
Nandi Temple: ବଢୁଛି ନନ୍ଦୀଙ୍କ ମୂର୍ତ୍ତି ଆକାର, କଳିଯୁଗ ଶେଷ ହେବାର ଦେଉଛି ସଙ୍କେତ
କଳିଯୁଗର ଶେଷ ହେବାକୁ ନେଇ ଆପଣମାନେ ଅନେକ କଥା ଶୁଣିଥିବେ ନିଶ୍ଚୟ । କିନ୍ତୁ ଆପଣ କ’ଣ ଜାଣନ୍ତି କି ନନ୍ଦୀଙ୍କ ମୂର୍ତ୍ତି ସହିତ କିଛି ଏମିତି ରହସ୍ୟ ଅଛି ଯାହା ଜଗତରେ ମହାବିପରୀକ୍ଷାର କାରଣ ବୋଲି ବିଶ୍ବାସ କରାଯାଏ । ତେବେ ଏହା ପଛରେ କ’ଣ ରହସ୍ୟ ଅଛି ଆସନ୍ତୁ ଜାଣିବା ।
ଭଗବାନ ଶିବଙ୍କ ବାହନ ନନ୍ଦୀଙ୍କୁ କଳିଯୁଗରେ ଆସୁଥିବା ମହାପରୀକ୍ଷାର ଚେତାବନୀ ଦିଆଯାଉଥିବା ବିଶ୍ବାସ କରାଯାଏ । କୁହାଯାଏ ନନ୍ଦୀ ଦେବ ଅନେକ ବର୍ଷରୁ ମହାପରୀକ୍ଷାର ସଙ୍କେତ ଦେଇ ଆସୁଛନ୍ତି । ତେବେ ଏହା କେଉଁଠି ଏବଂ କିପରି ଘଟୁଛି ସେ ସମ୍ପର୍କରେ ଜାଣିବା।
ଆନ୍ଧ୍ରପ୍ରଦେଶର କୁରନୁଲ ଜିଲ୍ଲା ସ୍ଥିତ ମହେଶ୍ବରୀ ମନ୍ଦିରରେ ନନ୍ଦୀ ଦେବଙ୍କର ଏକ ଚମତ୍କାର ମୂର୍ତ୍ତି ରହିଛି । ଯେଉଁ ମୂର୍ତ୍ତିରେ ଖାସ୍ କଥା ରହିଛି । ଯାହାର ଆକାର ଲଗାତାର ବଢିଥାଏ । ମାନ୍ୟତା ଅନୁସାରେ ପ୍ରତି ୨୦ ବର୍ଷରେ ଏହି ମୂର୍ତ୍ତିର ଆକାର ପ୍ରାୟ ଗୋଟିଏ ଇଞ୍ଚ ବଢିଥାଏ । ପ୍ରଥମେ ଏହି ମୂର୍ତ୍ତିର ଆକାର ଏତେ ଛୋଟ ଥିଲା ଯେ ଯାହା ଦ୍ବାରା ଲୋକମାନେ ସହଜରେ ପ୍ରତିମା ଚାରିପାଖେ ପରିକ୍ରମା କରିବା ସହଜ ହେଉଥିଲା । କିନ୍ତୁ ଏବେ ଏହା ଏତେ ବଡ଼ ହୋଇଯାଇଛି ଯେ ମନ୍ଦିର ପରିସର ପାଇଁ ମଧ୍ୟ ଏହା ଛୋଟ ହୋଇଯାଇଛି । ଏତିକି ନୁହେଁ ଏହାର ବଢୁଥିବା ଆକାର କାରଣରୁ ମନ୍ଦିରର ସ୍ତମ୍ଭଗୁଡ଼ିକରେ ଫାଟ ସୃଷ୍ଟି କରିଛି ।
ଧାର୍ମିକ ବିଶ୍ବାସ ଅନୁସାରେ, କଳିଯୁଗରେ ଏମିତି ଏକ ଦିନ ଆସିବ ଯେଉଁଦିନ ଏହି ନନ୍ଦୀଙ୍କ ମୂର୍ତ୍ତି ଜୀବିତ ହୋଇଯିବ । କୁହାଯାଏ ଯେ ସେହି ଦିନ କଳିଯୁଗର ଶେଷ ଦିନ ଏବଂ ସେହି ସମୟ ମହାପ୍ରଳୟ ଆସିବ । ହେଲେ ଏହା କେବେ ହେବ ସେ ବିଷୟରେ କୌଣସି ନିର୍ଦ୍ଦିଷ୍ଟ ସୂଚନା ନାହିଁ । ବୈଜ୍ଞାନିକମାନେ ମଧ୍ୟ ଏହି ପ୍ରତିମା ଉପରେ ଅନେକ ଅଧ୍ୟୟନ କରିଛନ୍ତି । ସେମାନଙ୍କ ଅନୁସାରେ ଏହି ପ୍ରତିମା ଏକ ବିଶେଷ ପ୍ରକାରର ପଥରରେ ତିଆରି ଯାହା ସମୟ ସହିତ ବିସ୍ତାରିତ ହୁଏ । ଏହି କାରଣରୁ ଏହାର ଆକାର ଧୀରେ ଧୀରେ ବୃଦ୍ଧି ପାଉଛି ।
ଏଥିସହିତ ଏହି ମନ୍ଦିର ସମ୍ପର୍କରେ ମଧ୍ୟ ଅନେକ ଆକର୍ଷଣୀୟ ତଥ୍ୟ ରହିଛି । ମନ୍ଦିର ପରିସରରେ ପୁଷ୍କରିଣୀ କୁଣ୍ଡ ନାମକ ଏକ ଛୋଟ ପୋଖରୀ ରହିଛି । ଏହା ବିଶ୍ୱାସ କରାଯାଏ ଯେ ନନ୍ଦୀଙ୍କ ମୁଖରୁ ଏହି ପୋଖରୀରେ ନିରନ୍ତର ପାଣି ପ୍ରବାହିତ ହୁଏ । ତଥାପି, ଆଜି ପର୍ଯ୍ୟନ୍ତ କେହି ଜାଣି ନାହାଁନ୍ତି ଯେ ଏହି ପାଣି କେଉଁଠାରୁ ଆସେ । ବୈଜ୍ଞାନିକମାନେ ମଧ୍ୟ ଏହି ରହସ୍ୟକୁ ସମାଧାନ କରିପାରି ନାହାନ୍ତି। ଏହା ମଧ୍ୟ କୁହାଯାଏ ଯେ ଋଷି ଅଗସ୍ତ୍ୟ ଏହି ପୋଖରୀରେ ସ୍ନାନ କରିବା ପରେ ଭଗବାନ ଶିବଙ୍କୁ ପୂଜା କରିଥିଲେ ଏବଂ ଏଠାରେ ନନ୍ଦୀଙ୍କୁ ସ୍ଥାପନ କରାଯାଇଥିଲା ।
ଆହୁରି ଏକ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଏହି ମନ୍ଦିର ପରିସରରେ କାଉ କେବେ ଦେଖାଯାଏ ନାହିଁ । ଅନ୍ୟ ପକ୍ଷୀ ଆସନ୍ତି କେବଳ କାଉ ଆସେ ନାହିଁ । କିମ୍ବଦନ୍ତୀ କୁହେ ଯେତେବେଳେ ଋଷି ଅଗସ୍ତ୍ୟ ଏଠାରେ ତପସ୍ୟା କରୁଥିଲେ, କାଉମାନେ ତାଙ୍କ ଧ୍ୟାନରେ ବାଧା ସୃଷ୍ଟି କରିଥିଲେ। କ୍ରୋଧିତ ହୋଇ ସେ କାଉମାନଙ୍କୁ ଅଭିଶାପ ଦେଇଥିଲେ ଯେ ସେମାନଙ୍କୁ କେବେ ମନ୍ଦିର ପରିସରରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ ।
କେବଳ ନନ୍ଦୀଙ୍କ ମୂର୍ତ୍ତି ନୁହେଁ ବରଂ ଆଉ ଏକ ଶିବଲିଙ୍ଗ ମଧ୍ୟ ରହିଛି । ଯାହାକୁ କଳିଯୁଗର ଶେଷ ହେବାର ପ୍ରତୀକ ଭାବରେ ବିବେଚନା କରାଯାଏ । ଯାହା ଗୁଜୁରାଟର ମୃଦେଶ୍ୱର ମନ୍ଦିରରେ ଅବସ୍ଥିତ। ବିଶ୍ୱାସ କରାଯାଏ ଯେ ଏହି ଶିବଲିଙ୍ଗର ଆକାର ମଧ୍ୟ ନିରନ୍ତର ବୃଦ୍ଧି ପାଉଛି, ଯାହା ବର୍ଦ୍ଧିତ ପାପର ପ୍ରତୀକ । କୁହାଯାଏ ଯେଉଁଦିନ ଏହି ଶିବଲିଙ୍ଗ ୮୦ ଫୁଟ ଉଚ୍ଚତାର ହେବ ଏବଂ ମନ୍ଦିରର ଛାତକୁ ସ୍ପର୍ଶ କରିବ ସେହି ଦିନ କଳିଯୁଗ ଶେଷ ପର୍ଯ୍ୟାୟରେ ପହଞ୍ଚିବ । ଯଦି ଆମେ ଏହାର ବୃଦ୍ଧି ହାର ବିଚାର କରିବା, ତେବେ ଏହା ପ୍ରତିବର୍ଷ କେବଳ ଏକ ଚାଉଳ ଦାନା ଆକାରରେ ବୃଦ୍ଧି ପାଏ । ତେଣୁ, ୮୦ ଫୁଟ ଉଚ୍ଚତାରେ ପହଞ୍ଚିବାକୁ ଲକ୍ଷ ଲକ୍ଷ ବର୍ଷ ଲାଗିପାରେ ।ଏହି ଶିବଲିଙ୍ଗର ଆଉ ଏକ ବିଶେଷତ୍ୱ ହେଉଛି ଏଥିରୁ ନିରନ୍ତର ଜଳଧାର ପ୍ରବାହିତ ହେଉଛି। ଆଶ୍ଚର୍ଯ୍ୟର କଥା, ଏହି ପ୍ରବାହ ପାଗ ଦ୍ୱାରା ପ୍ରଭାବିତ ହୁଏ ନାହିଁ ।