
Avoid Unhealthy Food: ହେଲଦି ଭାବି ଖାଉଛନ୍ତି କି ଏହି ସବୁ ଖାଦ୍ୟ? ହାର୍ଟ ଉପରେ ପଡିପାରେ କୁପ୍ରଭାବ
ଆଜିକାଲି ଲୋକଙ୍କ ଜୀବନଶୈଳୀ ବହୁତ ବ୍ୟସ୍ତ ହୋଇଗଲାଣି । ଏହି କାରଣରୁ ଫାଷ୍ଟଫୁଡ୍ ଖାଇବା ଅଭ୍ୟାସ ବଢ଼ିବାରେ ଲାଗିଛି । ଅନେକ ଲୋକ ସମୟ ଅଭାବରୁ ଯାହା ପାଉଛନ୍ତି, ତାହା ଖାଇଦେଉଛନ୍ତି । ଫଳରେ ଶରୀରରେ ବିଭିନ୍ନ ରୋଗ ଦେଖାଦେଉଛି । ପରେ ଚିକିତ୍ସା ଓ ଔଷଧ ପାଇଁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି ।
ଅନ୍ୟପଟେ ଅନେକ ଲୋକ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହି ହେଲ୍ଥି ଖାଦ୍ୟ ଖାଉଛନ୍ତି। କିନ୍ତୁ ଆପଣ ଜାଣନ୍ତି କି, ଆମେ ହେଲ୍ଥି ବୋଲି ଭାବୁଥିବା କିଛି ଖାଦ୍ୟ ମଧ୍ୟ ହୃଦୟ ପାଇଁ କ୍ଷତିକାରକ ହୋଇପାରେ । ଏଥିରେ ଥିବା ଅଧିକ ଚିନି, ଲୁଣ ଓ ଖରାପ ଫ୍ୟାଟ୍ ଶରୀରରେ କୋଲେଷ୍ଟ୍ରୋଲ୍ ବଢ଼ାଇପାରେ । ଏପରିକି ଧମନୀରେ ଚର୍ବି ଜମିବାର ଆଶଙ୍କା ମଧ୍ୟ ବଢ଼ିପାରେ। ତେଣୁ ହୃଦୟକୁ ସୁସ୍ଥ ରଖିବାକୁ ହେଲେ ଏହି ୧୦ଟି ଖାଦ୍ୟ ପ୍ରତି ସତର୍କ ରହିବା ଜରୁରୀ ।
୧. ଗ୍ରାନୋଲା ବାର୍ସ: ଓଟ୍ସ ଓ ନଟ୍ସରେ ପ୍ରସ୍ତୁତ ହେଉଥିବା ଗ୍ରାନୋଲା ବାର୍ସକୁ ଅନେକ ଲୋକ ସ୍ୱାସ୍ଥ୍ୟକର ସ୍ନାକ୍ସ ଭାବେ ଖାଇଥାନ୍ତି। କିନ୍ତୁ କିଛି ପ୍ରକାରର ଗ୍ରାନୋଲା ବାର୍ସରେ ଅଧିକ ପରିମାଣର ଚିନି ଓ ପାମ୍ ଅଏଲ୍ ରହିଥାଏ । ତେଣୁ ଏହା କିଣିବା ପୂର୍ବରୁ ଏହାର ଉପାଦାନ ଯାଞ୍ଚ କରିବା ଜରୁରୀ।
୨. ମିଠା ଦହି: ଦହି ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥିଲେ ମଧ୍ୟ ବଜାରରେ ମିଳୁଥିବା ଫ୍ଲେଭର୍ଯୁକ୍ତ ଓ ମିଠା ଦହିରେ ଅଧିକ ଚିନି ମିଶାଯାଇଥାଏ। ନିୟମିତ ଭାବେ ଏହାକୁ ଅଧିକ ପରିମାଣରେ ଖାଇବା ଦ୍ୱାରା ଶରୀରରେ ଚିନିର ମାତ୍ରା ବଢ଼ିପାରେ ।
୩. ମଫିନ୍: ଫାଇବର୍ ରହିଥିବାରୁ ଅନେକ ଲୋକ ମଫିନ୍କୁ ହେଲ୍ଥି ଖାଦ୍ୟ ଭାବନ୍ତି । କିନ୍ତୁ ବଜାରରେ ମିଳୁଥିବା ଅନେକ ମଫିନ୍ରେ ଅଧିକ ଚିନି, ତେଲ ଓ କ୍ୟାଲୋରୀ ରହିଥାଏ । ତେଣୁ ଏହାକୁ ନିୟମିତ ଖାଇବା ପୂର୍ବରୁ ସତର୍କ ରହିବା ଆବଶ୍ୟକ ।
୪. ପ୍ୟାକେଟ୍ ଜୁସ୍: ଫଳର ରସକୁ ସ୍ୱାସ୍ଥ୍ୟକର ବୋଲି ଧରାଯାଏ । କିନ୍ତୁ ବଜାରରେ ମିଳୁଥିବା ଅନେକ ପ୍ୟାକେଟ୍ ଜୁସ୍ରେ ଅତିରିକ୍ତ ଚିନି ମିଶାଯାଇଥାଏ । ଏଥିରେ ଫାଇବର୍ ମଧ୍ୟ ସାବୁତ ଫଳ ତୁଳନାରେ କମ୍ ରହିଥାଏ। ଅଧିକ ମାତ୍ରାରେ ଏହାକୁ ପିଇବା ଦ୍ୱାରା ଓଜନ ଓ ରକ୍ତରେ ଶର୍କରାର ସ୍ତର ବଢ଼ିପାରେ ।
୫. ନଡ଼ିଆ ତେଲ: ଅନେକ ଲୋକ ନଡ଼ିଆ ତେଲକୁ ସ୍ୱାସ୍ଥ୍ୟକର ତେଲ ଭାବେ ବ୍ୟବହାର କରନ୍ତି । କିନ୍ତୁ ଏଥିରେ ସାଚୁରେଟେଡ୍ ଫ୍ୟାଟ୍ର ମାତ୍ରା ଅଧିକ ରହିଥାଏ । ଏହା ଖରାପ କୋଲେଷ୍ଟ୍ରୋଲ୍ (LDL) ବଢ଼ାଇପାରେ । ତେଣୁ ଏହାର ଅତ୍ୟଧିକ ବ୍ୟବହାରରୁ ଦୂରେଇ ରହିବା ଭଲ ।
୬. ଡାଏଟ୍ ସୋଡା: ସାଧାରଣ ସୋଡା ତୁଳନାରେ ଏଥିରେ କ୍ୟାଲୋରୀ କମ୍ ଥାଇପାରେ । କିନ୍ତୁ ଏଥିରେ ବ୍ୟବହୃତ କୃତ୍ରିମ ମିଠାକାରକକୁ ନେଇ ବିଭିନ୍ନ ଗବେଷଣା ଜାରି ରହିଛି। ତେଣୁ ଏହାକୁ ଅଧିକ ପରିମାଣରେ ପିଇବା ଅପେକ୍ଷା ସାଧା ପାଣି ପିଇବା ଭଲ।
୭. କ୍ୟାନ୍ଡ ସୁପ୍: ବଜାରରେ ମିଳୁଥିବା କ୍ୟାନ୍ରେ ପ୍ୟାକ୍ ହୋଇଥିବା ସୁପ୍ରେ ଅନେକ ସମୟରେ ଅଧିକ ସୋଡିୟମ୍ ବା ଲୁଣ ରହିଥାଏ। ଅଧିକ ଲୁଣ ଖାଇବା ଦ୍ୱାରା ରକ୍ତଚାପ ବଢ଼ିବାର ଆଶଙ୍କା ରହିଥାଏ। ତେଣୁ ସୁପ୍ କିଣିବା ସମୟରେ ଏହାର ସୋଡିୟମ୍ ମାତ୍ରା ଯାଞ୍ଚ କରନ୍ତୁ।
୮. ସ୍କିମ୍ଡ ମିଲ୍କ: ଏଥିରେ ଫ୍ୟାଟ୍ର ମାତ୍ରା କମ୍ ଥାଏ । ତେଣୁ ଅନେକ ଲୋକ ଏହାକୁ ପସନ୍ଦ କରନ୍ତି। କିନ୍ତୁ ବଜାରରେ ମିଳୁଥିବା କିଛି ଫ୍ଲେଭର୍ଯୁକ୍ତ ସ୍କିମ୍ଡ ମିଲ୍କରେ ଅତିରିକ୍ତ ଚିନି ମିଶାଯାଇଥାଏ। ତେଣୁ କିଣିବା ପୂର୍ବରୁ ଲେବଲ୍ ଯାଞ୍ଚ କରିବା ଉଚିତ ।
୯. ଧଳା ବ୍ରେଡ୍: ଧଳା ବ୍ରେଡ୍ରେ ଫାଇବର୍ର ମାତ୍ରା କମ୍ ଥାଏ । ଏହା ଶରୀରରେ ରକ୍ତଶର୍କରାର ସ୍ତରକୁ ଶୀଘ୍ର ବଢ଼ାଇପାରେ । ତେଣୁ ଧଳା ବ୍ରେଡ୍ ବଦଳରେ ହୋଲ୍ ଗ୍ରେନ୍ ବା ସମ୍ପୂର୍ଣ୍ଣ ଶସ୍ୟରେ ପ୍ରସ୍ତୁତ ବ୍ରେଡ୍ ଖାଇବା ଏକ ଭଲ ବିକଳ୍ପ ହୋଇପାରେ ।
୧୦. ମାର୍ଜାରିନ୍: ଦେଖିବାକୁ ବଟର୍ ଭଳି ଲାଗୁଥିବା ମାର୍ଜାରିନ୍କୁ ଅନେକ ଲୋକ ବଟର୍ର ବିକଳ୍ପ ଭାବେ ବ୍ୟବହାର କରନ୍ତି । କିନ୍ତୁ କିଛି ମାର୍ଜାରିନ୍ରେ ଟ୍ରାନ୍ସ ଫ୍ୟାଟ୍ ଓ ସାଚୁରେଟେଡ୍ ଫ୍ୟାଟ୍ ରହିଥାଏ, ଯାହା ଖରାପ କୋଲେଷ୍ଟ୍ରୋଲ୍ ବଢ଼ାଇପାରେ । ତେଣୁ ଏହା କିଣିବା ସମୟରେ ଟ୍ରାନ୍ସ ଫ୍ୟାଟ୍ ଓ ଇନଗ୍ରେଡିଆଣ୍ଟସର ମାତ୍ରା ଯାଞ୍ଚ କରିବା ଜରୁରୀ ।