ମନୋରଞ୍ଜନ

Ayushmann Khurrana : ଅଭିନେତା ଆୟୁଷ୍ମାନ ଖୁରାନାଙ୍କୁ ଧମକ, ଲରେନ୍ସ ଗ୍ୟାଙ୍ଗ ନାଁରେ ମାଗିଲେ ଟଙ୍କା

ବଲିଉଡ୍ ଅଭିନେତା ଆୟୁଷ୍ମାନ ଖୁରାନାଙ୍କୁ ଧମକ ମିଳିଛି । ଅଭିନେତାଙ୍କୁ ଧମକପୂର୍ଣ୍ଣ ମେସେଜ ମିଳିବା ସହିତ ଟଙ୍କା ଦାବି କରାଯାଇଛି । ପୋଲିସକୁ ଏନେଇ ତଦନ୍ତ ଆରମ୍ଭ କରିଛି ।

ମୁମ୍ବାଇ ପୋଲିସ ସୂଚନା ଅନୁସାରେ, ଅଭିନେତାଙ୍କୁ ଏକ ଧମକପୂର୍ଣ୍ଣ ଅଡିଓ କ୍ଲିପ୍ ପଠାଯାଇଛି । ଏଥିରେ ମେସେଜ୍ ପଠାଇଥିବା ବ୍ୟକ୍ତି ନିଜକୁ ଲରେନ୍ସ ଗ୍ୟାଙ୍ଗର ସଦସ୍ୟ ବୋଲି ପରିଚୟ ଦେଇଛି । ଏଥିସହ କୋଟି କୋଟି ଟଙ୍କା ଦାବି କରାଯାଇଛି । ଘଟଣା ସମ୍ପର୍କରେ ଜାଣିବା ପରେ ମୁମ୍ବାଇ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଏପର୍ଯ୍ୟନ୍ତ ଏହି ମାମଲାରେ କୌଣସି ଏଫଆଇଆର୍ ରୁଜୁ ହୋଇନାହିଁ ।

ମୁମ୍ବାଇ ପୋଲିସର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ଆୟୁଷ୍ମାନ ଖୁରାନାଙ୍କୁ ମିଳିଥିବା ଅଡିଓ ମେସେଜରେ ଜଣେ ବ୍ୟକ୍ତି ନିଜକୁ ଲରେନ୍ସ ଗ୍ୟାଙ୍ଗ ସହ ଜଡ଼ିତ ବୋଲି କହିବା ସହ କୋଟି କୋଟି ଟଙ୍କା ଦାବି କରିଛି । ବର୍ତ୍ତମାନ ପୋଲିସ ଏହି ଅଡିଓ କ୍ଲିପର ଯାଞ୍ଚ କରୁଛି । ପ୍ରାଥମିକ ତଦନ୍ତରେ ମେସେଜ୍ ପଠାଇଥିବା ବ୍ୟକ୍ତିର ପରିଚୟ ଏବଂ ସତ୍ୟତା ଯାଞ୍ଚ କରାଯାଉଛି । ତେବେ ଧମକ ଦେଇଥିବା ବ୍ୟକ୍ତି କୌଣସି ଅପରାଧୀ ଗ୍ୟାଙ୍ଗ ସହ ଜଡ଼ିତ ନା ଗ୍ୟାଙ୍ଗର ନାଁ ବ୍ୟବହାର କରି ଅଭିନେତାଙ୍କୁ ଭୟଭୀତ କରିବାକୁ ଉଦ୍ୟମ କରିଛି, ସେନେଇ ତଦନ୍ତ ଚାଲିଛି ।

କିଛି ଦିନ ପୂର୍ବରୁ ବଲିଉଡ୍ ଅଭିନେତା ତୁଷାର କପୁରଙ୍କୁ ମଧ୍ୟ ଏଭଳି ଏକ ଧମକପୂର୍ଣ୍ଣ ଅଡିଓ ମେସେଜ୍ ମିଳିଥିଲା । ସେହି ମେସେଜ୍ ପଠାଇଥିବା ବ୍ୟକ୍ତି ନିଜକୁ ହ୍ୟାରି ବକ୍ସର ବୋଲି ପରିଚୟ ଦେଇଥିଲା । ତେବେ ପୋଲିସର ପ୍ରାଥମିକ ତଦନ୍ତରେ ଏହି ଅଡିଓ ନକଲି ହୋଇଥିବା ସନ୍ଦେହ କରାଯାଇଥିଲା ।

ଏହା ପୂର୍ବରୁ ଟାଇଗର ଶ୍ରଫଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା । ଏହି ଘଟଣାର ଦାୟିତ୍ୱ ଲରେନ୍ସ ଗ୍ୟାଙ୍ଗ ନେଇଥିବା ଦାବି କରାଯାଇଥିଲା । ଏହି ମାମଲାରେ ଏପର୍ଯ୍ୟନ୍ତ ୧୩ ଜଣ ଅଭିଯୁକ୍ତ ଗିରଫ ହୋଇଥିବାବେଳେ ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *

Back to top button