ଦେଶ ବିଦେଶ

Bombay HC to Imran Khan : ଇମ୍ରାନ ଖାନଙ୍କୁ ବମ୍ବେ ହାଇକୋର୍ଟଙ୍କ ତାଗିଦ୍, ବିନା ସର୍ତ୍ତରେ ମାଗିଲେ କ୍ଷମା

ଅଭିନେତା ଇମ୍ରାନ ଖାନଙ୍କୁ ମୁମ୍ବାଇ ପୋଲିସ ପକ୍ଷରୁ ଜାରି ହୋଇଥିବା ନୋଟିସ ମାମଲାରେ ବମ୍ବେ ହାଇକୋର୍ଟରେ ଶୁଣାଣି ହୋଇଛି । ଶୁଣାଣି ସମୟରେ ଅଦାଲତ ଇମ୍ରାନଙ୍କୁ ତାଗିଦ୍ କରିବା ସହ ଅଣ୍ଡରଟେକିଂ ଦେବା ଏବଂ ବିନା ସର୍ତ୍ତରେ କ୍ଷମା ମାଗିବାକୁ କହିଛନ୍ତି ।

ସୂଚନା ଅନୁସାରେ, ମୁମ୍ବାଇ ପୋଲିସ ଇମ୍ରାନ ଖାନଙ୍କୁ ଅକ୍ଟୋବର ୨୮ ସୁଦ୍ଧା ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦେଇ ଲିଭ୍ ଇଣ୍ଡିଆ ନୋଟିସ୍ ଜାରି କରିଥିଲା । ଏହାକୁ ସେ ବମ୍ବେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ପୂର୍ବ ଶୁଣାଣିରେ FRRO ପକ୍ଷରୁ ନଭେମ୍ବର ୨ ପର୍ଯ୍ୟନ୍ତ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାକୁ ଅଦାଲତଙ୍କୁ ଭରସା ଦିଆଯାଇଥିଲା ।

ଇମ୍ରାନଙ୍କ ପକ୍ଷରୁ ବରିଷ୍ଠ ଓକିଲ ଭେଙ୍କଟେଶ ଧୋଣ୍ଡ ଏବଂ ରାଜ୍ୟ ପକ୍ଷରୁ ସରକାରୀ ଓକିଲ ଅଞ୍ଜଳି ହେଲେକର ମାମଲାରେ ପକ୍ଷ ରଖିଥିଲେ । ମୁଖ୍ୟ ବିଚାରପତି ମହେଶ ଚନ୍ଦ୍ର ତ୍ରିପାଠୀଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଇମ୍ରାନଙ୍କ ବିରୋଧରେ ଦାଏର ହୋଇଥିବା FIRର ସ୍ଥିତି ସମ୍ପର୍କରେ ମଧ୍ୟ ସୂଚନା ମାଗିଥିଲେ ।

ଶୁଣାଣି ସମୟରେ ହାଇକୋର୍ଟ ଇମ୍ରାନଙ୍କୁ ପଚାରିଥିଲେ, ସେ ଭାରତୀୟ ନାଗରିକ ନୁହନ୍ତି ଏବଂ SIR ପ୍ରକ୍ରିୟା ଦ୍ୱାରା ପ୍ରଭାବିତ ନ ହେଲେ ଏହା ସମ୍ପର୍କିତ ପ୍ରତିବାଦରେ କାହିଁକି ଅଂଶଗ୍ରହଣ କରିଥିଲେ । ଏଭଳି ଆଚରଣ ଉତ୍ତେଜନା ସୃଷ୍ଟି କରିପାରେ ବୋଲି ଅଦାଲତ କହିଥିଲେ । ଏଥିସହ ଇମ୍ରାନ ପିଲାଦିନରୁ ଭାରତରେ ରହୁଥିବା, ଏଠାରେ ପାଠପଢ଼ିବା ଓ କାମ କରିଥିବାରୁ ଭାରତୀୟ ନାଗରିକତା ପାଇଁ କାହିଁକି ଆବେଦନ କରୁନାହାନ୍ତି ବୋଲି ହାଇକୋର୍ଟ ପ୍ରଶ୍ନ କରିଥିଲେ । ଯଦି ସେ OCI କାର୍ଡଧାରୀ ଭାବେ ଭାରତରେ ରହିବାକୁ ଚାହୁଁଛନ୍ତି, ତେବେ ଭବିଷ୍ୟତରେ ଏଭଳି ପ୍ରତିବାଦରେ ଅଂଶଗ୍ରହଣ କିମ୍ବା ଅନ୍ୟମାନଙ୍କୁ ଉତ୍ସାହିତ ନ କରିବାକୁ ଅଣ୍ଡରଟେକିଂ ଦେବାକୁ ପଡ଼ିବ ବୋଲି ଅଦାଲତ କହିଥିଲେ । କେବଳ ଅଣ୍ଡରଟେକିଂ ନୁହେଁ, ବରଂ ବିନା ସର୍ତ୍ତରେ କ୍ଷମା ମାଗିବାକୁ ମଧ୍ୟ ହାଇକୋର୍ଟ କହିଥିଲେ । ଜଣେ ସେଲିବ୍ରିଟିଙ୍କଠାରୁ ଏଭଳି ଆଚରଣ ଆଶା କରାଯାଏ ନାହିଁ ଏବଂ ଦେଶର ଲୋକଙ୍କୁ ଉତ୍ତେଜିତ କରିବା ଉଚିତ ନୁହେଁ ବୋଲି ଅଦାଲତ ମତ ଦେଇଥିଲେ ।

ଏହାପରେ ଇମ୍ରାନଙ୍କ ଓକିଲ ଅଦାଲତଙ୍କୁ ଜଣାଇଥିଲେ ଯେ, ତାଙ୍କ ମହକିଲ ଭବିଷ୍ୟତରେ ଏଭଳି କୌଣସି ପ୍ରତିବାଦରେ ସାମିଲ ହେବେ ନାହିଁ କିମ୍ବା ଅନ୍ୟ କାହାକୁ ଏଥିପାଇଁ ଉତ୍ସାହିତ କରିବେ ନାହିଁ । ଏହାପରେ ଇମ୍ରାନଙ୍କ ଓକିଲ ତାଙ୍କ ପକ୍ଷରୁ ବିନା ସର୍ତ୍ତରେ କ୍ଷମାପ୍ରାର୍ଥନା ପତ୍ର ଦାଖଲ କରିଥିଲେ ।

Leave a Reply

Your email address will not be published. Required fields are marked *

Back to top button