
Ramayana Mangal Rang Song : ରିଲିଜ୍ ହେଲା ଫିଲ୍ମ ରାମାୟଣର ନୂଆ ଗୀତ, ରାମ-ସୀତାଙ୍କ ଯୋଡ଼ି ମୋହିଲା ଦର୍ଶକଙ୍କ ମନ
ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ରାମାୟଣକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି । ଏହି ଫିଲ୍ମର ରିଲିଜ୍କୁ ଦର୍ଶକମାନେ ଉତ୍ସୁକତାର ସହ ଅପେକ୍ଷା କରିଥିବା ବେଳେ ନିର୍ମାତାଙ୍କ ପକ୍ଷରୁ ନୂଆ ଗୀତ ମଙ୍ଗଳ ରଙ୍ଗ ରିଲିଜ୍ ହୋଇଛି । ଏହି ଗୀତରେ ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କ ଜୀବନର ସୁନ୍ଦର ମୁହୂର୍ତ୍ତ ସହ ସେମାନଙ୍କ ପ୍ରେମ, ବିବାହ ଓ ଭାବପ୍ରବଣ ସଂପର୍କକୁ ଦେଖିବାକୁ ମିଳିଛି ।
ମଙ୍ଗଳ ରଙ୍ଗ ଗୀତଟି ଟି-ସିରିଜର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ ୱାର୍ଲ୍ଡ ଅଫ୍ ରାମାୟଣମରେ ରିଲିଜ୍ ହୋଇଛି । ଏହି ଗୀତରେ ରାମ ଓ ସୀତାଙ୍କ ଜୀବନର ବିଭିନ୍ନ ମୁହୂର୍ତ୍ତକୁ ସ୍ଥାନ ଦିଆଯାଇଛି । ଗୀତରେ ଭବ୍ୟ ରାଜପ୍ରାସାଦ, ମନୋରମ ଦୃଶ୍ୟ ଏବଂ ରାମ-ସୀତାଙ୍କ ବିବାହର ଝଲକ ଦେଖିବାକୁ ମିଳିଛି । ଏଥିରେ ପ୍ରଭୁ ଶ୍ରୀରାମଙ୍କୁ ଧନୁ, ତୀର ଓ ଅସ୍ତ୍ର ଧରିଥିବା ଅବତାରରେ ମଧ୍ୟ ଦେଖାଯାଇଛି ।
ଏହି ଗୀତକୁ ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ଼ ଓ ମାଲାୟାଲମ୍ ଭାଷାରେ ଏକାସାଙ୍ଗରେ ରିଲିଜ୍ କରାଯାଇଛି । ମଙ୍ଗଳ ରଙ୍ଗ ଗୀତର ସଙ୍ଗୀତ ରଚନା କରିଛନ୍ତି ସଙ୍ଗୀତକାର ଏ.ଆର୍. ରହମାନ । ଏହି ଗୀତକୁ ଗାଇଛନ୍ତି ଅରିଜିତ୍ ସିଂହ ଓ ଶ୍ରେୟା ଘୋଷାଲ ।
ନିତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ରଣବୀର କପୁର ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ନଜର ଆସିବେ । ସାଇ ପଲ୍ଲବୀ ମାତା ସୀତା, ୟଶ ରାବଣ, ସନ୍ନି ଦେଓଲ ହନୁମାନ ଏବଂ ରବି ଦୁବେ ଲକ୍ଷ୍ମଣଙ୍କ ଚରିତ୍ରରେ ଅଭିନୟ କରିବେ । ନମିତ ମଲହୋତ୍ରାଙ୍କ ପ୍ରାଇମ୍ ଫୋକସ୍ ଷ୍ଟୁଡିଓଜ୍ ପକ୍ଷରୁ ଡିଏନ୍ଇଜି (DNEG) ଓ ୟଶଙ୍କ ମନଷ୍ଟର୍ ମାଇଣ୍ଡ କ୍ରିଏସନ୍ସ ସହଯୋଗରେ ଏହି ଫିଲ୍ମ ନିର୍ମାଣ କରାଯାଇଛି । ଫିଲ୍ମଟି ଦୁଇଟି ଭାଗରେ ରିଲିଜ୍ ହେବ । ପ୍ରଥମ ଭାଗ ୫ ନଭେମ୍ବର ୨୦୨୬ରେ ଏବଂ ଦ୍ୱିତୀୟ ଭାଗ ୨୦୨୭ ଦୀପାବଳି ଅବସରରେ ରିଲିଜ୍ ହେବ । ଏହି ଫିଲ୍ମ ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ଼ ଓ ମାଲାୟାଲମ୍ ଭାଷାରେ ବିଶ୍ୱବ୍ୟାପୀ ମୁକ୍ତିଲାଭ କରିବ ।