
MahamayiTemple: ତିନି ଫୁଟ ମାଟି ତଳୁ ବାହାରିଲା ପିତଳର ପାଦ, ଭକ୍ତଙ୍କ ଭିଡ଼
ଘର ଭିତରେ ହଠାତ୍ ଶୁଭିଲା ଏଠି ଖୋଳ ମହାମାୟୀ ବାହାରିବେ। ପରିବାର ଲୋକେ ବି ଖୋଳିବାକୁ ଲାଗିଲେ । ଗୋଟିଏ ଫୁଟ ନୁହେଁ ଦୁଇ ଫୁଟ ନୁହେଁ । ପ୍ରାୟ ତିନି ଫୁଟ ମାଟି ତଳୁ ମିଳିଲା ପିତଳର ଦୁଇଟି ପାଦ ଓ ତିନୋଟି ପଥର ଶୀଳା। ଗଞ୍ଜାମ ଜିଲ୍ଲା। ଦିଗପହଣ୍ଡି ବ୍ଲକ। ଓଡ଼ାସିଙ୍ଗି ଗାଁ। ଏଠାରେ ହେଉଥିଲା ମହାମାୟୀଙ୍କ ପୂଜା। କବିସୂର୍ଯ୍ୟନଗରରେ ରହିଛି ମାଆ ମହାମାୟୀଙ୍କ ମନ୍ଦିର। ମହାମାୟୀ ବ୍ରତ କରୁଥିବା ଭକ୍ତମାନେ ସେଠାରୁ ମାଆଙ୍କ ଗୁଆ ଓ ଆସ୍ଥାନ ନେଇକି ଆସନ୍ତି। ସେହିପରି ଓଡ଼ାସିଙ୍ଗି ଗାଁର ଆଠ ଜଣ ମହିଳା ମଧ୍ୟ ଗୁଆ ଆଣିଥିଲେ । ଆଉ ଜଣଙ୍କ ଘରେ ଚାଲିଥିଲା ପୂଜା।
ଗୁରୁବାର ରାତି। କବିତା ରେଡ଼ିଙ୍କ ଘରେ ହୋଇଥିଲା ମେଳା। ମେଳା ସରିଗଲା ପରେ ସମସ୍ତେ ଚାଲିଗଲେ। ରାତି ପ୍ରାୟ ୧୨ଟା। ହଠାତ୍ ନିଦରେ ଶୋଇଥିବା କବିତାଙ୍କୁ ସ୍ବପ୍ନାଦେଶ ହେଲା । ନତଦ ଭାଙ୍ଗିବା ପରେ ସେ ତାଙ୍କ ମାଆଙ୍କୁ କହିଥିଲେ ଏହି ସ୍ଥାନରେ ଖୋଳ ମହାମାୟୀ ବାହାରିବେ।” ପରିବାର ଲୋକେ ସେହି ସ୍ଥାନରେ ଖୋଳିଥିଲେ। ପ୍ରାୟ ତିନି ଫୁଟ ମାଟି ଖୋଳିବା ପରେ ମିଳିଥିଲା ପିତଳର ଦୁଇଟି ପାଦ। ତା ସାଙ୍ଗକୁ ତିନୋଟି ପଥର ଶୀଳା। ସଙ୍ଗେ ସଙ୍ଗେ ଘଟଣାଟି ଚାରିଆଡ଼େ ପ୍ରଚାର ହୋଇଗଲା।ଶୁକ୍ରବାର ସକାଳ। ଗାଁ ଲୋକଙ୍କୁ ଖବର ଦିଆଗଲା। ଧୀରେ ଧୀରେ କବିତାଙ୍କ ଘରେ ଭିଡ଼ ବଢ଼ିଲା। ଶ୍ରଦ୍ଧାଳୁ ଆସିଲେ। ମିଳିଥିବା ପାଦ ଓ ପଥର ଶିଳାକୁ ଚନ୍ଦନ ଓ ସିନ୍ଦୁର ଦେଇ ପୂଜା କରାଯାଉଛି। ଭକ୍ତଙ୍କ ମଧ୍ୟରେ ଏହାକୁ ନେଇ ରହିଛି ଗଭୀର ଆସ୍ଥା। ମହାମାୟୀଙ୍କ ମନ୍ଦିରରୁ ଭକ୍ତମାନେ ଗୁଆ ଆଣି ଘରେ ପୂଜା କରନ୍ତି। ଏକ ବର୍ଷ ପୂଜା କରିବା ପରେ ହୋଇଥାଏ ବ୍ରତ ସମାପନ। ଓଡ଼ାସିଙ୍ଗିର ଏହି ମହିଳାମାନଙ୍କର ମଧ୍ୟ ଶନିବାର ହୋଇଥିଲା ପୂର୍ଣ୍ଣାହୁତି। କିନ୍ତୁ ମାଆଙ୍କ ଗୁଆ ବିସର୍ଜନ ପୂର୍ବରୁ ଘଟିଗଲା ଏହି ଘଟଣା।
କବିସୂର୍ଯ୍ୟନଗରରେ ମଧ୍ୟ କବିତାଙ୍କ ପ୍ରତି ଦେବୀଙ୍କ କୃପା ରହିଥିବା ବିଶ୍ୱାସ କରୁଛନ୍ତି ଭକ୍ତ। ଘଟଣା ସମ୍ପର୍କରେ ମୁଖ୍ୟ ମନ୍ଦିରର ପୂଜକଙ୍କୁ ଜଣାଇଥିବା କହିଛନ୍ତି କବିତା। ଏପଟେ ଗ୍ରାମବାସୀଙ୍କ ମଧ୍ୟରେ ମଧ୍ୟ ଉତ୍ସୁକତା। ଏହାକୁ ନେଇ ଗାଁରେ ବୈଠକ ବସିବାକୁ ସ୍ଥିର ହୋଇଛି। ମହାମାୟୀଙ୍କୁ କିଭଳି ପୂଜା କରାଯିବ ସେନେଇ ଆଲୋଚନା କରାଯିବ। ମାଟି ତଳୁ ମିଳିଥିବା ପାଦ ଓ ଶିଳାକୁ ନେଇ ଏବେ ଓଡ଼ାସିଙ୍ଗି ଗାଁରେ ଚର୍ଚ୍ଚା ଜୋର ଧରିଛି। ଭକ୍ତଙ୍କ ବିଶ୍ୱାସରେ ଏହା ମହାମାୟୀଙ୍କ ଆଶୀର୍ବାଦ। ମଣିଷର ଠାକୁର ବିଶ୍ବାସକୁ କିଏ ବା ଭାଙ୍ଗି ପାରିବ ?