
Water Accumulating Fridge: ଫ୍ରିଜ୍ରୁ ପାଣି ବାହାରୁଛି କି? ଏହି ୫ଟି ଭୁଲ୍ ପାଇଁ ହୋଇପାରେ ସମସ୍ୟା
ଫ୍ରିଜ୍ ଆମ ଦୈନନ୍ଦିନ ଜୀବନର ଏକ ଅତ୍ୟାବଶ୍ୟକ ଘରୋଇ ଉପକରଣ। ଖାଦ୍ୟକୁ ଦୀର୍ଘ ସମୟ ତାଜା ରଖିବାଠାରୁ ଆରମ୍ଭ କରି ପରିବା, ଫଳ ଓ ଦୁଗ୍ଧଜାତୀୟ ଖାଦ୍ୟ ସଂରକ୍ଷଣ ପର୍ଯ୍ୟନ୍ତ ଫ୍ରିଜ୍ର ଭୂମିକା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଅନେକ ସମୟରେ ଫ୍ରିଜ୍ରେ ଏକ ସମସ୍ୟା ଦେଖାଯାଏ, ଯାହାକୁ ଲୋକେ ସାଧାରଣ ଭାବି ଅଣଦେଖା କରିଦିଅନ୍ତି । ତାହା ହେଉଛି—ପରିବା ରଖୁଥିବା ଟ୍ରେ ବା ଡ୍ରୟାର୍ ତଳେ ବାରମ୍ବାର ପାଣି ଜମିବା । ଆରମ୍ଭରେ ଏହି ପାଣିକୁ ସଫା କରିଦେଲେ ସମସ୍ୟା ସମାଧାନ ହୋଇଗଲା ବୋଲି ଲାଗେ । ଯଦି କିନ୍ତୁ ପୁଣି ପାଣି ଜମୁଛି, ତେବେ ଏହା ଫ୍ରିଜ୍ ଭିତରେ ଥିବା କୌଣସି ସମସ୍ୟାର ସଙ୍କେତ ହୋଇପାରେ । ତେଣୁ ଏହାର କାରଣ ଜାଣିବା ଜରୁରୀ ।
୧. ଡ୍ରେନ୍ ହୋଲ୍ ବନ୍ଦ ହୋଇଯିବା :
ସବୁଠାରୁ ମୁଖ୍ୟ କାରଣ ହେଉଛି ଫ୍ରିଜ୍ର ଡ୍ରେନ୍ ହୋଲ୍ ବ୍ଲକ୍ ହୋଇଯିବା। ଫ୍ରିଜ୍ର ଭିତର ପଛ ପଟେ କିମ୍ବା ପରିବା ଟ୍ରେ ତଳେ ଏକ ଛୋଟ ଡ୍ରେନ୍ ହୋଲ୍ ଥାଏ, ଯାହା ଦ୍ୱାରା ଡିଫ୍ରୋଷ୍ଟ ପ୍ରକ୍ରିୟା ସମୟରେ ତିଆରି ହେଉଥିବା ପାଣି ବାହାରକୁ ବୋହିଯାଏ । ଯଦି ଖାଦ୍ୟର କିଛି ଅଂଶ, ମଇଳା କିମ୍ବା ବରଫ ଜମିଯାଏ ତେବେ ପାଣି ବାହାରକୁ ନଯାଇ ଟ୍ରେ ତଳେ ଜମା ହୁଏ । ତେଣୁ ଫ୍ରିଜ୍ ବନ୍ଦ କରି ଡ୍ରେନ୍ ହୋଲ୍କୁ ଉଷୁମ ପାଣି ଦ୍ୱାରା ସଫା କରନ୍ତୁ। ଯଦି ବରଫ ଜମିଛି, ତେବେ ତାହାକୁ ଜବରଦସ୍ତି ନ ଖୋଳି ନିଜେ ତରଳିବାକୁ ଦିଅନ୍ତୁ।
୨. ଫ୍ରିଜ୍ କବାଟର ରବର ସିଲ୍ ଖରାପ ହେବା :
ଯଦି ଫ୍ରିଜ୍ କବାଟ ସମ୍ପୂର୍ଣ୍ଣ ବନ୍ଦ ହେଉନାହିଁ, ତେବେ ବାହାରର ଗରମ ପବନ ଭିତରକୁ ପ୍ରବେଶ କରିଥାଏ । ଫଳରେ ଏହି ଗରମ ପବନର ଆର୍ଦ୍ରତା ଥଣ୍ଡା ପୃଷ୍ଠ ସଂସ୍ପର୍ଶରେ ଆସି ପାଣି ଟୋପାରେ ପରିଣତ ହୋଇ ତଳେ ଜମା ହୁଏ । ତେଣୁ କବାଟର ରବର ସିଲ୍କୁ ସାବୁନ୍ ପାଣିରେ ସଫା କରନ୍ତୁ । ଯଦି ରବର ଢିଲା, ଫାଟିଗଲାଣି କିମ୍ବା ବଙ୍କା ହୋଇଯାଇଛି, ତେବେ ଏହାକୁ ବଦଳାଇ ଦିଅନ୍ତୁ ।
୩. ଭୁଲ୍ ତାପମାତ୍ରା ସେଟିଂ:
ଫ୍ରିଜ୍ର ତାପମାତ୍ରା ସାଧାରଣତଃ ୪°ସେଲ୍ସିୟସ୍ ରହିବା ଉଚିତ୍ । ତାପମାତ୍ରା ଖୁବ୍ କମ୍ ରହିବା ଦ୍ବାରା ଫ୍ରିଜରେ ବରଫ ଜମିଯାଏ ଏବଂ ପରେ ତାହା ତରଳି ପାଣି ହୋଇଯାଏ । ତାପମାତ୍ରା ଅଧିକ ରହିଲେ କୁଲିଂ ଏବଂ ଆର୍ଦ୍ରତା ନିୟନ୍ତ୍ରଣ ଉପରେ ପ୍ରଭାବ ପକାଇଥାଏ ।
୪. ଗରମ ଖାଦ୍ୟ କିମ୍ବା ଖୋଲା ବାସନ ରଖିବା :
ଗରମ ଖାଦ୍ୟ ସିଧାସଳଖ ଫ୍ରିଜ୍ରେ ରଖିଲେ ସେଥିରୁ ନିର୍ଗତ ହେଉଥିବା ବାଷ୍ପ ଥଣ୍ଡା ହୋଇ ପାଣି ଟୋପାରେ ପରିଣତ ହୁଏ । ତେଣୁ ଖାଦ୍ୟକୁ ପ୍ରଥମେ ବାହାରେ ଥଣ୍ଡା ହେବାକୁ ଦିଅନ୍ତୁ ଏବଂ ସବୁବେଳେ ଖାଦ୍ୟକୁ ଘୋଡାଇ ଫ୍ରିଜ୍ରେ ରଖନ୍ତୁ ।
୫. ଫ୍ରିଜ୍ରେ ଅତ୍ୟଧିକ ସାମଗ୍ରୀ ଭର୍ତ୍ତି କରିବା :
ସେହିପରି ଫ୍ରିଜ୍କୁ ଅତ୍ୟଧିକ ଭର୍ତ୍ତି କରି ରଖିବା ମଧ୍ୟ ଠିକ୍ ନୁହେଁ । ପରିବା ଏବଂ ଅନ୍ୟାନ୍ୟ ଜିନିଷ ଦ୍ୱାରା ଫ୍ରିଜ୍କୁ ଅଧିକ ଭର୍ତ୍ତି କଲେ ଥଣ୍ଡା ପବନର ଚଳାଚଳ ଠିକ୍ ଭାବେ ହୋଇପାରି ନଥାଏ । ଯାହାଦ୍ୱାରା କିଛି ଅଂଶରେ ଅଧିକ ପାଣି ଜମା ହୋଇପାରେ । ଏଥିସହ Air Vents ସାମ୍ନାରେ ଜିନିଷ ରଖନ୍ତୁ ନାହିଁ ।
ଯଦି ଏସବୁ ଯାଞ୍ଚ କରିବା ପରେ ମଧ୍ୟ ପରିବା ଟ୍ରେ ତଳେ ବାରମ୍ବାର ପାଣି ଜମୁଛି, ତେବେ ସମସ୍ୟା ଡ୍ରେନେଜ୍ ସିଷ୍ଟମ୍, ଡିଫ୍ରଷ୍ଟ ସିଷ୍ଟମ୍ କିମ୍ବା ଅନ୍ୟ କୌଣସି ଭିତର ଯାନ୍ତ୍ରିକ ଅଂଶ ସହ ଜଡ଼ିତ ହୋଇପାରେ । ଏପରି ପରିସ୍ଥିତିରେ ନିଜେ ଫ୍ରିଜ୍ ଖୋଲି ମରାମତି କରିବା ବଦଳରେ ଜଣେ ଟେକ୍ନିସିଆନ୍ଙ୍କ ସହାୟତା ନେବା ନିହାତି ଆବଶ୍ୟକ ।