
Biryani and Cold Drinks: ବିରିୟାନୀ ଖାଇବା ପରେ ଭୁଲ୍ରେ ବି ପିଅନ୍ତୁନି କୋଲ୍ଡ ଡ୍ରିଙ୍କ୍ସ! ଶରୀର ଉପରେ ପଡ଼ିପାରେ ଖରାପ ପ୍ରଭାବ
ବିରିୟାନୀ ନାଁ ଶୁଣିଲେ ଅନେକଙ୍କ ମୁହଁରେ ଆସିଯାଏ ପାଣି । ଖାସ୍ କରି ଚିକେନ୍ ବିରିୟାନୀ ହେଉ କି ମଟନ୍ ବିରିୟାନୀ, ଖାଇବାର ମଜା କିଛି ଅଲଗା । ତେବେ ବିରିୟାନୀ ଖାଇବା ପରେ ଅନେକ ଲୋକ କୋଲ୍ଡ ଡ୍ରିଙ୍କ୍ସ ପିଇବାକୁ ପସନ୍ଦ କରନ୍ତି । ଧାରଣା ରହିଛି ଯେ, ଖାଇବା ପରେ ମୃଦୁପାନୀୟ ପିଇଲେ ଖାଦ୍ୟ ଶୀଘ୍ର ହଜମ ହୋଇଯାଏ । କିନ୍ତୁ ଏହା ସତ ନୁହେଁ । ବରଂ କାର୍ବୋନେଟେଡ୍ ସଫ୍ଟ ଡ୍ରିଙ୍କ୍ସ ପିଇବା ଦ୍ୱାରା ପେଟ ଫୁଲିବା ଏବଂ ହଜମ ସମ୍ବନ୍ଧୀୟ ସମସ୍ୟା ହୋଇପାରେ ।
ବିଶେଷଜ୍ଞଙ୍କ ମତରେ, ଅଧିକ ତେଲ ମସଲା ଏବଂ ଚର୍ବିଯୁକ୍ତ ଖାଦ୍ୟ ଖାଇବା ପରେ କୋଲ୍ଡ ଡ୍ରିଙ୍କ୍ସ ପିଇବା ଠାରୁ ଦୂରେଇ ରହିବା ଭଲ । କେବଳ ସେତିକି ନୁହେଁ, ଖାଇବାର ତୁରନ୍ତ ପରେ ଅଧିକ ପାଣି ପିଇବା ମଧ୍ୟ ଅସ୍ୱସ୍ତି ସୃଷ୍ଟି କରିପାରେ । ଯଦି ପେଟ ଭାରି ଲାଗୁଛି, ତେବେ କିଛି ସମୟ ବ୍ୟବଧାନରେ ଅଳ୍ପ ଅଳ୍ପ ପାଣି ପିଇପାରିବେ ।
କାହିଁକି ବିରିୟାନୀ ପରେ କୋଲ୍ଡ ଡ୍ରିଙ୍କ୍ସ ପିଇବା ଠିକ୍ ନୁହେଁ?
କୋଲ୍ଡ ଡ୍ରିଙ୍କ୍ସରେ ଅଧିକ ପରିମାଣର କାର୍ବନ ଡାଇଅକ୍ସାଇଡ୍ ଏବଂ ଚିନି ରହିଥାଏ । ସେହିପରି ବିରିୟାନୀରେ ଅଳେଇଚ, ଲବଙ୍ଗ ଓ ଡାଲଚିନି ଭଳି ମସଲା ବ୍ୟବହାର ହୋଇଥାଏ । ଏଭଳି ଭାରୀ ଖାଦ୍ୟ ସହ କାର୍ବୋନେଟେଡ୍ ପାନୀୟ ସେବନ କଲେ କିଛି ଲୋକଙ୍କ କ୍ଷେତ୍ରରେ ଗ୍ୟାସ୍, ପେଟ ଫୁଲିବା ଏବଂ ଏସିଡିଟି ସମସ୍ୟା ବଢ଼ିପାରେ । ତେଣୁ ବିରିୟାନୀ ଖାଇବା ପରେ କୋଲ୍ଡ ଡ୍ରିଙ୍କ୍ସ ବଦଳରେ ଅନ୍ୟ ସ୍ୱାସ୍ଥ୍ୟକର ପାନୀୟ ପିଇବା ଭଲ ।
ବିରିୟାନୀ ଖାଇବା ପରେ କେଉଁ ପାନୀୟ ପିଇବେ?
୧. ଦହି ଘୋଳ :
ବିରିୟାନୀ ଖାଇବା ପରେ ଦହି ଘୋଳ ବା ଚହ୍ଲା ପିଇପାରିବେ । ଦହି, ପାଣି, ଅଦା, କଞ୍ଚାଲଙ୍କା ଏବଂ ଭୃସୁଙ୍ଗା ପତ୍ରରେ ପ୍ରସ୍ତୁତ ଏହି ପାରମ୍ପରିକ ପାନୀୟ ଶରୀରକୁ ସତେଜ ରଖିବା ସହ ହଜମରେ ସହାୟକ ହୋଇପାରେ । ଏଥିରେ ଥିବା ପ୍ରୋବାୟୋଟିକ୍ସ ଅନ୍ତନଳୀର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ ।
୨. ପୁଦିନା ଲେମ୍ବୁ ପାଣି :
ବିରିୟାନୀ ଖାଇବା ପରେ ପୁଦିନା ଲେମ୍ବୁ ପାଣି ମଧ୍ୟ ପିଇପାରିବେ । ଲେମ୍ବୁ, ପୁଦିନା ପତ୍ର ଏବଂ ପାଣିରେ ପ୍ରସ୍ତୁତ ଏହି ପାନୀୟ ଶରୀରକୁ ସତେଜ ରଖିଥାଏ । ବିଶେଷ କରି ଗ୍ରୀଷ୍ମ ଋତୁରେ ଏହାର ଚାହିଦା ଅଧିକ ରହିଥାଏ । ତେବେ ଅଧିକ ଚିନି ମିଶାଇବା ପରିବର୍ତ୍ତେ କମ୍ ଚିନିରେ ଏହାକୁ ପ୍ରସ୍ତୁତ କରିବା ଭଲ ।
୩. ସତେଜ ଫଳରସ :
କୋଲ୍ଡ ଡ୍ରିଙ୍କ୍ସ ବଦଳରେ ଆପଣ ସତେଜ ଫଳରସ ପିଇପାରିବେ । ଆମ୍ବ, ପିଜୁଳି ଏବଂ ଡାଳିମ୍ବ ଭଳି ଫଳରେ ଭିଟାମିନ୍, ଖଣିଜ ପଦାର୍ଥ ଓ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ । ଏହା ଶରୀରକୁ ଆବଶ୍ୟକ ପୋଷକ ତତ୍ତ୍ୱ ଯୋଗାଇଥାଏ । ତେବେ ପ୍ୟାକେଟ୍ ଜୁସ୍ ବଦଳରେ ଚିନି ନମିଶାଇ ଘରେ ପ୍ରସ୍ତୁତ ତାଜା ଫଳରସ କିମ୍ବା ପୂରା ଫଳ ଖାଇବା ଅଧିକ ଭଲ ।
ତେଣୁ ପରବର୍ତ୍ତୀ ଥର ବିରିୟାନୀ ଖାଇବା ପରେ ତୁରନ୍ତ କୋଲ୍ଡ ଡ୍ରିଙ୍କ୍ସ ପିଇବା ପରିବର୍ତ୍ତେ ଦହି ଘୋଳ, ପୁଦିନା ପାଣି କିମ୍ବା ସାଧା ପାଣିକୁ ପସନ୍ଦ କରନ୍ତୁ । ମନେରଖନ୍ତୁ, କୌଣସି ପାନୀୟ ତୁରନ୍ତ ହଜମ କରାଇଦିଏ ନାହିଁ । ସୁସ୍ଥ ହଜମ ପାଇଁ ସନ୍ତୁଳିତ ଖାଦ୍ୟ, ଉପଯୁକ୍ତ ପରିମାଣର ପାଣି ଏବଂ ନିୟମିତ ଜୀବନଶୈଳୀ ଗୁରୁତ୍ୱପୂର୍ଣ୍ଣ ।