ମନୋରଞ୍ଜନ

Ganjam Folk Artists: ତପ୍ତପାଣିରୁ ରାଷ୍ଟ୍ରପତି ଭବନ, ଗଞ୍ଜାମ କଳାକାରଙ୍କ ଗୌରବ ଯାତ୍ରା

ତପ୍ତପାଣିରେ ଦେଖିଥିଲେ ନୃତ୍ୟ । ସେ ନୃତ୍ୟରେ ଥିଲା ମାଟିର ମହକ। ଥିଲା ଆଦିବାସୀ ପରମ୍ପରାର ଝଲକ। ଆଉ ଏହି ପାରମ୍ପରିକ କଳାରେ ବିମୋହିତ ହୋଇଥିଲେ ରାଷ୍ଟ୍ରପତି। ଆଉ ସେଥିପାଇଁ କଳାକାରଙ୍କ ପ୍ରତିଭାକୁ ଦେଲେ ସମ୍ମାନ। ଆଉ ଦେଲେ ରାଷ୍ଟ୍ରପତି ଭବନ ଆସିବାକୁ ନିମନ୍ତ୍ରଣ। ସେହି ନିମନ୍ତ୍ରଣରେ ଦିଲ୍ଲୀରେ ଗଞ୍ଜାମର ୯୦ରୁ ଊର୍ଦ୍ଧ୍ୱ ଲୋକ କଳାକାର। ଗଞ୍ଜାମର ମାଟି । ଗଞ୍ଜାମର କଳା । ଆଉ ଗଞ୍ଜାମର ପାରମ୍ପରିକ ସଂସ୍କୃତି। ଏହି ସବୁକୁ ନେଇ ଗର୍ବ କରିବାର ଆଉ ଏକ ଅବସର। ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିକୁ ଭେଟିଛନ୍ତି ଗଞ୍ଜାମର ୯୦ରୁ ଊର୍ଦ୍ଧ୍ୱ ଲୋକ କଳାକାର। କେବଳ ରାଷ୍ଟ୍ରପତି ଭବନ ପରିଦର୍ଶନ ନୁହେଁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ କରିଛନ୍ତି ଭାବ ବିନିମୟ। ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ନେତୃତ୍ୱରେ ପାଞ୍ଚଟି ପ୍ରମୁଖ ସାଂସ୍କୃତିକ ଦଳର କଳାକାର ଦିଲ୍ଲୀ ଗସ୍ତ କରିଥିଲେ । ରାଷ୍ଟ୍ରପତି ଭବନରେ କଳାକାରମାନଙ୍କୁ ଦିଆଯାଇଥିଲା ଭବ୍ୟ ସ୍ୱାଗତ।

କିଛି ଦିନ ତଳେ ରାଷ୍ଟ୍ରପତି ଗଞ୍ଜାମ ଗସ୍ତରେ ଆସିଥିଲେ। ତପ୍ତପାଣିରେ ଆୟୋଜିତ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ। ମଞ୍ଚରେ ପରିବେଷିତ ହୋଇଥିଲା ଗଞ୍ଜାମର ଆଦିବାସୀ ଓ ଲୋକନୃତ୍ୟ। ନୃତ୍ୟର ତାଳେ ତାଳେ ଝୁମିଥିଲା ତପ୍ତପାଣି। ପାରମ୍ପରିକ ସଙ୍ଗୀତରେ ମନ ଜିଣିଥିଲେ କଳାକାର। ଆଉ ଏହି ପ୍ରଦର୍ଶନରେ ଅଭିଭୂତ ହୋଇଥିଲେ ରାଷ୍ଟ୍ରପତି। କଳାକାରଙ୍କୁ ଦେଇଥିଲେ ଏକ ବିଶେଷ ନିମନ୍ତ୍ରଣ। ରାଷ୍ଟ୍ରପତି ଭବନ ଆସନ୍ତୁ ଏହି ଆମନ୍ତ୍ରଣ ନେଇ ଦିଲ୍ଲୀରେ ଗଞ୍ଜାମର କଳାକାର।

ସାନଖେମୁଣ୍ଡି ବ୍ଲକ ସୁବର୍ଣ୍ଣଗଡ଼ର ମା’ ଦଣ୍ଡକାଳୀ ଗ୍ରୁପ୍ , ବ୍ରହ୍ମପୁରର ସଂରଚନା ଗ୍ରୁପ୍ , ସୋରଡ଼ା ବ୍ଲକର ତୁଳସୀ ଗ୍ରୁପ୍ , ସାନଖେମୁଣ୍ଡି ବ୍ଲକ କଟାପଲ୍ଲୀର ଗୌରାଙ୍ଗ ବାସୁଦେବ ନାମ ସଂକୀର୍ତ୍ତନ ମଣ୍ଡଳୀ ଏବଂ ଖେମୁଣ୍ଡିଖୋଲର ସୌର ପାରମ୍ପରିକ ସାଂସ୍କୃତିକ ନାଟ୍ୟ ସଂଘ। ଏହି ପାଞ୍ଚଟି ଦଳର ୯୦ରୁ ଊର୍ଦ୍ଧ୍ୱ କଳାକାରଙ୍କୁ ନିମନ୍ତ୍ରଣ ମିଳିଥିଲା । ରାଷ୍ଟ୍ରପତିଙ୍କ ସହ ଅଧଘଣ୍ଟାରୁ ଅଧିକ ସମୟ ଧରି ହୋଇଥିଲା ଭାବ ବିନିମୟ। କଳାକାରଙ୍କ ସୁଖଦୁଃଖ ପଚାରି ବୁଝିଥିଲେ ରାଷ୍ଟ୍ରପତି। କହିଥିଲେ ପୂର୍ବପୁରୁଷଙ୍କଠାରୁ ମିଳିଥିବା ଅମୂଲ୍ୟ କଳା ଓ ପରମ୍ପରାକୁ ସଂରକ୍ଷଣ କରିବା ଆମ ସମସ୍ତଙ୍କ ଦାୟିତ୍ୱ। ନିୟମିତ ଅଭ୍ୟାସ କରିବାକୁ ପରାମର୍ଶ ଦେଇଥିଲେ। ଯୁବ କଳାକାରଙ୍କୁ ମନ ଦେଇ ପାଠ ପଢ଼ିବାକୁ କହିଥିଲେ। ନିଜ କ୍ଷେତ୍ରରେ ଶ୍ରେଷ୍ଠତା ହାସଲ କରିବାକୁ ଦେଇଥିଲେ ଆହ୍ୱାନ। ନିଜ ଗୋଡ଼ରେ ନିଜେ ଠିଆ ହୋଇ ସ୍ୱାବଲମ୍ବୀ ହେବାକୁ ଦେଇଥିଲେ ପରାମର୍ଶ।

ଗଞ୍ଜାମର ସୌରା ଜନଜାତିର ସମୃଦ୍ଧ ସାଂସ୍କୃତିକ ପରମ୍ପରାକୁ ମଧ୍ୟ ପ୍ରଶଂସା କରିଥିଲେ ରାଷ୍ଟ୍ରପତି। କଳାକାରଙ୍କ ପାଇଁ ଏହା ଥିଲା ଏକ ଅବିସ୍ମରଣୀୟ ଦିନ। ରାଷ୍ଟ୍ରପତି ଭବନ ପରିଦର୍ଶନ, ମହାମହିମଙ୍କ ସହ ସାକ୍ଷାତ, ଆଉ ଦିଲ୍ଲୀର ବିଭିନ୍ନ ଐତିହାସିକ ଓ ଦର୍ଶନୀୟ ସ୍ଥାନ ବୁଲିବାର ସୁଯୋଗ। ଏହି ଅନୁଭୂତି ପାଇଁ କଳାକାରମାନେ ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି। ସୌର ପାରମ୍ପରିକ ସାଂସ୍କୃତିକ ନାଟ୍ୟ ସଂଘର ଜଗନ୍ନାଥ ନାୟକ ଏହି ଅନୁଭୂତିକୁ ଜୀବନର ଏକ ସ୍ମରଣୀୟ ଅଧ୍ୟାୟ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button