ମନୋରଞ୍ଜନ

Rahul Roy: ପୁଣି ଚର୍ଚ୍ଚାରେ ଲୋକପ୍ରିୟ ଷ୍ଟାର୍ ରାହୁଲ ରାୟ,ବିବାହ ଉତ୍ସବରେ ନାଚି ପେଟ ପୋଷୁଛନ୍ତି ଅଭିନେତା

୯୦ ଦଶକରେ ନିଜର ଚକଲେଟି ଇମେଜ ଏବଂ ଦମଦାର ସ୍କ୍ରିନ୍ ପ୍ରେସେଞ୍ଜ ମାଧ୍ୟମରେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତିଥିବା ଅଭିନେତା ରାହୁଲ ରାୟ ପୁଣିଥରେ ଶିରୋନାମାରେ ରହିଛନ୍ତି । ଗୋଟିଏ ବିବାହ ଉତ୍ସବରେ ସେ ନାଚୁଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍  ଭାଇରାଲ ହେବାରେ ଲାଗିଛି ଏବଂ ଲୋକଙ୍କ ପ୍ରତିକ୍ରିୟା ଖୁବ୍ ମାତ୍ରାରେ ଦେଖିବାକୁ ମିଳୁଛି । କିନ୍ତୁ ଏବେ ଅଭିନେତା ନିଜେ ପ୍ରକାଶ କରିଛନ୍ତି ଯେ, ଏହି କାର୍ଯ୍ୟକ୍ରମରେ ପରଫରମାନ୍ସ କରିବା କେବଳ ମନୋରଞ୍ଜନ ନୁହେଁ ବରଂ ତାଙ୍କ ଜୀବନ ଏବଂ କ୍ୟାରିଅରକୁ ପୁଣି ଥରେ ଠିଆ କରିବାର ଏକ ପ୍ରୟାସ ।

ଏହାରି ମଧ୍ୟରେ ଅଭିନେତା ରାହୁଲ ରାୟ ତାଙ୍କ ବର୍ତ୍ତମାନ ପରିସ୍ଥିତି ସମ୍ପର୍କରେ ଖୋଲାଖୋଲି ଭାବେ କହିଛନ୍ତି । ଅଭିନେତାଙ୍କ କହିବା ମୁତାବକ, ୨୦୨୦ ରେ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା । ଯାହା ପରେ ତାଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳି ଯାଇଥିଲା । ଲମ୍ବା ସମୟ ପର୍ଯ୍ୟନ୍ତ ତାଙ୍କର ଚିକିତ୍ସା ଏବଂ ସୁସ୍ଥତା ପାଇଁ ଫିଲ୍ମରୁ ଦୂରେଇ ରହିଥିଲେ ଏବଂ କାମ ମଧ୍ୟ ଅଟକିଗଲା । ଏବେ ସେ ଧୀରେ ଧୀରେ ପୁଣି ଇଣ୍ଡଷ୍ଟ୍ରି ସ୍ବତନ୍ତ୍ର ସ୍ଥାନ ନେବା ପାଇଁ ଚେଷ୍ଟା କରୁଛନ୍ତି । ଏଥିସହ ରାହୁଲ କହିଛନ୍ତି ସେହି ୫ ବର୍ଷ ତାଙ୍କ ପାଇଁ ସ୍ଥିରତା ସହ ଥିଲା । ଏହି ସମୟରେ ତାଙ୍କର ସ୍ବାସ୍ଥ୍ୟରେ ଉନ୍ନତି ଆସିବା ମୁଖ୍ୟ ଲକ୍ଷ୍ୟ ଥିଲା । ଏବେ ପୁଣି ଥରେ କ୍ୟାମେରା ସାମ୍ନାକୁ ଆସିବାର ସୁଯୋଗ ମିଳୁଥିବାରୁ ସେ ଏହାକୁ ସକରାତ୍ମକ ମନୋଭାବରେ ଦେଖୁଛନ୍ତି  । ଅଭିନେତା କହିଛନ୍ତି ଯେ ଏହି କଷ୍ଟକର ସମୟରେ ମଧ୍ୟ ଯେଉଁମାନେ ତାଙ୍କ ଉପରେ ବିଶ୍ୱାସ କରି କାମ ଯୋଗାଇ ଦେଉଛନ୍ତି ସେମାନଙ୍କ ପ୍ରତି ସେ କୃତଜ୍ଞ ।

ରାୟୁଲ ରାୟ ମଧ୍ୟ ତାଙ୍କ ଆର୍ଥିକ ପରିସ୍ଥିତି ବିଷୟରେ ସ୍ପଷ୍ଟ ଭାବେ କହିଥିଲେ । ଅନେକ ଆର୍ଥିକ ଦାୟିତ୍ବ ଅଛି ଏବଂ ଖର୍ଚ୍ଚ ପୂରଣ କରିବା ପାଇଁ ଟଙ୍କା ରୋଜଗାର କରିବାକୁ ପଡିବ ବୋଲି ସେ କହିଛନ୍ତି । ତେଣୁ ସେ ବିବାହ ଉତ୍ସବରେ ପରଫରମାନ୍ସ କରୁଛନ୍ତି । ସେ ଗୋଟିଏ ପରଫରମାନ୍ସରୁ ୨ ଲକ୍ଷରୁ ୪ ଲକ୍ଷ ଟଙ୍କା ରୋଜଗାର କରନ୍ତି । ଯାହା ଦ୍ବାରା ସେ ଟ୍ରୋଲର ଶୀକାର ହୋଇଥିଲେ । ଏହା ବ୍ୟତୀତ ଅଭିନେତା ମଧ୍ୟ ଆଉ ଏକ କଥା ପ୍ରକାଶ କରିଛନ୍ତି ଯେ, ଗତ କିଛି ବର୍ଷ ଧରି ପ୍ରାୟ ୩୦ ଲକ୍ଷ ଟଙ୍କା ସହିତ ଜଡିତ ଏକ ଆଇନଗତ ମାମଲା ସାମ୍ନା କରୁଛନ୍ତି । ଏହି ମାମଲାର ସମାଧାନ ପାଇଁ ସେ ତାଙ୍କ ଭାଇଙ୍କ ସହ କାମ କରୁଛନ୍ତି । କିଛି ବର୍ଷ ପୂର୍ବରୁ ସେ ଛାଡପତ୍ରର ମଧ୍ୟ ସାମ୍ନା କରିଥିଲେ ଏବଂ ସେହି ସମୟରେ ତାଙ୍କ ସମ୍ପତ୍ତି ସ୍ତ୍ରୀଙ୍କୁ ହସ୍ତାନ୍ତର କରିଥିଲେ । କିନ୍ତୁ ଏବେ ପୁଣି କ୍ୟାରିଅର ଗଢିବା ଏବଂ ଆର୍ଥିକ ପରିସ୍ଥିତିକୁ ସୁଦୃଢ କରିବାକୁ ଆଗକୁ ବଢୁଛନ୍ତି ।

ଅନ୍ୟପଟେ ସ୍ବାସ୍ଥ୍ୟଗତ ସମସ୍ୟା ସତ୍ତ୍ବେ ରାୟୁଲ ରାୟ ଏବେ ପୁଣିଥରେ ଅଭିନୟକୁ ଫେରିବାକୁ ଚେଷ୍ଟା କରୁଛନ୍ତି । ସେ ଏବେ ତାଙ୍କର ପରବର୍ତ୍ତୀ ପ୍ରୋଜେକ୍ଟ “ସୁପର ବାଦଶାହା” ପାଇଁ ପ୍ରସ୍ତୁତ ହେଉଛନ୍ତି । ରାହୁଲ ଏହି କୁକୁ ଟିଭି ଶୋ’ରେ ଜଣେ ଅଣ୍ଡରୱାର୍ଲ୍ଡ ଡନ୍ ଭୂମିକାରେ ଅଭିନୟ କରିବେ, ଯେଉଁଥିରେ କରଣବୀର ବୋହରା ମଧ୍ୟ ଅଭିନୟ କରିଛନ୍ତି ।

ରାହୁଲ ରୟ ୧୯୯୦ ମସିହାରେ “ଆଶିକି” ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ । ସେ ଏହି ଚଳଚ୍ଚିତ୍ରରେ ଅନୁ ଅଗ୍ରୱାଲଙ୍କ ସହ ଅଭିନୟ କରିଥିଲେ । ମହେଶ ଭଟ୍ଟଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଏକ ବଡ଼ ହିଟ୍ ହୋଇଥିଲା ଏବଂ ରାହୁଲ ଶୀଘ୍ର ଯୁବ ଦର୍ଶକଙ୍କ ମଧ୍ୟରେ ଲୋକପ୍ରିୟ ହୋଇଯାଇଥିଲେ । ୨୦୦୭ ମସିହାରେ, ରାହୁଲ ରୟ ରିଆଲିଟି ଶୋ “ବିଗ୍ ବସ୍”ର ପ୍ରଥମ ସିଜିନରେ ଅଂଶଗ୍ରହଣ କରିଥିଲେ ଏବଂ ବିଜୟୀ ହୋଇଥିଲେ ।

Leave a Reply

Your email address will not be published. Required fields are marked *

Back to top button