
Tom Cruise : ଟମ୍ କ୍ରୁଜଙ୍କୁ ମିଳିବ AFI ଲାଇଫ୍ ଆଚିଭମେଣ୍ଟ ଆୱାର୍ଡ, ସିନେମା ଜଗତକୁ ଅବଦାନ ପାଇଁ ମିଳିବ ପୁରସ୍କାର
ହଲିଉଡ୍ ସୁପରଷ୍ଟାର ଟମ୍ କ୍ରୁଜଙ୍କୁ ଆମେରିକୀୟ ଫିଲ୍ମ ଇନଷ୍ଟିଚ୍ୟୁଟ୍ (AFI)ର ୫୨ତମ ଲାଇଫ୍ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯିବ । ୨୦୨୭ ଏପ୍ରିଲ ୨୪ରେ ଲସ୍ ଆଞ୍ଜେଲସ୍ ଡଲ୍ବି ଥିଏଟରରେ ଏକ ସ୍ୱତନ୍ତ୍ର ସମାରୋହରେ ତାଙ୍କୁ ଏହି ସମ୍ମାନ ଦିଆଯିବ । ସିନେମା ଜଗତକୁ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ ।
ପାଞ୍ଚ ଦଶନ୍ଧିରୁ ଅଧିକ ଅଭିନୟ କ୍ୟାରିୟରରେ ଟମ୍ କ୍ରୁଜ୍ ଟପ୍ ଗନ୍, ମିଶନ୍: ଇମ୍ପସିବଲ୍, ଜେରୀ ମ୍ୟାଗୁଏର୍ ଓ ଟପ୍ ଗନ୍ ମାଭେରିକ ଭଳି ଅନେକ ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି । ନିଜ ଅଭିନୟ ପାଇଁ ଟମ୍ କ୍ରୁଜ୍ ଏକାଧିକ ଥର ଓସ୍କାର ନାମାଙ୍କନ ହାସଲ କରିଛନ୍ତି । ‘ବର୍ନ ଅନ୍ ଦ ଫୋର୍ଥ ଅଫ୍ ଜୁଲାଇ’ ଏବଂ ‘ଜେରୀ ମ୍ୟାଗୁଏର୍’ ପାଇଁ ଶ୍ରେଷ୍ଠ ଅଭିନେତା ବର୍ଗରେ ସେ ନାମାଙ୍କନ ପାଇଥିଲେ । ସେହିପରି ‘ମ୍ୟାଗ୍ନୋଲିଆ’ ଫିଲ୍ମ ପାଇଁ ଶ୍ରେଷ୍ଠ ସହାୟକ ଅଭିନେତା ବର୍ଗରେ ମଧ୍ୟ ତାଙ୍କୁ ନାମାଙ୍କନ ମିଳିଥିଲା ।
AFI ଟ୍ରଷ୍ଟି ବୋର୍ଡ ଅଧ୍ୟକ୍ଷ କ୍ୟାଥଲିନ୍ କେନେଡି ତାଙ୍କର ଅଭିନୟ ପ୍ରତି ନିଷ୍ଠା ଓ ସିନେମା ପ୍ରତି ଭଲପାଇବାକୁ ପ୍ରଶଂସା କରିଛନ୍ତି । ୨୦୨୫ରେ ଏକାଡେମୀର ଗଭର୍ଣ୍ଣର୍ସ ଆୱାର୍ଡସ୍ ସମାରୋହରେ ଟମ୍ କ୍ରୁଜଙ୍କୁ ସମ୍ମାନସୂଚକ ଓସ୍କାର ପ୍ରଦାନ କରାଯାଇଥିଲା । ସିନେମା ଜଗତକୁ ତାଙ୍କର ଦୀର୍ଘକାଳୀନ ଅବଦାନ ପାଇଁ ଏହି ସମ୍ମାନ ମିଳିଥିଲା । ଏବେ ସେ ନିର୍ଦ୍ଦେଶକ ଆଲେହାଣ୍ଡର ଗୋଞ୍ଜାଲେଜ୍ ଇନାରିତୁଙ୍କ ଫିଲ୍ମ ଡିଗର୍ କୁ ନେଇ ମଧ୍ୟ ଚର୍ଚ୍ଚାରେ ଅଛନ୍ତି ।