
Emotional Story: କାହା ହାତରେ ବାନ୍ଧିବି ରାକ୍ଷୀ, ଭଉଣୀର ଲୁହରେ ଭିଜିଲା ହସ୍ପିଟାଲ
ମୋ ଭାଇକୁ କିଏ ଫେରାଇ ଦିଅ । କାହାକୁ ଚାହିଁ ମୋ ଦିନ କାଟିବି । ମୋ ଦୁଃଖ କଷ୍ଟରେ କିଏ ଆସି ଠିଆ ହେବ । କାହ କାନ୍ଧରେ ମୁଁ ମୁଣ୍ଡ ରଖିବି ? କାହା ହାତରେ ରାକ୍ଷୀ ବାନ୍ଧିବି ? ଏମିତି କହି ହସ୍ପିଟାଲ ପରିସରରେ ମୁଣ୍ଡ ବାଡେଇ କାନ୍ଦୁଥାନ୍ତି ଜଣେ ମହିଳା । ନିକଟରେ ଅନ୍ୟ ଦୁଇ ତିନିଜଣ ମହିଳା ବୁଝାଉଥାନ୍ତି । ହେଲେ କାନ୍ଦ ବନ୍ଦ ହେଉ ନଥାଏ । କିଛି କ୍ଷଣ ପରେ ଦେଖା ଗଲା ପୁଣି ଜଣେ ଯୁବକଙ୍କୁ ଧରି ସେହି ମହିଳା କଇଁ କଇଁ ହୋଇ କାନ୍ଦୁଥାନ୍ତି । ଭାଇ ଛାଡ଼ି ଚାଲି ଗଲା ସବୁଦିନ ପାଇଁ । ବାହୁନି ବାହୁନି ତଳେ ପଡ଼ି କାନ୍ଦୁଥାନ୍ତି । ଯିଏ ତାଙ୍କୁ ବୁଝାଉ ଥାନ୍ତି ସେମାନେ ବି ଛାତି ଫଟେଇ କାନ୍ଦୁଥାନ୍ତି । କାହାରି ଆଖିରେ ଲୁହ ରହୁ ନଥାଏ ।
ଏଇ କେଇ ଦିନ ତଳେ ରାକ୍ଷୀ ପୂର୍ଣ୍ଣିମା ଗଲା । ଭାଇ ରାକ୍ଷୀ ବାନ୍ଧିଥିଲା । ଆର ବର୍ଷକୁ ରାକ୍ଷୀ ବାନ୍ଧିବାକୁ ଭାଇ ନାହିଁ । କାହା ହାତରେ ଆଉ ରାକ୍ଷୀ ବାନ୍ଧିବ ଭଉଣୀ ? ଏମିତି ସବୁ ଦୁଃଖ କାନ୍ଦ ଭରା ପରିବେଶ ଭିତରେ ଆମ ମନ ବି ଥମି ଯାଇଥାଏ । ଯାହା ଜାଣିଲୁ ମୃତକଙ୍କ ନାଁ ଜଗଦାନନ୍ଦ ସେନାପତି । ଘର ଡୁମୁଡୁମା ଅଞ୍ଚଳରେ । ଏକ ଘରୋଇ କମ୍ପାନୀରେ କାମ କରୁଥିଲା ବେଳେ ଶନିବାର ମଧ୍ୟାହ୍ନ ସମୟରେ ମଞ୍ଚେଶ୍ୱର ଅଞ୍ଚଳରୁ କାମ ସାରି ଘରକୁ ଖାଇବାକୁ ଯାଉଥିଲେ । ମଞ୍ଚେଶ୍ୱରରୁ ବାଣୀବିହାର ଯିବା ରାସ୍ତାରେ ଘଟିଲା ଅଘଟଣ । ରସୁଲଗଡ଼ ଓଭରବ୍ରିଜ଼ ସରିବାକୁ ଅଳ୍ପ ବାଟ ଅଛି ଠିକ ଏହି ସମୟରେ କିଛି ଗୋଟେ ଘଟିଲା ଯାହାର ସ୍ପଷ୍ଟ ସୂଚନା ମିଳି ପାରିଲା ନାହିଁ । କିନ୍ତୁ ଜଗଦାନନ୍ଦ ସେନାପତି ଓଭର ବ୍ରିଜ଼ ତଳକୁ ଖସି ପଡ଼ିଥିଲେ । କେମିତି ଖସି ପଡିଲେ ଜଣା ପଡ଼ିଲା ନାହିଁ । କୌଣସି ଗାଡ଼ି ଧକ୍କା ଦେଲା ନା ଅସାବଧାନତାରୁ ଖସି ପଡ଼ିଲେ ସେକଥା ଆମେ ରିପୋର୍ଟ ଲେଖିଲା ଯାଏ ସ୍ପଷ୍ଟ ହୋଇ ନଥିଲା ।
ତାଙ୍କୁ ଯେତେବେଳେ ସ୍ଥାନୀୟ ଲୋକ ଦେଖିଲେ ପିସିଆରକୁ ଡାକି ଡାକ୍ତରଖାନାକୁ ନେଇ ଆସିଲେ । ସେଠାରେ ଡାକ୍ତର ମୃତ ଘୋଷଣା କଲେ । ଗୋଟିଏ ବୋଲି ପୁଅ । ପରିବାର ଲୋକେ କେବେ ଭାବି ନଥିଲା ଏମିତି ସେ ହଠାତ ଦୁର୍ଘଟଣାରେ ଚାଲି ଯିବେ ବୋଲି । ପରିବାର ବର୍ଗ କେହି କିଛି ଭାବିବା ପୂର୍ବରୁ ଆଉ ଫେରିଲେନି ଜଗଦାନନ୍ଦ । ପ୍ରଶ୍ନ ଉଠିଛି କିଏ ଦୁର୍ଘଟଣା ଘଟଇଲା ନା କିଏ ଏମିତି ଜୀବନ ଚାଲିଗଲା ତାଙ୍କର । ଏକଥା ପୋଲିସ ତଦନ୍ତ ପରେ ହିଁ ସାମ୍ନାକୁ ଆସିବ । ସବୁଦିନ ପାଇଁ ବାପାକୁ ହରାଇଲା ପୁଅ, ସ୍ତ୍ରୀ ହରାଇଲା ସ୍ୱାମୀ, ଭଉଣୀ ହରାଇଲା ଭାଇ । ବାପା ମାଆ ପୁଅ ପାଇଁ ବିକଳ ହେଉଛନ୍ତି । ସଡ଼କ ଦୁର୍ଘଟଣା ଏମିତି ଉଜାଡି ଦେଉଛି ଅନେକ ହସଖୁସିର ସଂସାର । ଯେଉଁମାନେ ଗାଡି ଚଳାଉଛନ୍ତି ସତର୍କତା ଅବଲମ୍ବନ କରିବା ଦରକାର । ଆଉ ଅନ୍ୟ ଗାଡ଼ି ପ୍ରତି ସଚେତନ ରହିବା ମଧ୍ୟ ଜରୁରୀ । ହେଲେ ସତ୍ୟ ହେଉଛି କାଳ ଯେବେ ଡାକିବ ମଣିଷ କି କରିବ