ରାଜ୍ୟ

Subhadra Money Dispute: ସୁଭଦ୍ରା ଟଙ୍କାକୁ ନେଇ ଝଗଡ଼ା, ରାତିରେ ଘଟିଗଲା ଅଘଟଣ

ଘରୋଇ କଳିର ଭୟଙ୍କର ରୂପ। ସୁଭଦ୍ରା ଟଙ୍କାକୁ ନେଇ ବିବାଦ। ପରକୀୟା ପ୍ରେମକୁ ନେଇ ସନ୍ଦେହ। ଆଉ ନିଶାସକ୍ତ ଅବସ୍ଥାରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା। ଶେଷରେ ଚାଲିଗଲା ସ୍ତ୍ରୀର ଜୀବନ।ଜଗତସିଂହପୁର ସଦର ଥାନା। ଜଁକୋଟି ପଞ୍ଚାୟତ। ବେନୁପୁର ବଳରାମପୁର ଗାଁ। ରାତି ବଢ଼ୁଥିଲା। ଖାଇସାରି ଶୋଇବାକୁ ଯାଉଥିଲେ ସ୍ୱାମୀ-ସ୍ତ୍ରୀ। ହଠାତ୍ ଆରମ୍ଭ ହେଲା ବଚସା। କଥା ବଢ଼ିଲା। ଘରୋଇ କଳି ନେଲା ଉଗ୍ର ରୂପ। ପୋଲିସ ଅନୁସାରେ, ଏହାପରେ ସ୍ୱାମୀ ଦିଗମ୍ବର ସ୍ୱାଇଁ ସ୍ତ୍ରୀ ପୁଷ୍ପଲତା ସ୍ୱାଇଁଙ୍କୁ ଆକ୍ରମଣ କରିଥିଲେ। ଘଟଣାରେ ପୁଷ୍ପଲତାଙ୍କ ମୃତ୍ୟୁ ହୋଇଥିଲା। ଘର ଭିତରେ ଖେଳିଗଲା ନୀରବତା।

ଘଟଣା ପରେ ଆଉ ଏକ ଚିନ୍ତାଜନକ ପରିସ୍ଥିତି। ଦିଗମ୍ବର ଚରମ ପଦକ୍ଷେପ ନେଉଥିବା ବେଳେ ତାଙ୍କ ମା’ ପଡ଼ୋଶୀଙ୍କୁ ଡାକିଥିଲେ। ପଡ଼ୋଶୀମାନେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଲା ଜଗତସିଂହପୁର ପୋଲିସ। ଦିଗମ୍ବରଙ୍କୁ ଅଟକ ରଖାଗଲା। ପୁଷ୍ପଲତାଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଗଲା। ହେଲେ ଏ ଘଟଣାର ସବୁଠୁ ବଡ଼ ଯନ୍ତ୍ରଣା ଘରେ ରହିଗଲା ଗୋଟିଏ ୬ ବର୍ଷର ଶିଶୁ। ସେ ମାଆକୁ ହରାଇଲା। ଆଉ ବୃଦ୍ଧା ଶାଶୁ ମଧ୍ୟ ଏହି ଘଟଣାରେ ଭାଙ୍ଗି ପଡ଼ିଛନ୍ତି। ଯେଉଁ ଘରେ ଥିଲା ପରିବାରର ହସ ସେଇ ଘରେ ଏବେ ଶୋକର ଛାୟା। ଘଟଣାର ତଦନ୍ତ ଆଗକୁ ବଢ଼ିଲା। ଆଉ ତଦନ୍ତ ପରେ ଘଟଣା ପଛରେ ଥିବା କାରଣ ସମ୍ପର୍କରେ ପୋଲିସ ତଥ୍ୟ ଦେଇଛି।

ଗୋଟିଏ ରାତିର ଝଗଡ଼ା ବଦଳାଇ ଦେଲା ପୂରା ପରିବାରର ଜୀବନ। ପୁଷ୍ପଲତା ଆଉ ନାହାନ୍ତି। ପଛରେ ରହିଗଲା ୬ ବର୍ଷର ଶିଶୁ। ଘଟଣାରେ ଅଭିଯୁକ୍ତ ସ୍ୱାମୀ ଗିରଫ ହୋଇଛନ୍ତି। ପୋଲିସ ତଦନ୍ତ ପରେ ତାଙ୍କୁ କୋର୍ଟ ଫରୱାର୍ଡ କରାଯାଇଛି। ନିଶା, ଘରୋଇ ବିବାଦ ଓ ପାରିବାରିକ ଅଶାନ୍ତି ଏକ ପରିବାରକୁ ଦେଇଗଲା ଅପୂରଣୀୟ କ୍ଷତି ।

Leave a Reply

Your email address will not be published. Required fields are marked *

Back to top button