ରାଜ୍ୟ

MBBS Student Missing: ପୁଅ ଡାକ୍ତର ହେବ… ହେଲେ ଏବେ ପୁଅକୁ ଖୋଜି ଖୋଜି ନୟାନ୍ତ ପରିବାର

ପୁଅ ଡାକ୍ତର ହେବ, ବାପା-ମାଆଙ୍କ ଆଖିରେ ଥିଲା ଅନେକ ସ୍ୱପ୍ନ । ହାତରେ ଷ୍ଟେଥୋସ୍କୋପ୍ ଧରି ଦିନେ ପୁଅ ଲୋକଙ୍କ ଜୀବନ ବଞ୍ଚାଇବ । ଏହା ଥିଲା ପରିବାରର ଆଶା । ହେଲେ ଏବେ ସେହି ପୁଅକୁ ଖୋଜି ଖୋଜି ନିରାଶ ହେଉଛି ପରିବାର । କେଉଁଠି ଅଛି ସାଗର…? କାହିଁକି ମିଳୁନି ସାଗରଙ୍କ ପତ୍ତା…? ବ୍ରହ୍ମପୁର ଏମକେସିଜି ମେଡିକାଲର ଏମବିବିଏସ୍ ପ୍ରଥମ ବର୍ଷର ଛାତ୍ର ସାଗର ସାହୁ ଗତ ୩୧ ତାରିଖରୁ ନିଖୋଜ । ପୁଅର ଖୋଜରେ ଯାଜପୁରରୁ ବ୍ରହ୍ମପୁରରେ ପହଞ୍ଚିଛନ୍ତି ପରିବାର । ଷ୍ଟେସନରୁ ହଷ୍ଟେଲ… ଯେଉଁଠି ସନ୍ଦେହ, ସେଇଠି ଖୋଜାଖୋଜି । ହେଲେ ମିଳୁନି ପୁଅର ଖୋଜ ।

ଜଣେ ବାପାଙ୍କ ଅସହାୟତା । ଜଣେ ମାଆଙ୍କ ଛାତିରେ ଛନକା । ପୁଅ କେଉଁଠି ଅଛି…? କ’ଣ କରୁଛି…? କେବେ ଫେରିବ…? ଏହି କିଛି ପ୍ରଶ୍ନ ଏବେ ପରିବାରକୁ ଘାରିଛି । ଯାଜପୁର ଜିଲ୍ଲା କୁଆଖିଆ ଥାନା କପାଳି ଗାଁର ସାଗର ସାହୁ । ଡାକ୍ତର ହେବାର ସ୍ୱପ୍ନ ନେଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଏମବିବିଏସ୍ ପ୍ରଥମ ବର୍ଷ ପଢୁଥିଲେ । ପ୍ରାୟ ଏକ ବର୍ଷ ହେଲା ମେଡିକାଲ ହଷ୍ଟେଲରେ ରହୁଥିଲେ ସାଗର । ପାଠପଢ଼ା, ହଷ୍ଟେଲ ଓ ସାଙ୍ଗସାଥୀଙ୍କ ଭିତରେ ବେଶ୍ ସାଧାରଣ ଥିଲା ତାଙ୍କ ଜୀବନ ।

ହେଲେ ହଠାତ୍ ଗତ ୩୧ ତାରିଖରୁ ନିଖୋଜ ସାଗର । ଖବର ପାଇବା ପରେ ଯାଜପୁରରୁ ଧାଇଁ ଆସିଛନ୍ତି ବାପା, ମାମୁଁ ଓ ପରିବାରର ଅନ୍ୟ ସଦସ୍ୟ । ପୁଅକୁ ଖୋଜିବା ପାଇଁ ବ୍ରହ୍ମପୁର ରେଳ ଷ୍ଟେସନରେ ଚାଲିଛି ଖୋଜାଖୋଜି । ଯେଉଁ ରେଳ ଷ୍ଟେସନରୁ ଦିନେ ପୁଅକୁ ଦେଖିବା ପାଇଁ ପରିବାର ଲୋକେ ଅପେକ୍ଷା କରୁଥିଲେ । ଆଜି ସେହି ଷ୍ଟେସନରେ ପୁଅକୁ ଖୋଜୁଛନ୍ତି ବାପା । ପ୍ରତିଟି ମୁହଁରେ ଖୋଜୁଛନ୍ତି ସାଗରଙ୍କ ଚେହେରା । ପ୍ରତିଟି ଟ୍ରେନ୍ ଆସିଲେ ଛାତି ଧଡ଼ଧଡ଼ ହେଉଛି, କାଳେ ଏଇ ଟ୍ରେନ୍‌ରେ ପୁଅ ଫେରିଥିବ…? କିନ୍ତୁ ଟ୍ରେନ୍ ଚାଲିଯାଉଛି, ଲୋକେ ଚାଲିଯାଉଛନ୍ତି, ହେଲେ ମିଳୁନି ସାଗର । ଏପଟେ ଯେତେ ସମୟ ଗଡୁଛି, ସେତେ ବଢୁଛି ପରିବାରର ଚିନ୍ତା । ଜଣେ ବାପାଙ୍କ ମୁହଁରେ ଗୋଟିଏ ହିଁ ପ୍ରଶ୍ନ “ମୋ ପୁଅ କେଉଁଠି?” । ସ୍ୱପ୍ନ ଥିଲା ପୁଅ ଦିନେ ଡାକ୍ତର ହେବ । ଆଜି ସେହି ପୁଅର ଖୋଜରେ ଦୁଆର ଦୁଆର ବୁଲୁଛି ପରିବାର । ସମୟ ଗଡୁଛି… ଚିନ୍ତା ବଢୁଛି…କିନ୍ତୁ ଆଶା ଏବେ ବି ମରିନାହିଁ । ସାଗର ଯେଉଁଠି ଥାଆନ୍ତୁ, ସୁରକ୍ଷିତ ଥାଆନ୍ତୁ… ଏବଂ ଖୁବଶୀଘ୍ର ନିଜ ପରିବାର ପାଖକୁ ଫେରି ଆସନ୍ତୁ—ଏହି ଅପେକ୍ଷାରେ ଅଛି ପୂରା ପରିବାର ।

Leave a Reply

Your email address will not be published. Required fields are marked *

Back to top button