ଟରେ ପରାସ୍ତ କରି ଭାରତ ସ୍ୱର୍ଣ୍ଣ ପଦକ ଜିତିଥିଲା। ଭାରତ ପକ୍ଷରୁ ସାକ୍ଷୀ ସର୍ବାଧିକ ୯ ପଏଣ୍ଟ ହାସଲ କରିଥିଲେ । ଅନୁ ସେନ୍ ୬ଟି ରେଡ୍ ପଏଣ୍ଟ ହାସଲ କରିଥିବା ବେଳେ ନିଧି ଶର୍ମା ବୋନସ୍ ପଏଣ୍ଟ ଜରିଆରେ ଦଳକୁ ସହାୟତା କରିଥିଲେ। ଭାରତୀୟ ମହିଳା ଦଳ ୨୦ଟି ରେଡ୍ ପଏଣ୍ଟ ଓ ୧୦ଟି ଟ୍ୟାକଲ୍ ପଏଣ୍ଟ ହାସଲ କରି ବିଜୟୀ ହୋଇଥିଲା । ପଦକ ତାଲିକାରେ ମଧ୍ୟ ଭାରତର ଦବଦବା ରହିଛି । ପୁରୁଷ ବିଭାଗରେ ଭାରତ ସ୍ୱର୍ଣ୍ଣ, ଶ୍ରୀଲଙ୍କା ରୌପ୍ୟ ଏବଂ କେନିଆ ଓ ବାଂଲାଦେଶ ବ୍ରୋଞ୍ଜ ପଦକ ଜିତିଛନ୍ତି । ସେହିପରି ମହିଳା ବିଭାଗରେ ଭାରତ ସ୍ୱର୍ଣ୍ଣ, ଉଗାଣ୍ଡା ରୌପ୍ୟ ଏବଂ କେନିଆ ଓ ଶ୍ରୀଲଙ୍କା ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହି ଐତିହାସିକ ବିଜୟ ସହ କମନୱେଲ୍ଥ କବାଡ଼ି ଚାମ୍ପିୟନଶିପ୍ର ପ୍ରଥମ ସଂସ୍କରଣରେ ଭାରତ ଉଭୟ ପୁରୁଷ ଓ ମହିଳା ବିଭାଗରେ ନିଜର ଶ୍ରେଷ୍ଠତ୍ୱ ପ୍ରମାଣିତ କରିଛି ।

Leave a Reply

Your email address will not be published. Required fields are marked *

Back to top button