
Ganesh bhasani: ଭସାଣୀରେ ବୁଲିଲା ଖଣ୍ଡା, ବାପା ମୃତ ଓ ପୁଅ ଗୁରୁତର
ଭଦ୍ରକରେ ଗଣେଶ ଭସାଣୀ ବେଳେ ଘଟିଛି ଭୟଙ୍କର ହତ୍ୟାକାଣ୍ଡ ହୋଇଛି । ଭସାଣୀ ବେଳେ ଖଣ୍ଡା ଆକ୍ରମଣରେ ବାପାଙ୍କ ମୃତ୍ୟୁ ହୋଇଥିବାବେଳେ ପୁଅ ଗୁରୁତର ଆହତ ହୋଇଛନ୍ତି । ଭଦ୍ରକ ଗ୍ରାମାଞ୍ଚଳ ଥାନା ରାନ୍ଦିଆ ପଞ୍ଚାୟତର ଜେନା ସାହିରେ ଏହି ଭୟଙ୍କର ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଲକ୍ଷ୍ମୀଧର ଜେନା । ସେ ଏକ କୁକୁଡ଼ା ଦୋକାନ କରିଥିଲେ।
ସୂଚନା ଅନୁସାରେ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି । ଗତକାଲି ଗଣେଶ ଭସାଣୀ ଚାଲିଥିବା ସମୟରେ କିଛି ଲୋକ ଲକ୍ଷ୍ମୀଧରଙ୍କ କୁକୁଡ଼ା ଦୋକାନକୁ ଭାଙ୍ଗିଦେଇଥିଲେ। ଖବର ପାଇ ଲକ୍ଷ୍ମୀଧର ଓ ତାଙ୍କ ପୁଅ ପର୍ଶୁରାମ ଘଟଣାସ୍ଥଳରେ ପହଞ୍ଚି ଫଟୋ ଉଠାଉଥିଲେ ।
ଏହି ସମୟରେ ହଠାତ୍ ସେମାନଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ଦୁର୍ବୃତ୍ତମାନେ କାଚ ବୋତଲ ଓ ଭୁଜାଲିରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ଲକ୍ଷ୍ମୀଧରଙ୍କ ମୃତ୍ୟୁ ହୋଇଥିଲା । ଗୁରୁତର ଆହତ ପୁଅ ପର୍ଶୁରାମଙ୍କୁ ପ୍ରଥମେ ଚିକିତ୍ସା ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପହଞ୍ଚି ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ଆକ୍ରମଣ ପଛରେ କିଏ ଏବଂ ପ୍ରକୃତ କାରଣ କଣ, ତାହା ନେଇ ତଦନ୍ତ ଜାରି ରହିଛି ।