
Helicopter Crash In Los Angeles: ଲସ୍ ଆଞ୍ଜେଲସ୍ରେ ନ୍ୟୁଜ୍ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୩ ମୃତ
ଆମେରିକାର ଲସ୍ ଆଞ୍ଜେଲସର ସାନ୍ ଫର୍ଣ୍ଣାଣ୍ଡୋ ଭ୍ୟାଲିରେ ଏକ ନ୍ୟୁଜ୍ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣା ଚାଟସୱର୍ଥ ଅଞ୍ଚଳରେ ଘଟିଛି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ହେଲିକପ୍ଟରଟି କେଉଁ ନ୍ୟୁଜ୍ ଚ୍ୟାନେଲର ବୋଲି ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।
ସୂଚନାନୁଯାୟୀ, ଦୁର୍ଘଟଣାଟି ନର୍ଥ ମେସନ୍ ଆଭେନ୍ୟୁର ୯୧୦୦ ବ୍ଲକ୍ ନିକଟରେ ଦୁଇଟି ବାଣିଜ୍ୟିକ କୋଠା ମଧ୍ୟରେ ଘଟିଥିବା ସୂଚନା ମିଳିଛି । ହେଲିକପ୍ଟରଟି ଦୁଇଟି ସିପିଂ କଣ୍ଟେନର ଏବଂ ସେଠାରେ ପାର୍କିଂ ହୋଇଥିବା ଅନେକ ଯାନ ଉପରେ ପଡ଼ିଥିଲା । ଫଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ହେଲେ ଦୁର୍ଘଟଣାବେଳେ ହେଲିକପ୍ଟରରେ କେତେ ଜଣ ଥିଲେ ତାହା ଜଣାପଡିନାହିଁ ।
ଅନ୍ୟପଟେ ଏହି ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି । ଘଟଣାର କାରଣ ଜାଣିବାକୁ ପୋଲିସ୍ ଏବଂ ଅଗ୍ନିଶମ ବିଭାଗ ଦୁର୍ଘଟଣାର ତଦନ୍ତ କରୁଛନ୍ତି ।