
Diwali: ଦୀପାବଳିରେ ଗଣେଶଙ୍କ ଆଗରେ କାହିଁକି ଜଳେ ସୋରିଷ ତେଲ ଦୀପ?
ଆଲୋକର ପର୍ବ ଦୀପାବଳି । ମା’ ଲକ୍ଷ୍ମୀଙ୍କ ଆରାଧନା ସହ ଏହି ଦିନ ପୂଜା ପାଆନ୍ତି ବିଘ୍ନ ବିନାଶକ ଗଣେଶ । ଧନ, ସମୃଦ୍ଧି ଓ ସୁଖଶାନ୍ତିର କାମନା ନେଇ ଘରେ ଘରେ ହୁଏ ଲକ୍ଷ୍ମୀ-ଗଣେଶଙ୍କ ପୂଜା। ତେବେ ଆପଣ ଜାଣନ୍ତି କି, ଦୀପାବଳି ପୂଜାରେ ମା’ ଲକ୍ଷ୍ମୀଙ୍କ ସମ୍ମୁଖରେ ଘିଅ ଦୀପ ଏବଂ ଗଣେଶଙ୍କ ସମ୍ମୁଖରେ କାହିଁକି ଜଳାଯାଏ ସୋରିଷ ତେଲ ଦୀପ? ଏହା ପଛରେ ରହିଛି ଏକ ବିଶେଷ ଧାର୍ମିକ ମାନ୍ୟତା।
ପ୍ରଚଳିତ ପରମ୍ପରା ଅନୁସାରେ, ଦୀପାବଳି ଅମାବାସ୍ୟା ରାତିରେ ମା’ ଲକ୍ଷ୍ମୀଙ୍କ ସହ ପ୍ରଭୁ ଗଣେଶଙ୍କୁ ପୂଜା କରାଯାଏ। ଏହି ପୂଜାରେ ଖଇ ଓ ବତାସା ଭୋଗ ଲଗାଇବାର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି । ଖଇକୁ ସୁଖ, ସମୃଦ୍ଧି ଓ ଶୁଭତ୍ୱର ପ୍ରତୀକ ଭାବେ ଗ୍ରହଣ କରାଯାଏ। ସେହିପରି ବତାସା ପରିବାରରେ ମଧୁରତା, ଏକତା ଓ ସ୍ନେହର ପ୍ରତୀକ ବୋଲି ବିଶ୍ୱାସ ରହିଛି।
ସୋରିଷ ତେଲ ଦୀପର ମହତ୍ତ୍ୱ:
ଦୀପାବଳି ପୂଜାରେ ମା’ ଲକ୍ଷ୍ମୀଙ୍କ ସମ୍ମୁଖରେ ଶୁଦ୍ଧ ଘିଅର ଦୀପ ଏବଂ ଗଣେଶଙ୍କ ସମ୍ମୁଖରେ ସୋରିଷ ତେଲର ଦୀପ ଜଳାଇବାର ପରମ୍ପରା ରହିଛି। ଧାର୍ମିକ ବିଶ୍ୱାସ ଅନୁସାରେ, ଏହି ଦୀପ ଜୀବନରୁ ବାଧାବିଘ୍ନ ଦୂର କରିବା ସହ ପରିବାରରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିଥାଏ । ଆହୁରି ଏକ ବିଶେଷ ପରମ୍ପରା ହେଉଛି, ପୂଜା ପରେ ଦୀପର ଶିଖାରୁ କାଜଳ ପ୍ରସ୍ତୁତ କରାଯାଏ । ପରଦିନ ସକାଳେ ପରିବାର ସଦସ୍ୟ, ବିଶେଷକରି ଛୋଟ ପିଲାଙ୍କ ଆଖିରେ ଏହି କାଜଳ ଲଗାଯାଏ। ଏହା ଦ୍ୱାରା ଖରାପ ଦୃଷ୍ଟିରୁ ରକ୍ଷା ମିଳିବା ସହ ଗଣେଶଙ୍କ ଆଶୀର୍ବାଦ ମିଳେ ବୋଲି ଲୋକବିଶ୍ୱାସ ରହିଛି ।
ପୂଜାରେ ଗଣେଶଙ୍କ ମହତ୍ତ୍ୱ:
ଭଗବାନ ଗଣେଶଙ୍କୁ ବିଘ୍ନ ବିନାଶକ ଏବଂ ଜ୍ଞାନ ଓ ବିବେକର ଦେବତା ଭାବେ ପୂଜା କରାଯାଏ । ମା’ ଲକ୍ଷ୍ମୀ ଧନ, ଐଶ୍ୱର୍ଯ୍ୟ ଓ ସମୃଦ୍ଧି ପ୍ରଦାନ କରୁଥିବା ବେଳେ ଗଣେଶ ଉପାର୍ଜିତ ଧନର ସଠିକ୍ ବିନିଯୋଗ ପାଇଁ ଜ୍ଞାନ ଓ ବିବେକ ପ୍ରଦାନ କରନ୍ତି ବୋଲି ଧାର୍ମିକ ମାନ୍ୟତା ରହିଛି । ତେଣୁ ଦୀପାବଳିରେ ଲକ୍ଷ୍ମୀଙ୍କ ସହ ଗଣେଶଙ୍କ ପୂଜା ଏବଂ ତାଙ୍କ ସମ୍ମୁଖରେ ସୋରିଷ ତେଲ ଦୀପ ପ୍ରଜ୍ୱଳନର ବିଶେଷ ମହତ୍ତ୍ୱ ରହିଛି । ଧନ ସହିତ ଜ୍ଞାନ, ସମୃଦ୍ଧି ସହିତ ସଦବୁଦ୍ଧି ଏବଂ ଆଲୋକ ସହିତ ସୁଖଶାନ୍ତିର ବାର୍ତ୍ତା ଦିଏ ଦୀପାବଳି । ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ଭରିଦେଉ ସୁଖ, ଶାନ୍ତି ଓ ସମୃଦ୍ଧି ।