
Odisha Women Achiever: ଅଭାବକୁ ହରାଇ BSFରେ ଲିଲିରାଣୀ, ଗାଁର ପ୍ରଥମ ଝିଅ ଭାବେ ରଚିଲେ ଇତିହାସ
ଅଭାବକୁ ହରାଇ BSFରେ ଲିଲିରାଣୀ । ସ୍ୱପ୍ନ ଥିଲା ସେନାରେ ଯିବେ। ଆଜି ସାକାର ହେଲା ସ୍ୱପ୍ନ । ଗାଁର ପ୍ରଥମ ଝିଅ BSF ଜବାନ । ଗର୍ବରେ ଫୁଲିଉଠିଲେ ଲୋକେ । ଯେଉଁ ଝିଅକୁ ଦିନେ ମାଆ କୋଳରେ ଧରି ବଡ଼ କରିଥିଲେ, ଆଜି ସେହି ଝିଅ ଦେଶର ସୁରକ୍ଷା ପାଇଁ ପିନ୍ଧିଛନ୍ତି ବିଏସଏଫ୍ ପୋଷାକ। ଅଭାବ ଥିଲା…ସଂଘର୍ଷ ଥିଲା…କିନ୍ତୁ ସ୍ୱପ୍ନ ଥିଲା ଆକାଶଠାରୁ ବି ବଡ଼। ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ବ୍ଲକ ସାରସମାଲ ଗାଁର ଲିଲିରାଣୀ ଭୋଇ। ଆଜି ଝିଅ ଘରକୁ ଫେରିବା ବେଳେ ମାଆଙ୍କ ଆଖିରେ ଲୁହ… କିନ୍ତୁ ସେ ଲୁହ ଦୁଃଖର ନୁହେଁ, ଗର୍ବର।
ଗାଁ ମୁଣ୍ଡରେ ଝିଅକୁ ଦେଖିବା ମାତ୍ରେ ଖୁସିରେ ଭରିଗଲା ପରିବେଶ। ପାଦ ଧୋଇଦେଲେ ଗ୍ରାମବାସୀ । ଉତ୍ତରୀୟ ପିନ୍ଧାଇଲେ । ଫୁଲମାଳ ଦେଲେ । ସଂକୀର୍ତ୍ତନରେ ଗାଁ ମୁଖରିତ ହେଲା। ଏ ଥିଲା କେବଳ ଜଣେ ଝିଅର ସ୍ୱାଗତ ନୁହେଁ । ଏ ଥିଲା ଗାଁର ଗୌରବକୁ ପାଛୋଟି ନେବାର ମୁହୂର୍ତ୍ତ। ସାରସମାଲ ଗାଁର ଦରିଦ୍ର ନାରାୟଣ ଭୋଇ ଓ ମଞ୍ଜରୀ ଭୋଇଙ୍କ ଝିଅ ଲିଲିରାଣୀ। ଘରେ ଅଭାବ ଥିଲା, କିନ୍ତୁ ଝିଅର ସ୍ୱପ୍ନକୁ କେବେ ଅଭାବ ହେବାକୁ ଦେଇନଥିଲେ ବାପା-ମାଆ। ପାଠ ପଢ଼ୁଥିବା ସମୟରୁ ହିଁ ଲିଲିରାଣୀଙ୍କ ଆଖିରେ ଥିଲା ଗୋଟିଏ ସ୍ୱପ୍ନ ଦେଶ ସେବା କରିବେ ସେନାରେ ଯୋଗଦେବେ। ଆଜି ସେହି ସ୍ୱପ୍ନ ସତ ହୋଇଛି।
ଗୋଟିଏ ଝିଅର ସଫଳତା, କିନ୍ତୁ ଏହି ସଫଳତା ପଛରେ ରହିଛି ଗୋଟିଏ ପରିବାରର ତ୍ୟାଗ, ଅନେକ ରାତିର ପରିଶ୍ରମ ଓ ବାପା-ମାଆଙ୍କ ଆଶୀର୍ବାଦ। ପଶ୍ଚିମବଙ୍ଗର ନ୍ୟୁ ଜଲପାଇଗୁଡ଼ିରେ ଚାଲିଛି ଏକ ବର୍ଷର କଠିନ ଟ୍ରେନିଂ। ଛଅ ମାସ ଶେଷ କରି ଏବେ ଘରକୁ ଫେରିଛନ୍ତି ଲିଲିରାଣୀ। ଆହୁରି ଛଅ ମାସର ଟ୍ରେନିଂ ପରେ ଦେଶ ସେବାରେ ନିଜକୁ ସମର୍ପିତ କରିବେ। ଯେଉଁ ମାଆ ଦିନେ ଝିଅକୁ ଆଙ୍ଗୁଠି ଧରି ଚାଲିବା ଶିଖାଇଥିଲେ, ଆଜି ସେହି ମାଆ ନିଜ ଝିଅକୁ ଦେଶର ସୀମା ଜଗିବା ପାଇଁ ପଠାଇବେ। ଖୁସି ଅଛି ଗର୍ବ ଅଛି, ହେଲେ ମନର କୋଣରେ ଝିଅ ପାଇଁ ଚିନ୍ତା ବି ଅଛି।
ଏ ଝିଅ ଏବେ କେବଳ ମାଆ-ବାପାଙ୍କ ଝିଅ ନୁହେଁ, ଏ ଝିଅ ଏବେ ଦେଶର ଝିଅ। ଅଞ୍ଚଳର ପ୍ରଥମ ଝିଅ ଭାବେ ସେନାରେ ଯୋଗଦେଇ ଲିଲିରାଣୀ ଆଜି ଅନେକ ଝିଅଙ୍କୁ ଦେଖାଇଛନ୍ତି ନୂଆ ସ୍ୱପ୍ନ। ଅଭାବ ତାଙ୍କୁ ଅଟକାଇ ପାରିଲାନି, ସଂଘର୍ଷ ତାଙ୍କୁ ହରାଇ ପାରିଲାନି । ଆଉ ଆଜି ଲିଲିରାଣୀଙ୍କ ୟୁନିଫର୍ମରେ ଚମକୁଛି ସାରସମାଲ ଗାଁର ଗୌରବ। ଏ ହେଉଛି ଜଣେ ଝିଅର ସଫଳତାର କାହାଣୀ । ଏ ହେଉଛି ଜଣେ ମାଆର ଗର୍ବ, ଆଉ ଏ ହେଉଛି ଦେଶ ପାଇଁ ଜଣେ ଝିଅର ପ୍ରତିଶ୍ରୁତି ।