
Wings Over Ganga : ନମୋ ଘାଟରେ ଏୟାରଫୋର୍ସର ଶକ୍ତି ପ୍ରଦର୍ଶନ, ବାରଣାସୀ ଆକାଶରେ ଗର୍ଜିଲେ ରାଫେଲ, ସୁଖୋଇ
ଭାରତୀୟ ବାୟୁସେନାର ୯୪ତମ ପ୍ରତିଷ୍ଠା ଦିବସ ଅବସରରେ ଉତ୍ତରପ୍ରଦେଶର ବାରଣାସୀରେ ଆୟୋଜିତ ହୋଇଛି ଏୟାର ଶୋ ‘ୱିଙ୍ଗ୍ସ ଓଭର ଗଙ୍ଗା’। ଏହି ଏୟାର ଶୋରେ ରାଫେଲ୍, ସୁଖୋଇ, ମିରାଜ୍-୨୦୦୦, ମିଗ୍-୨୯, ଜାଗୁଆର୍ ସମେତ ଅନେକ ଯୁଦ୍ଧବିମାନ ଓ ହେଲିକପ୍ଟର ନିଜର ପରାକ୍ରମ ପ୍ରଦର୍ଶନ କରିଛନ୍ତି । ଅକ୍ଟୋବର ୨୨ରୁ ଆରମ୍ଭ ହୋଇଥିବା ଏହି ଆୟୋଜନରେ ମୋଟ ୧୦୦ଟି ବିମାନ ସାମିଲ ହୋଇଛି ।
ଅକ୍ଟୋବର ୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ରୋଡ୍ ଶୋ କରିଥିଲେ । ପୋଲିସ ଲାଇନରୁ ଚୌକାଘାଟ ଦେଇ ନମୋ ଘାଟ ଅଭିମୁଖେ ତାଙ୍କ କାରକେଡ୍ ଯାଇଥିଲା । ଏୟାର ଶୋ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହେବାର ଆଶଙ୍କା ଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଥିଲା । ସୁରକ୍ଷା ବ୍ୟବସ୍ଥାରେ ୧୧,୫୦୦ରୁ ଅଧିକ ପୋଲିସ କର୍ମଚାରୀ ଓ ଯବାନଙ୍କୁ ମୁତୟନ କରାଯାଇଥିବା ବେଳେ ୨୦୦ଟି ସିସିଟିଭି କ୍ୟାମେରା ସମଗ୍ର ଅଞ୍ଚଳ ଉପରେ ନଜର ରଖିଥିଲା ।
ଏହି ଏୟାର ଶୋରେ ଚେନ୍ନାଇ ଓ ଗ୍ୱାଲିୟର ସମେତ ଦେଶର ୧୨ଟି ଏୟାରବେସରୁ ବିମାନଗୁଡ଼ିକ ଉଡ଼ାଣ ଭରିଥିଲେ । ଏଥିରେ ୫୨ଟି ଯୁଦ୍ଧବିମାନ, ୧୫ଟି ପରିବହନ ବିମାନ, ୩୨ଟି ହେଲିକପ୍ଟର ଏବଂ ଗୋଟିଏ ଐତିହ୍ୟ ବିମାନ ସାମିଲ ହୋଇଥିଲା । ରାଫେଲ୍, ମିରାଜ୍-୨୦୦୦, ସୁଖୋଇ, ମିଗ୍-୨୯ ଓ ଜାଗୁଆର୍ ଭଳି ଶକ୍ତିଶାଳୀ ଯୁଦ୍ଧବିମାନ ନିଜର କ୍ଷମତା ପ୍ରଦର୍ଶନ କରିଥିଲେ ।
ଏହା ସହ ଆପାଚେ ଓ ଚିନୁକ୍ ହେଲିକପ୍ଟର ଏବଂ ସି-୨୯୫, ସି-୧୭ ଓ ସି-୧୩୦ ଭଳି ପରିବହନ ବିମାନ ମଧ୍ୟ ଏୟାର ଶୋରେ ସାମିଲ ହୋଇ ନିଜର ଦକ୍ଷତା ଦେଖାଇଥିଲେ ।
ବିମାନଗୁଡ଼ିକ ଆକାଶରେ ମହାଦେବ, ନଟରାଜ, କୈଳାସ, ବିଶ୍ୱନାଥ, ତ୍ରିଦେବ, ବରୁଣା, ହନୁମାନ, ଓଁକାର, ଭାଗୀରଥୀ, କାଶୀ ଓ ରୁଦ୍ର ଆଦି ନାମ ଉପରେ ଆଧାରିତ ବିଭିନ୍ନ ଫର୍ମେସନ୍ ପ୍ରଦର୍ଶନ କରିଥିଲେ । ଏହି ଦୃଶ୍ୟ ଏୟାର ଶୋକୁ ଆହୁରି ଆକର୍ଷଣୀୟ କରିଥିଲା ।