ରାଜ୍ୟ

School Problems Odisha: ସ୍କୁଲ୍‌ ନା ଦୁର୍ଦ୍ଦଶାର ଘର! ଭଙ୍ଗା କୋଠରି, ଅଳିଆ ପରିବେଶରେ ପାଠ ପଢୁଛନ୍ତି ୧୪୭ ପିଲା

ଭଙ୍ଗା ଶ୍ରେଣୀଗୃହ। ବର୍ଷା ହେଲେ କ୍ଲାସରୁମ ଭିତରେ ପାଣି । ଚାରିଆଡ଼େ ଅଳିଆ ଆବର୍ଜନା। ଏଭଳି ପରିବେଶରେ କଣ ପାଠ ପଢ଼ିବା ସମ୍ଭବ । ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକର ମୁଖ୍ୟଛକ ନିକଟରେ ରହିଛି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ। ଏଠାରେ ପାଠ ପଢୁଛନ୍ତି ୧୪୭ ଜଣ ଛାତ୍ରଛାତ୍ରୀ। ପିଲାଙ୍କୁ ପଢ଼ାଇବା ପାଇଁ ଅଛନ୍ତି ୬ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ।
ବିଦ୍ୟାଳୟରେ ରହିଛି ମୋଟ ୫ଟି ଶ୍ରେଣୀ କୋଠରି। ସେଥିରୁ ଗୋଟିଏ କୋଠରି ଭଙ୍ଗା ଅବସ୍ଥାରେ। ଆଉ ଦୁଇଟି କୋଠରିରେ ବର୍ଷା ହେଲେ ପାଣି ଜମିଯାଉଛି। ଘର ଭିତର ହୋଇପଡ଼ୁଛି ସନ୍ତସନ୍ତିଆ। ବର୍ଷାଦିନେ ଏଭଳି ପରିବେଶରେ ପାଠପଢ଼ା ନେଇ ଚିନ୍ତାରେ ଅଭିଭାବକ।

କେବଳ ଶ୍ରେଣୀଗୃହ ନୁହେଁ। ବିଦ୍ୟାଳୟର ପରିବେଶକୁ ନେଇ ମଧ୍ୟ ରହିଛି ଅଭିଯୋଗ। ବିଦ୍ୟାଳୟକୁ ଲାଗିଥିବା ଅଞ୍ଚଳରେ ବସ୍ ରହଣି କରୁଛି। ଅଭିଯୋଗ ହେଉଛି, ସେଠାରେ ଲୋକେ ଅଳିଆ ଆବର୍ଜନା ପକାଉଛନ୍ତି। ଏପରିକି ପରିଶ୍ରା ମଧ୍ୟ କରୁଛନ୍ତି। ଫଳରେ ବିଦ୍ୟାଳୟ ଚାରିପାଖରେ ସୃଷ୍ଟି ହେଉଛି ଦୁର୍ଗନ୍ଧମୟ ପରିବେଶ। ଅସ୍ୱାସ୍ଥ୍ୟକର ପରିବେଶ ଭିତରେ ପାଠ ପଢୁଛନ୍ତି ପିଲା। ଏପଟେ ବିଦ୍ୟାଳୟର ରୋଷେଇ ଘରର ଛାତ ମଧ୍ୟ ଫାଟିଯାଇଛି। ବର୍ଷା ହେଲେ ପାଣି ଗଳୁଥିବା ଅଭିଯୋଗ ହୋଇଛି। ଆଉ ଶୌଚାଳୟ କଥା ନକହିବା ଭଲ। ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପାଇଁ ରହିଛି କେବଳ ଗୋଟିଏ ପରିଶ୍ରାଗାର। ଏଭଳି ସମସ୍ୟା ଭିତରେ ପାଠ ପଢୁଥିବାରୁ ଅଭିଭାବକଙ୍କ ଅସନ୍ତୋଷ ବଢ଼ିଛି। ସମସ୍ୟା ନୂଆ ନୁହେଁ। ବିଦ୍ୟାଳୟର ଅବସ୍ଥା ସୁଧାରିବାକୁ ଅଭିଭାବକମାନେ ବାରମ୍ବାର ପ୍ରଶାସନ ନିକଟରେ ଅନୁରୋଧ କରିଥିବା କହିଛନ୍ତି। ହେଲେ ଏପର୍ଯ୍ୟନ୍ତ ଆଖିଦୃଶିଆ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି। ଭଙ୍ଗା ଶ୍ରେଣୀ କୋଠରିର ମରାମତି। ବର୍ଷାଜଳ ସମସ୍ୟାର ସ୍ଥାୟୀ ସମାଧାନ। ବାଳକମାନଙ୍କ ପାଇଁ ଶୌଚାଳୟ। ଏବଂ ବିଦ୍ୟାଳୟ ଚାରିପାଖରେ ପରିମଳ ବ୍ୟବସ୍ଥା। ଏସବୁ ସମସ୍ୟାର ତୁରନ୍ତ ସମାଧାନ ଦାବି କରିଛନ୍ତି ଅଭିଭାବକ ଓ ସ୍ଥାନୀୟ ଲୋକେ।

ତେବେ ଏନେଇ ପ୍ରଶାସନର ପ୍ରତିକ୍ରିୟା ମଧ୍ୟ ଆସିଛି। ଉପରିସ୍ଥ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରାଯିବ। ଏବଂ ବିଦ୍ୟାଳୟରେ ଅଭିଯୋଗ ହୋଇଥିବା ସମସ୍ୟାଗୁଡ଼ିକର ସମାଧାନ ଯଥାଶୀଘ୍ର କରାଯିବ ବୋଲି କହିଛନ୍ତି ପାଇକମାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ। ୧୪୭ ଜଣ ଛାତ୍ରଛାତ୍ରୀ। ସେମାନଙ୍କ ପାଇଁ ଏକ ସୁରକ୍ଷିତ ଶ୍ରେଣୀଗୃହ ଦରକାର। ଦରକାର ପରିଷ୍କାର ପରିବେଶ। ଦରକାର ମୌଳିକ ସୁବିଧା। ମୁଖ୍ୟଛକରେ ଥିବା ଏହି ବିଦ୍ୟାଳୟର ଦୁରାବସ୍ଥା ପ୍ରତି ପ୍ରଶାସନ କେବେ ଦୃଷ୍ଟି ଦେଉଛି? କେବେ ଦୂର ହେବ ଭିତ୍ତିଭୂମି ସମସ୍ୟା?ଆଉ କେବେ ଏହି ୧୪୭ ଜଣ ଛାତ୍ରଛାତ୍ରୀ ପାଇବେ ଏକ ସୁରକ୍ଷିତ ଓ ସ୍ୱାସ୍ଥ୍ୟକର ଶିକ୍ଷା ପରିବେଶ? ଏହା ଉପରେ ଏବେ ସମସ୍ତଙ୍କ ନଜର।

Leave a Reply

Your email address will not be published. Required fields are marked *

Back to top button