
Satya Niketan Tragedy : ପିଜି ଅପରେଟର ଗିରଫ, ପୋଲିସ କରୁଛି ପଚରାଉଚରା
ଦିଲ୍ଲୀର ସତ୍ୟ ନିକେତନ ବିଲିଡିଂ ଭୁଶୁଡିବା ଘଟଣାକୁ ନେଇ ପୋଲିସ ଲଗାତାର କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଭୁଶୁଡିଥିବା ବିଲିଡିଂରେ ପିଜି ଚାଲୁଥିଲା । ପିଜି ଦେଖାଶୁଣା କରୁଥିବା ସୁଧାଂଶୁଙ୍କୁ ପୋଲିସ ଗିରଫ କରିଛି । ପୋଲିସ ସୁଧାଂଶୁଙ୍କୁ ପଚରାଉଚରା କରୁଛି । କିଛି ସମୟ ଭିତରେ ତାଙ୍କୁ କୋର୍ଟରେ ହାଜର କରାଯିବ ।
ଦିଲ୍ଲୀ ପୋଲିସ ମୁତାବକ, ମହେଶ ବିଲିଡିଂକୁ ଅଗଷ୍ଟ ୨୦୨୫ରେ ଦୁଇ ଭାଗରେ ଶୁଭବ ତ୍ୟାଗୀ ଏବଂ ସୁଧାଂଶୁଙ୍କୁ ଲିଜ୍ ରେ ଦେଇଥିଲେ । ଦୁଇ ଅଂଶୀଦାର ଶୁଭମ ଏବଂ ସୁଧାଂଶୁ ବିଲିଡିଂ ଲିଜରେ ନେଇ ପିଜି ଚଲାଉଥିଲେ । ବିଲିଡିଂ ଭୁଶିଡିବା ପରେ ଶୁଭମ ଫେରାର ହୋଇଯାଇଥିବା ବେଳେ ସୁଧାଂଶୁଙ୍କୁ ପୋଲିସ ଗିରଫ କରିଛି । ପୂର୍ବରୁ ଗିରଫ ହୋଇଥିବା ମାଲିକ ମହେଶଙ୍କ ଦୁଇ ଦିନିଆ ନ୍ୟାୟିକ ହେପାଜତ ଆଜି ଶେଷ ହେଉଛି । ତେଣୁ ତାଙ୍କୁ ସାଉଥ କ୍ୟାମ୍ପସ ପୋଲିସ ଷ୍ଟେସନରୁ କୋର୍ଟ ଆଜି ନିଆଯିବ । ମହେଶଙ୍କ ସହିତ ବିଲିଡିଂର କଣ୍ଟ୍ରାକ୍ଟର ଏବଂ ରାଜମିସ୍ତ୍ରୀଙ୍କୁ ମଧ୍ୟ କୋର୍ଟ ନିଆଯାଇଛି ।
ସତ୍ୟ ନିକେତନ ବିଲିଡିଂ ଯେଉଁ କାନ୍ଥ ଫାଟିଯାଇଥିଲା, ଯାହାକୁ ହଟାଇବା ପାଇଁ ଆଜି କାମ କରାଯାଉଛି । ସେଠାରୁ ସମସ୍ତ ଜିନିଷ ହଟାଇ ଦିଆଯାଇଛି । ଏହି ବିଲିଡିଂ ଆଖପାଖରେ ଥିବା ୫/୬ ବିଲିଡିଂକୁ ଖାଲି କରିଦିଆଯାଇଛି । ବିଲିଡିଂର ଯେଉଁ ଅଂଶ ଭଙ୍ଗାଯିବା, ତାହାକୁ କୌଣସି ମେସିନ ନୁହେଁ ବରଂ ହାତୁଡିରେ ଭଙ୍ଗାଯିବ । ଏମସିଡି ଟିମ୍ ପକ୍ଷରୁ ଭାଙ୍ଗିଥିବା ବିଲିଡିଂ ପାର୍ଶ୍ବରେ ଥିବା ଦୁର୍ବଳ ବିଲିଡିଂକୁ ଭଙ୍ଗାଯିବା କାମ କରାଯାଇଛି । ଘଟଣା ସ୍ଥଳରେ ସୁରକ୍ଷାବଳ ଟିମ୍ ଉପସ୍ଥିତ ରହିଛନ୍ତି ।
ଭୁଶୁଡିଥିବା ବିଲିଡିଂରେ ପ୍ରାୟ ୧୫ଟି ରୁମରେ ୪୫ ଜଣ ଛାତ୍ରଙ୍କୁ ରଖାଯାଇଥିଲା । ଗୋଟିଏ ରୁମରେ ପ୍ରାୟ ତିନି ଜଣ ଛାତ୍ର ରହୁଥିଲେ ଏବଂ ପ୍ରତ୍ୟେକଙ୍କଠାରୁ ମାଲିକ ପ୍ରାୟ ୧୦ ହଜାର ଟଙ୍କା ଭଡ଼ା ନେଉଥିଲେ । ତଦନ୍ତ ପରେ ଜଣାପଡିଛି ଯେ, କୋଠାର ବେସମେଣ୍ଟରେ ଆଗରୁ ମରାମତି କାମ ଚାଲିଥିଲା । ବେସମେଣ୍ଟରେ ପାଣି ଜମି ରହିବା ଏବଂ ନିର୍ମାଣ କାମ କୋଠାର ମୂଳ ଭିତ୍ତିକୁ ଦୁର୍ବଳ କରିଥାଇପାରେ ବୋଲି ସନ୍ଦେହ କରାଯାଉଛି । ଏହାସହ କୋଠାଟିରେ ଅନୁମତି ବିନା ଅତିରିକ୍ତ ନିର୍ମାଣ ଏବଂ ଗଠନଗତ ତ୍ରୁଟି ଥିବା ନେଇ ମଧ୍ୟ ତଦନ୍ତ ଚାଲିଛି ।