ରାଜ୍ୟ

ଓଡ଼ିଶାରେ ପାରମ୍ପରିକ ବିହନ ସଂରକ୍ଷଣରେ ଆଦିବାସୀ ସମ୍ପ୍ରଦାୟର ଭୂମିକା ଗୁରୁତ୍ବପୂର୍ଣ୍ଣ

ସମଗ୍ର ଓଡ଼ିଶାରେ, ଆଦିବାସୀ ଚାଷୀମାନେ ଦେଶୀ ବିହାନଗୁଡ଼ିକୁ ସଂରକ୍ଷଣ କରି ରଖି ଆସିଛନ୍ତି । ଏହି ଦେଶୀ ବିହନ ଖାଦ୍ୟ ସମ୍ବନ୍ଧୀୟ ପରମ୍ପରାକୁ ବଞ୍ଚାଇ ରଖିବା ସହ ଫସଲର ବିବିଧତାକୁ ସୁରକ୍ଷା ଦେଇଥାଏ ଏବଂ ଅନିଶ୍ଚିତ ପାଣିପାଗ ସହ ଖାପ ଖୁଆଇ ଅମଳ ଦେଇଥାଏ ।

ଓଡ଼ିଶାର କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଗୋନାସିକା ପାହାଡ଼ରେ ସୂର୍ଯ୍ୟୋଦୟ ହେବା ପୂର୍ବରୁ ୫୪ ବର୍ଷୀୟ ପାର୍ମେଧେନୁ ଜୁଆଙ୍ଗ ନିଜ କ୍ଷେତରେ ପହଞ୍ଚି ସାରିଥାନ୍ତି। ସେ ମୁଠାଏ ମାଣ୍ଡିଆ ଉଠାଇ ତାହାର ରଙ୍ଗ, ଓଜନ ଏବଂ ଆକାର ପରୀକ୍ଷା କରନ୍ତି।   ତାଙ୍କ ପାଇଁ, ମଞ୍ଜି କେବଳ ଶସ୍ୟ ନୁହେଁ; ଏଥିରେ ପିଢ଼ି ପରେ ପିଢ଼ିର ଜ୍ଞାନ ସାଇତା ହୋଇ ରହିଥାଏ। ସେ କୁହନ୍ତି, “ଦେଶୀ ମଞ୍ଜିଗୁଡ଼ିକ ଜୀବନ୍ତ ପ୍ରାଣୀଙ୍କ ପରି। ଯଦି ସେଗୁଡ଼ିକର ଯତ୍ନ ନିଆଯାଏ, ତେବେ ସେଗୁଡ଼ିକ ସୁସ୍ଥ ଓ ଶକ୍ତ ରହନ୍ତି। କିନ୍ତୁ ଯଦି ଏଗୁଡ଼ିକୁ ସାଇତି ରଖିବାରେ ଅବହେଳା କରାଯାଏ, ତେବେ ସେଗୁଡ଼ିକ ଧୀରେ ଧୀରେ ବିଲୁପ୍ତ ହୋଇ ଯାଆନ୍ତି।”

ଇରୁଡ଼ା ଗ୍ରାମରେ, ଜୁଆଙ୍ଗଙ୍କ ପରିବାର ଅତିକମରେ ତିନି ପିଢ଼ି ଧରି ପାରମ୍ପରିକ ମଞ୍ଜିଗୁଡ଼ିକୁ ସଂରକ୍ଷଣ କରି ଆସୁଛନ୍ତି। ଏଗୁଡ଼ିକ ମଧ୍ୟରେ ମାଣ୍ଡିଆ, ଜହ୍ନା, ବାଜରା, ବିଭିନ୍ନ ପ୍ରକାରର ଡାଲି ଏବଂ ଧାନ ଅନ୍ତର୍ଭୁକ୍ତ। ଆଦିବାସୀ ସମ୍ପ୍ରଦାୟ ଦ୍ୱାରା ପୂର୍ବେ ଚାଷ କରାଯାଉଥିବା ଅନେକ କିସମ ବର୍ତ୍ତମାନ ଲୋପ ପାଇବାରେ ଲାଗିଛି।

‘ସବୁଜ ବିପ୍ଳବ’ (Green Revolution) ଭାରତୀୟ କୃଷି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିଲା। ଅଧିକ ଅମଳକ୍ଷମ ମଞ୍ଜି ଏବଂ ରାସାୟନିକ ସାର ଓ କୀଟନାଶକ ନିର୍ଭର ଚାଷ ପ୍ରଣାଳୀ ଅଧିକ ଭାବରେ ପ୍ରଚଳିତ ହେଲା। ଗହମ ଏବଂ ଧାନ ମୁଖ୍ୟ ଫସଲରେ ପରିଣତ ହେଲା, ଫଳରେ ପାରମ୍ପରିକ ଫସଲ କିସମଗୁଡ଼ିକ ଉପରେ ଧ୍ୟାନ କମିଆସିଲା। ତଥାପି, ଏହି ଦେଶୀ ମଞ୍ଜିଗୁଡ଼ିକର ମୂଲ୍ୟ ଅପାର। ଚାଷୀମାନେ ପିଢ଼ି ପରେ ପିଢ଼ି ଧରି ସ୍ଥାନୀୟ ମାଟି, ବର୍ଷା ପରିମାଣ, ଭୂ-ପୃଷ୍ଠର ଉଚ୍ଚତା ଏବଂ ଖାଦ୍ୟ ଅଭ୍ୟାସ ଅନୁଯାୟୀ ଉପଯୁକ୍ତ ଫସଲ କିସମଗୁଡ଼ିକୁ ବାଛି ଆସିଛନ୍ତି ଏବଂ ଏହି ଜ୍ଞାନକୌଶଳକୁ ବଂଚାଇ ରଖିଛନ୍ତି ।

ସାଧାରଣତଃ ଚାଷୀମାନେ ସୁସ୍ଥ ଗଛଗୁଡ଼ିକରୁ ଶସ୍ୟ ବାଛନ୍ତି ଏବଂ ଆଂଶିକ ଛାଇରେ ସତର୍କତାର ସହିତ ଶୁଖାଇ ଥାଆନ୍ତି। ସେମାନେ ରଙ୍ଗ, ଆକାର, ଆକୃତି, ଓଜନ, ସ୍ୱାଦ ଏବଂ ସୁଗନ୍ଧ ମାଧ୍ୟମରେ କିସମଗୁଡ଼ିକୁ ଚିହ୍ନଟ କରନ୍ତି। ଏହି ଜ୍ଞାନର ଅଧିକାଂଶ ଅଂଶ ଗୋଟିଏ ପିଢ଼ିରୁ ଅନ୍ୟ ପିଢ଼ିକୁ ମୌଖିକ ଭାବରେ ପ୍ରସାରିତ ହୋଇଥାଏ ।

ପଡ଼ୋଶୀ ମୟୂରଭଞ୍ଜ ଜିଲ୍ଲାରେ, ସାନ୍ତାଳ ଚାଷୀ ସୁବାସା ମହାନ୍ତ ଏକ ଭିନ୍ନ ପ୍ରକାରର ଆହ୍ୱାନର ସମ୍ମୁଖୀନ ହେଉଛନ୍ତି। ୫୪ ବର୍ଷୀୟ ସୁବାସା ଯଶିପୁର ବ୍ଲକର ଗୋଇଲି ଗାଁରେ ରହନ୍ତି। ସେ ସେହି ଅଂଚଳର  ‘ମାଣ୍ଡିଆ ମା’ ଭାବରେ ପରିଚିତ, ବର୍ଷ ବର୍ଷ ଧରି ପାରମ୍ପରିକ ମାଣ୍ଡିଆ କିସମଗୁଡ଼ିକୁ ସଂରକ୍ଷଣ କରିଆସୁଛନ୍ତି।

ସେ ନିଜର ଅନୁଭୂତିରୁ କହନ୍ତି, ଘର ତିଆରି ଶୈଳୀରେ ପରିବର୍ତ୍ତନ ଆସିବା ଯୋଗୁଁ ମଞ୍ଜି ସଂରକ୍ଷଣ କରିବା ଅଧିକ କଷ୍ଟକର ହୋଇପଡ଼ିଛି। ପୂର୍ବରୁ, ପରିବାରଗୁଡ଼ିକ ବାଉଁଶ ଟୋକେଇ, ମାଟି ପାତ୍ର ଏବଂ ହାତ ତିଆରି ପାତ୍ରରେ ମଞ୍ଜି ସଂରକ୍ଷଣ କରି ରଖୁଥିଲେ; ଯେଉଁଥିରେ ପାଉଁଶ ଏବଂ ଶୁଖିଲା ନିମ୍ବ ପତ୍ର ମିଶାଯାଉଥିଲା। ମାଟି ଘରଗୁଡ଼ିକ ଭିତରକୁ ଥଣ୍ଡା ରଖିବାରେ ସାହାଯ୍ୟ କରୁଥିଲା।  କିନ୍ତୁ କଂକ୍ରିଟ୍ ଘର (ସିମେଣ୍ଟ ଘର) ଏହି ପରିସ୍ଥିତିକୁ ବଦଳାଇ ଦେଇଛି। ସୁବାସା କୁହନ୍ତି, “ସିମେଣ୍ଟ ଘର ଭିତରେ ତାପମାତ୍ରା ଶୀଘ୍ର ବଢ଼ିଯାଏ ଏବଂ ପୋକଜୋକ ମଧ୍ୟ ଶୀଘ୍ର ହେବାର ସମ୍ଭାବନା ଥାଏ ।”

ତେଣୁ ସେ ବର୍ତ୍ତମାନ ନିଜ ପାଖରେ ଗଚ୍ଛିତ ଥିବା ମଞ୍ଜିଗୁଡ଼ିକୁ ବାରମ୍ବାର ଯାଞ୍ଚ କରନ୍ତି। ମଞ୍ଜି ଆଦାନ ପ୍ରଦାନ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପରମ୍ପରା ହୋଇ ରହିଛି। ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ମାଣ୍ଡିଆ ଅମଳ ହେବା ପରେ, ସେ ପଡ଼ୋଶୀ ଘରର ମହିଳାମାନଙ୍କ ସହିତ ବିହନ ବାଣ୍ଟିଥାନ୍ତି। ଏହି ଆଦାନ ପ୍ରଦାନ ଚାଷୀମାନଙ୍କୁ ବିଭିନ୍ନ କିସମର ବିହନ ପାଇବାରେ ସାହାଯ୍ୟ କରେ ଏବଂ ସେଗୁଡ଼ିକର ପ୍ରଚଳନ ବଜାୟ ରଖେ।

ସେ କୁହନ୍ତି, “ମାତ୍ର ମୁଠାଏ ବିହନ ଯଥେଷ୍ଟ। ବିହନର ଗତିଶୀଳତା ରହିବା ଆବଶ୍ୟକ, ନଚେତ୍ ସଂରକ୍ଷିତ ଅବସ୍ଥାରେ ହିଁ ଏହା ନଷ୍ଟ ହୋଇଯାଏ।” ଖାଦ୍ୟ, ପର୍ବପର୍ବାଣି ଏବଂ ଜଳବାୟୁ ପରିବର୍ତ୍ତନ ସହ ଖାପ ଖୁଆଇ ଚଳିବାର କ୍ଷମତା ଦକ୍ଷିଣ ଓଡ଼ିଶାରେ, ପାରମ୍ପରିକ ବିହନଗୁଡ଼ିକ ପରଜା ଆଦିବାସୀ ସମ୍ପ୍ରଦାୟର ସାଂସ୍କୃତିକ ଜୀବନ ସହିତ ଘନିଷ୍ଠ ଭାବରେ ଜଡ଼ିତ। ରାୟଗଡ଼ା ଜିଲ୍ଲାର ସିରିଗୁଡ଼ା ଗାଁର ଚାଷୀ ଅଭିରାମ ଝୋଡ଼ିଆଙ୍କ ମତରେ, ପର୍ବପର୍ବାଣୀ ଏବଂ ସାମୁହିକ ସମାବେଶଗୁଡ଼ିକ ପାଇଁ ଏହି ବହିନଗୁଡ଼ିକ ଅତ୍ୟନ୍ତ ଆବଶ୍ୟକ।

ପ୍ରକୃତି, ସ୍ଥାନୀୟ ପରିସ୍ଥିତି ଅନୁଯାୟୀ ଖାପ ଖାଇ ପାରୁଥିବା ବିହନଗୁଡ଼ିକ ଚାଷୀମାନଙ୍କୁ ଜଳବାୟୁ ପରିବର୍ତ୍ତନ ମୁକାବିଲା କରିବାରେ ସାହାଯ୍ୟ କରିପାରେ।

ଜୁଆଙ୍ଗ କୁହନ୍ତି ଯେ, ବର୍ଷା କମ୍ ହେଲେ ମଧ୍ୟ ତାଙ୍କ ପରିବାର ଦ୍ବାରା ସଂଗୃହୀତ ହୋଇ ବ୍ୟବହାର ହୋଇଥିବା ବିହନଗୁଡ଼ିକ ଫସଲ ଯୋଗାଇଥାଏ। ଫସଲ ଅମଳ ହୁଏତ କମ୍ ହୋଇପାରେ, କିନ୍ତୁ ତାହା ପରିବାରର ଆବଶ୍ୟକତା ପୂରଣ କରିବାରେ ସହାୟକ ହୋଇଥାଏ।

ସେ କୁହନ୍ତି, “ଆମ ଜମିରେ ଆମ ଦେଶୀ ବିହନଗୁଡ଼ିକ ଭଲ ଭାବରେ ବଢ଼ିଥାଏ। ଯଦି ବର୍ଷା ବିଳମ୍ବରେ ଆସେ କିମ୍ବା ବହୁତ କମ୍ ହୁଏ, ତଥାପି ଏଗୁଡ଼ିକ ବଢ଼ିଥାଏ ଏବଂ ଆମକୁ ଖାଦ୍ୟ ଯୋଗାଇ ଥାଏ।”

ତଥାପି, ବିହନ ସଂରକ୍ଷଣ କରିବା ପାଇଁ ଶସ୍ୟ ସଂରକ୍ଷଣ କରିବା ଅପେକ୍ଷା ଅଧିକ ଆବଶ୍ୟକ। କିସମଗୁଡ଼ିକୁ ଚାଷ, ବିନିମୟ ଏବଂ ଖାଇବା ଜାରି ରଖିବାକୁ ପଡିବ। ନିୟମିତ ବ୍ୟବହାର ବିନା, ସତର୍କତାର ସହିତ ସଂରକ୍ଷଣ କରାଯାଇଥିବା ବିହନ ମଧ୍ୟ କୃଷି ପ୍ରଣାଳୀରୁ ଅଦୃଶ୍ୟ ହୋଇପାରେ।

ବର୍ତ୍ତମାନର ଚାଲେଞ୍ଜ ହେଉଛି କୃଷି ପଦ୍ଧତି ଏବଂ ଖାଦ୍ୟ ଅଭ୍ୟାସ ପରିବର୍ତ୍ତନ ହେବା ସହିତ ଏହି ଫସଲଗୁଡ଼ିକର ପ୍ରାସଙ୍ଗିକ ରଖିବା। ଯୁବ ପିଢ଼ିଙ୍କୁ ବିହନ ଚୟନ, ସଂରକ୍ଷଣ ଏବଂ ଚାଷ ପଛରେ ଥିବା ଜ୍ଞାନ ଶିଖିବା ପାଇଁ ସୁଯୋଗ ଆବଶ୍ୟକ।

ଜୁଆଙ୍ଗ, ମହାନ୍ତ ଏବଂ ଝୋଡିଆଙ୍କ ପାଇଁ, ପାରମ୍ପରିକ ବିହନ ସଂରକ୍ଷଣ କରିବା ଏବଂ ପୁନଃ ପୁନଃ ବ୍ୟବହାର କରିବା ହେଉଛି ସେମାନଙ୍କର ଏକ ସାଂସ୍କୃତିକ ପରମ୍ପରା । ଏହା ମାଧ୍ୟମରେ  ସେମାନେ ପୂର୍ବପୁରୁଷଙ୍କ ପାରମ୍ପରିକ ଜ୍ଞାନ, ଏବଂ ସମ୍ପ୍ରଦାୟ ପରମ୍ପରାର ସ୍ମୃତି ବହନ କରନ୍ତି।

ପ୍ରତ୍ୟେକ ସଂରକ୍ଷିତ ଶସ୍ୟ ଅନ୍ୟ ଏକ ଫସଲର ସମ୍ଭାବନା ବହନ କରେ। ଏହାଦ୍ୱାରା କୃଷକମାନେ ପିଢ଼ି ମାଧ୍ୟମରେ  ଜ୍ଞାନ ଆହରଣ କରି ଥାଆନ୍ତି । ଏହି ବିହନଗୁଡ଼ିକୁ ସୁରକ୍ଷା ଦେବାର ଅର୍ଥ ହେଉଛି ଭବିଷ୍ୟତ ପାଇଁ ସେହି ଜ୍ଞାନକୁ ଜୀବନ୍ତ ରଖିବା ।

Leave a Reply

Your email address will not be published. Required fields are marked *

Back to top button