
KISS Residential School: କିସ୍ ଆବାସିକ ବିଦ୍ୟାଳୟରେ ଆଦିବାସୀ ଗବେଷଣାଭିତ୍ତିକ ପୁସ୍ତକ ଲୋକାର୍ପଣ
ଅଧ୍ୟାପକ ଡ. ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ରଙ୍କ ଲିଖିତ ଆଦିବାସୀ ଗବେଷଣା ଭିତ୍ତିକ ପୁସ୍ତକ ଜନଜାତି ବିବରଣ ଉନ୍ମୋଚିତ । ବାରିପଦା ବାଙ୍କିଶୋଳ ସ୍ଥିତ କିସ୍ ଆବାସିକ ବିଦ୍ୟାଳୟରେ ମହା ଆଡମ୍ୱରରେ ଉନ୍ମୋଚିତ ହୋଇଛି । କିସ ଆବାସିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଗଣେଶ ମିଶ୍ରଙ୍କ ପୌରାହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା ଯୋଗଦେଇ ଆଦିବାସୀ ଛାତ୍ରୀ ମାନଙ୍କ ଗହଣରେ ପୁସ୍ତକର ଲୋକାର୍ପଣ କରିଛନ୍ତି । ଆଦିବାସୀଙ୍କ ସଂସ୍କୃତି ପରମ୍ପରାକୁ ନେଇ ଦୀର୍ଘଦିନର ଗବେଷଣା ଏହି ପୁସ୍ତକରେ ଲେଖିଛନ୍ତି ଅଧ୍ୟାପକ ଦେବପ୍ରିୟ । ଏହି ଅବସରରେ ଉପସ୍ଥିତ ଏକ ହଜାର ଆଦିବାସୀ ଛାତ୍ରୀମାନଙ୍କୁ ଉଦବୋଧନ ଦେଇ ଆଦିବାସୀ ମାନଙ୍କ ଭଗବାନ ବୋଲି ବର୍ଣ୍ଣନା କରି ଡ. ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା ।
ଡ. ସାମନ୍ତ ନ ଥିଲେ ଆଦିବାସୀ ସମାଜ ଆଜି ଏହି ସ୍ଥାନରେ ପହଞ୍ଚି ପାରିନ ଥାନ୍ତା ବୋଲି ସେ କହିଛନ୍ତି । ହଜାର ହଜାର ସଂଖ୍ୟାରେ ଆଦିବାସୀ ପିଲା ଏହି କିସ୍ ମାଧ୍ୟମରେ ପାଠ ପଢି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାରିଛନ୍ତି। ଏଥିପାଇଁ ଡ. ସାମନ୍ତଙ୍କୁ ଯେତେ ଧନ୍ୟବାଦ ଜଣାଇଲେ ମଧ୍ୟ କମ ହେବ ବୋଲି ସେ କହିଛନ୍ତି । କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଏମପିସି ସ୍ଵୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ନାରାୟଣ ପ୍ରସାଦ ବେହେରା, କିସ୍ ଅତିରିକ୍ତ ଉନ୍ନୟନ ଅଧିକାରୀ ସ୍ମୃତି ରଞ୍ଜନ ରାୟ ପ୍ରମୁଖ ଉପସ୍ଥିତ ଥିଲେ। ଆଦିବାସୀ ଛାତ୍ରୀମାନଙ୍କ ସହ ନୃତ୍ୟ କରିବା ସହ କିଛି ମୁହୁର୍ତ୍ତ ବିତାଇ ବେଶ ସନ୍ତୋଷ ପ୍ରକାଶ କରିଛନ୍ତି। ପୁସ୍ତକ ଉନ୍ମୋଚନ ପରେ ଆଦିବାସୀଙ୍କ ଉପରେ ଆଗକୁ ମଧ୍ୟ ଗବେଷଣା ଜାରି ରଖିବେ ବୋଲି କହିଛନ୍ତି ଅଧ୍ୟାପକ ଡ଼ ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର ।