ମନୋରଞ୍ଜନ

Tusshar Kapoor: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ଟାର୍ଗେଟ୍‌ରେ ତୁଷାର କପୁର, ଆସିଲା ଧମକପୂର୍ଣ୍ଣ ଫୋନ୍

ବଲିଉଡ୍ ଅଭିନେତା ତୁଷାର କପୁରଙ୍କୁ ମିଳିଲା ଧମକପୂର୍ଣ୍ଣ ଫୋନ୍ କଲ୍ । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ର ସଦସ୍ୟ ହ୍ୟାରି ବକ୍ସର ପରିଚୟ ଦେଇ ଜଣେ ବ୍ୟକ୍ତି ତୁଷାରଙ୍କୁ ଫୋନ୍ କରି ୫ କୋଟି ଟଙ୍କା ଦାଦାବଟି ମାଗିଥିବା ଅଭିଯୋଗ ହୋଇଛି । ଏନେଇ ତୁଷାର କପୁର ମୁମ୍ବାଇ ପୋଲିସକୁ ଜଣାଇଛନ୍ତି । ଅଭିଯୋଗ ପରେ ମାମଲାର ତଦନ୍ତ ଆଣ୍ଟି ଏକ୍ସଟର୍ସନ ସେଲ୍ ଏବଂ କ୍ରାଇମ୍ ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି ।

ଧମକପୂର୍ଣ୍ଣ ଫୋନ୍ କଲ୍‌ର ଅଡିଓ ରେକର୍ଡିଂକୁ ଯାଞ୍ଚ କରିଛି କ୍ରାଇମ୍ ବ୍ରାଞ୍ଚ ଟିମ୍ । ଏହାପରେ ଫୋନ୍‌ରେ ଶୁଣାଯାଉଥିବା ସ୍ୱରକୁ ହ୍ୟାରି ବକ୍ସରର ସ୍ୱର ସହ ମିଳାଇ ଯାଞ୍ଚ କରାଯାଇଥିଲା । କିନ୍ତୁ ପୁଲିସର ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ଉଭୟ ସ୍ୱର ମଧ୍ୟରେ କୌଣସି ସାମଞ୍ଜସ୍ୟ ନାହିଁ । ତେଣୁ ଏହା ଏକ ନକଲି ଫୋନ୍ କଲ୍ ହୋଇଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ର ନାଁ ବ୍ୟବହାର କରି କେହି ତୁଷାରଙ୍କୁ ଭୟଭୀତ କରିବାକୁ ଉଦ୍ୟମ କରିଥିବା ଆଶଙ୍କା କରାଯାଉଛି ।

ବର୍ତ୍ତମାନ ଧମକପୂର୍ଣ୍ଣ କଲ୍‌ର ଅଡିଓ ରେକର୍ଡିଂ ପଠାଇଥିବା ବ୍ୟକ୍ତିଙ୍କୁ ଖୋଜୁଛି ପୁଲିସ । ଏହି ଧମକ ପଛରେ କାହାର ହାତ ରହିଛି ଏବଂ କିଏ ଗ୍ୟାଙ୍ଗ୍‌ର ନାଁ ନେଇ ଅଭିନେତାଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିଛି, ସେନେଇ ତଦନ୍ତ ଜାରି ରହିଛି । ହ୍ୟାରି ବକ୍ସରର ପ୍ରକୃତ ନାଁ ହରି ଚନ୍ଦ ଜାଟ୍ । ସେ ରାଜସ୍ଥାନର ଅଲୱାର ଜିଲ୍ଲାର ବାସିନ୍ଦା । ଅପରାଧ ଦୁନିଆକୁ ଆସିବା ପୂର୍ବରୁ ସେ ବକ୍ସିଂ କରୁଥିଲା । ଏପରିକି ଜୟପୁରରେ କୋଚ୍ ଭାବେ ମଧ୍ୟ କାମ କରିଥିଲା । ଏହି କାରଣରୁ ତାକୁ ‘ବକ୍ସର’ ନାଁ ମିଳିଥିଲା । ପୋଲିସର ସୂଚନା ଅନୁଯାୟୀ, ସେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ସହ ଜଡ଼ିତ । ତା’ ବିରୋଧରେ ଦାଦାବଟି ଆଦାୟ, ଲୁଟ୍ ଏବଂ ହତ୍ୟା ଉଦ୍ୟମ ଭଳି ଅନେକ ମାମଲା ରହିଛି । ଏହା ପୂର୍ବରୁ ମଧ୍ୟ ଅନେକ ହାଇପ୍ରୋଫାଇଲ୍ ମାମଲାରେ ହ୍ୟାରି ବକ୍ସରର ନାଁ ସାମ୍ନାକୁ ଆସିଛି । କମେଡିଆନ୍ କପିଲ ଶର୍ମାଙ୍କ କାନାଡାସ୍ଥିତ କାଫେ ଉପରେ ଗୁଳିମାଡ଼ ଏବଂ ବଲିଉଡ୍ ଅଭିନେତା ରଣବୀର ସିଂହଙ୍କୁ କଥିତ ଧମକ ଦେବା ମାମଲାରେ ମଧ୍ୟ ତା’ର ନାଁ ଚର୍ଚ୍ଚାକୁ ଆସିଥିଲା ।

ଅନ୍ୟପଟେ ଫିଲ୍ମକୁ ନେଇ ମଧ୍ୟ ଚର୍ଚ୍ଚାରେ ଅଛନ୍ତି ତୁଷାର କପୁର । ଖୁବଶୀଘ୍ର ତାଙ୍କୁ ଫିଲ୍ମ ‘ଗୋଲମାଲ୍-୫’ରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ଅଜୟ ଦେବଗନ୍, ଅର୍ଶଦ ୱାରସି, ଶ୍ରେୟସ ତଲପଡେ ଏବଂ କୁନାଲ ଖେମୁ ନିଜର ପୁରୁଣା ଚରିତ୍ରରେ ପୁଣିଥରେ ନଜର ଆସିବେ । ଏହାସହ ଏହି ଫ୍ରାଞ୍ଚାଇଜ୍‌ର ପଞ୍ଚମ ଭାଗରେ ଅକ୍ଷୟ କୁମାରଙ୍କ ଏଣ୍ଟ୍ରି ମଧ୍ୟ ହୋଇଛି । ତେଣୁ ‘ଗୋଲମାଲ୍-୫’କୁ ନେଇ ଦର୍ଶକଙ୍କ ମଧ୍ୟରେ ଏବେଠାରୁ ଉତ୍ସାହ ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *

Back to top button