
Reels Addiction: ଘଞ୍ଚ ଜଙ୍ଗଲରେ ହଜିଗଲେ ଆଦିତ୍ୟ, ରାତିରେ ଚାଲିଲା ରେସ୍କ୍ୟୁ ଅପରେସନ୍
ଚାରିଆଡେ ଭୟଙ୍କର ଅନ୍ଧାର । ଖାଲି ଅଜଗର ସାପ । ପୁଣି ଜଙ୍ଗଲୀ ବାରହା ଓ ବନ୍ୟ ଜନ୍ତୁଙ୍କ ଡର । ଆଉ ତାରି ଭିତରେ ଛାତିକୁ ଚାପି ଧରି ଛିଡା ହେଇଥିଲେ ଯୁବକ ଜଣେ । ହଁ ଆଜ୍ଞା ରିଲ୍ସ କରିବାକୁ ଚଢ଼ି ଗଲେ ପାହାଡ଼ ଉପରକୁ, ହେଲେ ଫେରିବା ବେଳକୁ ବାଟ ଭୁଲିଗଲେ । ଘଞ୍ଚ ଜଙ୍ଗଲ, ଦୁର୍ଗମ ସ୍ଥାନ ଚାରିଆଡ଼େ ଅନ୍ଧାର । ଛାତି ଖାଲି ହେଉଥାଏ ଧଡ୍ ଧଡ୍ । ଡର ଥାଏ ଯେକୌଣସି ମୁହୂର୍ତ୍ତରେ କୌଣସି ବିଷଧର ସାପ କି ଜଙ୍ଗଲୀ ଜନ୍ତୁ ସାମ୍ନାକୁ ଆସି ଯାଇ ପାରେ । ଜୀବନ ଓ ମୃତ୍ୟୁ ମଝିରେ ଅଟକି ଯାଇଥିଲା ଜଣେ କଲେଜ ଛାତ୍ରଙ୍କ ଜୀବନ। ଆଉ ତାଙ୍କୁ ଖୋଜିବା ପାଇଁ ଅନ୍ଧାର ଜଙ୍ଗଲ ଭିତରେ ଆରମ୍ଭ ହୋଇଥିଲା ଦୁଇ ଘଣ୍ଟାର ସର୍ଚ୍ଚ ଅପରେସନ୍। ନାଁ ତାଙ୍କର ଆଦିତ୍ୟ। ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି କମର୍ସ ଦ୍ବିତୀୟ ବର୍ଷର ଛାତ୍ର। ପାହାଡ଼ ଉପରେ ରିଲ୍ସ କରିବାର ଇଚ୍ଛା ନେଇ ପହଞ୍ଚିଥିଲେ ରୁଖୀ ପାହାଡ଼ରେ। କ୍ୟାମେରାରେ କେତେ କଣ କଏଦ କରିବାକୁ ଯାଇଥିଲେ । ପ୍ରକୃତିର ସୌନ୍ଦର୍ଯ୍ୟ ଦେଖି ବିଭୋର ହୋଇ ଗଲେ । ହେଲେ ଭୁଲି ଗଲେ ଫେରିବାର ବେଳ ଓ ରାସ୍ତା । ଜାଣି ନଥିଲେ ସେହି ରିଲ୍ସ ନିଶା ତାଙ୍କୁ ନେଇଯିବ ଏକ ଭୟଙ୍କର ଅନୁଭୂତି ଭିତରକୁ ।
ସନ୍ଧ୍ୟା ହେଲା…ଆକାଶରେ ଅନ୍ଧାର ମାଡି ଆସିଲା । ଆଉ ଜଙ୍ଗଲ ଭିତରେ ବାଟ ହରାଇ ଫସିଗଲେ ଆଦିତ୍ୟ। ଚାରିଆଡ଼େ ନିରବତା… କିନ୍ତୁ ସେହି ନିରବତା ଭିତରେ ଲୁଚି ରହିଥିଲା ଅନେକ ବିପଦ । ଶେଷରେ ମୋବାଇଲ୍ ଧରି ବଡ଼ ଭାଇଙ୍କୁ ଫୋନ୍ କଲେ। ସୌଭାଗ୍ୟର କଥା ହେଉଛି ନେଟୱାର୍କ ଲାଗିଲା । ଆଉ ନିଜର ଅବସ୍ଥା କଥା ଜଣାଇଲେ ଆଦିତ୍ୟ । ସେହି ଫୋନ୍ କଲ୍ ହିଁ ପରିବାର ପାଇଁ ପାଲଟିଗଲା ଆଶାର କିରଣ।ପରିବାର ଲୋକେ ତୁରନ୍ତ ଖବର ଦେଲେ ପ୍ରଶାସନକୁ । ଗୁହାରୀ କଲେ ପିଲାକୁ ଉଦ୍ଧାର କରିବା ପାଇଁ । ତୁରନ୍ତ ଆରମ୍ଭ ହେଲା ରେସ୍କ୍ୟୁ ଅପରେସନ୍। ଅଗ୍ନିଶମ ବିଭାଗ…ବନ ବିଭାଗ… ପୁଲିସ୍…ସମସ୍ତେ ଲାଗି ପଡ଼ିଲେ । ତିନି ବିଭାଗର ଟିମ୍ ଏକାଠି ହୋଇ ଓହ୍ଲାଇଲେ ଘଞ୍ଚ ଜଙ୍ଗଲ ଭିତରକୁ। ଅନ୍ଧାରକୁ ଭୟ ନାହିଁ କି ହିଂସ୍ର ବନ୍ୟ ଜନ୍ତୁଙ୍କୁ ଖାତିର ନାହିଁ । ଲକ୍ଷ୍ୟ ଗୋଟିଏ—ଯେମିତି ବି ହେଉ, ଆଦିତ୍ୟଙ୍କୁ ଖୋଜି ବାହାର କରିବା।…. କିନ୍ତୁ ରାସ୍ତା ସହଜ ନଥିଲା । ଘଞ୍ଚ ଜଙ୍ଗଲ…ବିଷଧର ସାପ, କଣ୍ଟାବୁଦା…ଅନ୍ଧାର…ଦୁର୍ଗମ ପାହାଡ଼…ଆଉ ପ୍ରତି ପାଦରେ ବିପଦ ।
କେତେବେଳେ ଅଜଗର ସାପ…କେତେବେଳେ ବିଷଧରର ଭୟ । ପୁଣି କେତେବେଳେ ବାରହା ଓ ଭାଲୁ ଆକ୍ରମଣର ଆଶଙ୍କା । ଜୀବନକୁ ବାଜି ଲଗାଇ ଆଗକୁ ବଢ଼ୁଥିଲେ ଉଦ୍ଧାରକାରୀ। ସମୟ ଗଡ଼ିବା ସହ ବଢୁଥିଲା ଅନ୍ଧାର ତା ସହିତ ବଢ଼ୁଥିଲା ଚିନ୍ତା । ଆଦିତ୍ୟ କେଉଁଠି? ସେ ସୁରକ୍ଷିତ ଅଛନ୍ତି ତ? କିଛି ଅଘଟଣ ଘଟିନି ତ ତାଙ୍କ ସହ ? ଏମିତି ଅନେକ ପ୍ରଶ୍ନ ଭିତରେ ଜାରି ରହିଥିଲା ଖୋଜାଖୋଜି। ପ୍ରାୟ ଦୁଇ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଆଉ ହଠାତ୍—ମିଳିଲା ଆଦିତ୍ୟଙ୍କ ସନ୍ଧାନ । ଜଙ୍ଗଲର ଘଞ୍ଚ ବୁଦା ଭିତରେ ଫସି ରହିଥିଲେ ଆଦିତ୍ୟ। ଏହି ଅଭିଯାନ ବେଳେ ଉଦ୍ଧାରକାରୀ ଦଳରୁ କେତେଜଣ ଆହତ ହୋଇଛନ୍ତି । ତେବେ ଶେଷରେ ଆଦିତ୍ୟ ଭଲରେ ଫେରିବା ସମସ୍ତଙ୍କ ପାଇଁ ଆଶ୍ବସ୍ତି ଆଣି ଦେଇଥିଲା । ଏଠି ଆମର ଗୋଟିଏ ଅନୁରୋଧ ଯୁବ ପିଢ଼ିଙ୍କୁ… ରିଲ୍ସ ପାଇଁ ହେଉ ଅବା ଅନ୍ୟ କୌଣସି କାରଣରୁ ସାହସ କରନ୍ତୁ କିନ୍ତୁ ଦୁଃସାହସ ଦେଖାଇ ଜୀବନ ପ୍ରତି ବିପଦ ମାଗି ଆଣନ୍ତୁ ନାହିଁ । କାରଣ ପ୍ରତ୍ୟେକ ଜୀବନ ମୂଲ୍ୟବାନ ଓ ତା ସହିତ ଗୋଟିଏ ପରିବାର ଯୋଡ଼ି ହୋଇ ରହିଥାଏ । କୌଣସି ଅଘଟଣ ଘଟିଲେ ଜୀବନ ସାରା ଭୋଗେ ତାର ପରିବାର