
Women Empowerment: ଆକାଶରେ ନୂଆ ଉଚ୍ଚତା ଛୁଇଁଲେ ଆଗ୍ରାର ଝିଅ ! ଏୟାର୍ ଭାଇସ୍ ମାର୍ସଲ୍ ହେଲେ ଶକ୍ତି
ବାୟୁସେନାରେ ନାରୀ ଶକ୍ତିର ଦମ୍ । ଇତିହାସ ରଚିଲେ ଆଗ୍ରାର ଝିଅ ଶକ୍ତି ଶର୍ମା । ଏୟାର୍ ଭାଇସ୍ ମାର୍ସଲ ହେଲେ ପ୍ରଥମ ମହିଳା । ଆଗ୍ରାର ପୁଲପୁରରେ ଜନ୍ମିତ ଏକ ସାଧାରଣ ପରିବାରର ଝିଅ। ଭାରତୀୟ ପ୍ରତିରକ୍ଷା ସେବାରେ ଲେଖିଛନ୍ତି ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ସେପ୍ଟେମ୍ବର ୧, ୨୦୨୬। ଏହି ଦିନଟି ଭାରତୀୟ ସେନା ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଯାଇଛି। ଆଗ୍ରାର ଫୁଲଟି ଅଞ୍ଚଳରେ ଜନ୍ମଗ୍ରହଣ କରିଥିବା ଶକ୍ତି ଶର୍ମା ବାୟୁସେନାରେ ‘ଏୟାର୍ ଭାଇସ୍ ମାର୍ସଲ’ ବା ସମକକ୍ଷ ପଦବୀ ହାସଲ କରିବାରେ ଦେଶର ପ୍ରଥମ ଅଣ-ଚିକିତ୍ସା ମହିଳା ଅଧିକାରୀ ହୋଇପାରିଛନ୍ତି। କେବଳ ସେତିକି ନୁହେଁ, ସେ ‘ଆସିଷ୍ଟାଣ୍ଟ ଚିଫ୍ ଅଫ୍ ଏୟାର୍ ଷ୍ଟାଫ୍ (ଏଜୁକେସନ୍)’ ଭଳି ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମଧ୍ୟ ଗ୍ରହଣ କରିଛନ୍ତି।
କିନ୍ତୁ ଏହି ସଫଳତା ପଛରେ ରହିଛି ଏକ ଦୀର୍ଘ ଯାତ୍ରା। ତିନି ଦଶନ୍ଧିରୁ ଅଧିକ ସମୟର ସାମରିକ ସେବା। ବିଭିନ୍ନ ଦାୟିତ୍ୱ, କଠିନ ଚ୍ୟାଲେଞ୍ଜ, ଆଉ ପ୍ରତିଟି ପଦକ୍ଷେପରେ ନେତୃତ୍ୱର ପରୀକ୍ଷା। ନିଜର କର୍ତ୍ତବ୍ୟନିଷ୍ଠା ଓ ନେତୃତ୍ୱ ଦକ୍ଷତା ବଳରେ ଶକ୍ତି ଶର୍ମା ଆଜି ହାସଲ କରିଛନ୍ତି ଏହି ବଡ଼ ସଫଳତା। ନିଜ ୩୦ ବର୍ଷର କ୍ୟାରିୟରରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି ଏୟାର୍ ଭାଇସ୍ ମାର୍ସଲ ଶକ୍ତି ଶର୍ମା। ଫିଲ୍ଡ ଷ୍ଟେସନ୍ ଠାରୁ ଆରମ୍ଭ କରି ଏୟାର୍ ହେଡ୍କ୍ୱାର୍ଟର୍ସ ପର୍ଯ୍ୟନ୍ତ ରହିଛି ଅନୁଭବର ଲମ୍ବା ଇତିହାସ। ଶକ୍ତି ମୂଳ ରୂପେ ଆଗ୍ରାର ବାସିନ୍ଦା। ବାପା ଓମପ୍ରକାଶ ଶର୍ମା ଆରବିଏସ୍ କଲେଜରୁ ଏମ୍ଏସ୍ସି କରିବା ପରେ ମଧ୍ୟପ୍ରଦେଶ ପିସିଏସ୍ରେ ଚୟନ ହୋଇଥିଲେ। ପ୍ରଶାସନିକ ସେବାରେ ବିଭିନ୍ନ ଦାୟିତ୍ୱ ତୁଲାଇ ସେ ଆଡିସନାଲ କଲେକ୍ଟର ଭାବେ ଅବସର ନେଇଛନ୍ତି। ଆଉ ଝିଅ ଶକ୍ତି, ନିଜର ଅଲଗା ପଥ ବାଛି ଦେଶ ସେବାରେ ନିଜର ପରିଚୟ ତିଆରି କରିଛନ୍ତି।
ଶକ୍ତିଙ୍କ ବଡ଼ ଭଉଣୀ କୃତି ମଧ୍ୟ ପ୍ରଶାସନିକ ସେବାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଅଛନ୍ତି। ଅର୍ଥାତ୍, ଗୋଟିଏ ପରିବାରର ଦୁଇ ଝିଅ, ଦୁଇଟି ଅଲଗା କ୍ଷେତ୍ର. କିନ୍ତୁ ଲକ୍ଷ୍ୟ ଗୋଟିଏ ଦେଶ ଓ ଲୋକଙ୍କ ସେବା। ଶକ୍ତିଙ୍କ ଏହି ସଫଳତାରେ ଖୁସିରେ ମିଠା ବାଣ୍ଟିଛି ପରିବାର। ଆଗ୍ରାର ଅର୍ଜୁନ ନଗରରେ ରହୁଥିବା ତାଙ୍କ ସମ୍ପର୍କୀୟ ଅଶୋକ ଶର୍ମାଙ୍କ କହିବା କଥା, ଶକ୍ତିଙ୍କର ଆଗ୍ରା ସହ ଆଜି ବି ରହିଛି ଗଭୀର ସମ୍ପର୍କ। ପ୍ରାୟ ୧୦ ବର୍ଷ ପୂର୍ବରୁ ସେ ଆଗ୍ରା ଆସିଥିଲେ। ସହରକୁ ଆସିଲେ ଆଗ୍ରାର ବେଡ଼ଇ-ଜଲେବି ଏବଂ ଡାଲ୍-ବାଟି ଚୁର୍ମା ତାଙ୍କର ପସନ୍ଦ ଥିଲା। ଆଜି ବଡ଼ ଦାୟିତ୍ୱ ଯୋଗୁଁ ଆଗ୍ରା ଆସିବା କମିଯାଇଛି। କିନ୍ତୁ ସହର ଓ ପରିବାର ସହ ତାଙ୍କର ସମ୍ପର୍କ ଏବେ ବି ଅତୁଟ। ଆଗ୍ରାର ଏହି ଝିଅ ଆଜି ଯେଉଁ ଉଚ୍ଚତାରେ ପହଞ୍ଚିଛି, ତାହା ଆଜିର ପ୍ରତିଟି ଯୁବପିଢ଼ି ଏବଂ ଦେଶର ସେବା କରିବାକୁ ସ୍ୱପ୍ନ ଦେଖୁଥିବା ପ୍ରତିଟି ଝିଅ ପାଇଁ ଏକ ଜ୍ୱଳନ୍ତ ଉଦାହରଣ। ସ୍ୱପ୍ନ ଦେଖିବାକୁ ସାହସ ଦରକାର। କିନ୍ତୁ ସେହି ସ୍ୱପ୍ନକୁ ସତ କରିବାକୁ ଦରକାର ନିଷ୍ଠା, ପରିଶ୍ରମ ଓ ଅଦମ୍ୟ ଇଚ୍ଛାଶକ୍ତି।