
Success Story: ଚାଷୀ ବାପାଙ୍କ ଦୁଇ ଝିଅଙ୍କ ବଡ଼ ସଫଳତା, NEETରେ କଲେ କମାଲ୍
ନେଟୱର୍କ ନଥିଲା। କୋଚିଂର ସୁବିଧା ନଥିଲା। କିନ୍ତୁ ଥିଲା ଡାକ୍ତର ହେବାର ସ୍ୱପ୍ନ। ଆଉ ସେହି ସ୍ୱପ୍ନ ଆଜି ଦେଇଛି ସଫଳତାର ନୂଆ ପରିଚୟ। କୁହାଯାଏ ସ୍ୱପ୍ନ ଦେଖିବା ସହଜ । ହେଲେ ସେହି ସ୍ୱପ୍ନକୁ ସତ କରିବା ପାଇଁ ଦରକାର ଜିଦ୍, ପରିଶ୍ରମ ଓ ଧୈର୍ଯ୍ୟ। ମୟୂରଭଞ୍ଜର ଏକ ଛୋଟ ଗାଁରୁ ଆସିଛି ଏମିତି ଏକ ପ୍ରେରଣାଦାୟକ କାହାଣୀ । ଯେଉଁଠି ଜଣେ ଚାଷୀଙ୍କ ଦୁଇ ଝିଅ ସମସ୍ତ ବାଧାକୁ ପଛରେ ପକାଇ NEET ପରୀକ୍ଷାରେ ସଫଳ ହୋଇଛନ୍ତି।
କପ୍ତିପଦା ବ୍ଲକ ମଝିଗଡ଼ିଆ ପଞ୍ଚାୟତର ମହୁଲପଙ୍ଖା ଗାଁର ଯାଜ୍ଞସେନି ଖଟୁଆ ଓ ଦିବ୍ୟସେନି ଖଟୁଆ। ଦୁହେଁ ଏକାସାଙ୍ଗରେ NEET ପରୀକ୍ଷାରେ ସଫଳ ହୋଇ ଏବେ ଡାକ୍ତର ହେବାର ପଥରେ ପଦାର୍ପଣ କରିଛନ୍ତି। ତାଙ୍କ ବାପା ଗୌରାଙ୍ଗ ଖଟୁଆ ଜଣେ ଚାଷୀ। ଚାଷ କାମରୁ ଯାହା ରୋଜଗାର ହୁଏ ସେହିଥିରେ ଦୁଇ ଝିଅଙ୍କୁ ପଢ଼ାଇଛନ୍ତି। ମା’ ସୁନିତା ଖଟୁଆ ଅଙ୍ଗନବାଡ଼ି ହେଲପର। ଦୀର୍ଘ ୯ ବର୍ଷ ଧରି ପରିବାରର ଦାୟିତ୍ୱ ସ୍ବାମୀ ସହ ବାଣ୍ଟି ଆସୁଛନ୍ତି। ଆଜି ସେହି ପରିଶ୍ରମ ଓ ତ୍ୟାଗର ଫଳ ମିଳିଛି। କିନ୍ତୁ ସଫଳତାର ରାସ୍ତା ଏତେ ସହଜ ନଥିଲା। ଗାଁରେ ମୋବାଇଲ ନେଟୱର୍କ ଠିକ୍ ଭାବେ ଆସୁ ନଥିଲା। ଅନଲାଇନ ପାଠ ପଢ଼ିବା ପାଇଁ ପ୍ରତିଦିନ ପାହାଡ଼ିଆ ହୁଡ଼ି ଚଢ଼ିବାକୁ ପଡୁଥିଲା। ଯେଉଁଠି ନେଟୱର୍କ ମିଳୁଥିଲା ସେହିଠି ବସି ଘଣ୍ଟା ଘଣ୍ଟା ଧରି ପଢୁଥିଲେ ଦୁଇ ଭଉଣୀ। ଆଉ କେତେବେଳେ ରାତି ୧୨ଟାରୁ ୩ଟା ପର୍ଯ୍ୟନ୍ତ ମୋବାଇଲରେ ପାଠ ପଢ଼ିବାକୁ ପଡୁଥିଲା। କାରଣ ସେହି ସମୟରେ ହିଁ ନେଟ ଚାଲୁଥିଲା।
ଯାଜ୍ଞସେନିଙ୍କ ପାଇଁ ଏହା ଥିଲା ତୃତୀୟ ପ୍ରୟାସ। କିନ୍ତୁ ସେ ହାର ମାନିନଥିଲେ। ବାରମ୍ବାର ଚେଷ୍ଟା କରିଥିଲେ । ଆଉ ଶେଷରେ ସଫଳତା ହାସଲ କରିଥିଲେ। ଅନ୍ୟପଟେ ସାନ ଭଉଣୀ ଦିବ୍ୟସେନି ପ୍ରଥମ ପ୍ରୟାସରେ ହିଁ NEET କ୍ୱାଲିଫାଏ କରିଛନ୍ତି। ଦିବ୍ୟସେନିଙ୍କ ସଫଳତା ପଛରେ ଥିଲା ଭଉଣୀ ଯାଜ୍ଞସେନିଙ୍କ ମାର୍ଗଦର୍ଶନ। ସେ ନିଜେ ପଢ଼ୁଥିଲେ। ଆଉ ଭଉଣୀଙ୍କୁ ମଧ୍ୟ ପଢ଼ାଉଥିଲେ। ଆଜି ଦୁଇ ଝିଅଙ୍କ ସଫଳତା ପୁରା ପରିବାର ଆଖିରେ ଆଣିଛି ଖୁସିର ଲୁହ। ଉଭୟଙ୍କ ଲକ୍ଷ୍ୟ ଡାକ୍ତର ହୋଇ ଲୋକଙ୍କ ସେବା କରିବା। ସଫଳତା ପାଇଁ ସବୁବେଳେ ବଡ଼ ସୁବିଧା ଦରକାର ନୁହେଁ। ଦରକାର ହୁଏ ବଡ଼ ସ୍ୱପ୍ନ ଓ ତାକୁ ସାକାର କରିବାର ଜିଦ୍ ମହୁଲପଙ୍ଖାର ଏହି ଦୁଇ ଭଉଣୀ ପ୍ରମାଣ କରିଛନ୍ତି। ପାହାଡ଼ ଉପରେ ବସି ପଢ଼ିଲେ ମଧ୍ୟ ଡାକ୍ତର ହେବାର ସ୍ୱପ୍ନ ସତ ହୋଇପାରେ।