ରାଜ୍ୟ

Organ Donor : ମୃତ୍ୟୁ ପରେ ବି ଅମର ୨୦ ବର୍ଷୀୟ ଯୁବକ, ଅଙ୍ଗଦାନ କରି ବଞ୍ଚାଇଲେ ୨ ଜୀବନ

ମୃତ୍ୟୁ ଦେଇଗଲା ନୀରବତା, ହେଲେ ତାଙ୍କ ଅଙ୍ଗଦାନ ଦେଇଗଲା ଦୁଇଟି ଜୀବନକୁ ନୂଆ ସକାଳ! ମାତ୍ର ୨୦ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଥିବା ଜଣେ ଯୁବକ ମୃତ୍ୟୁ ପରେ ବି ଅମର ହୋଇଯାଇଛନ୍ତି। ନିଜ ଜୀବନର ଶେଷ ମୁହୂର୍ତ୍ତରେ ତାଙ୍କ ଅଙ୍ଗଦାନ ଦୁଇ ଜଣ ଗୁରୁତର ରୋଗୀଙ୍କ ପାଇଁ ପାଲଟିଛି ନୂଆ ଆଶାର କିରଣ। କଟକ ଜିଲ୍ଲା ବଡ଼ମ୍ବା ଅଞ୍ଚଳର ଏହି ଯୁବକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଭୁବନେଶ୍ୱର କିମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଦୀର୍ଘ ଚିକିତ୍ସା ପରେ ଡାକ୍ତର ତାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ। ଅସହ୍ୟ ଦୁଃଖ ଓ ଶୋକର ପରିବେଶ ମଧ୍ୟରେ ମାନବିକତାର ଏକ ଅଦ୍ଭୁତ ଉଦାହରଣ ସୃଷ୍ଟି କଲେ ପରିବାର ସଦସ୍ୟ। ପୁଅର ଅଙ୍ଗଦାନ ପାଇଁ ସମ୍ମତି ଦେଇ ଅନ୍ୟ ଦୁଇଟି ପରିବାରର ଜୀବନରେ ଆଶା ଭରିଦେଲେ।

ଯୁବକଙ୍କ ଦାନ କରାଯାଇଥିବା ଲିଭର ଓ କିଡନୀକୁ ଜଣେ ୩୦ ବର୍ଷୀୟ ଗୁରୁତର ରୋଗୀଙ୍କ ଶରୀରରେ ଏକକାଳୀନ ପ୍ରତିରୋପଣ କରି ସଫଳତା ହାସଲ କରିଛନ୍ତି କିମ୍ସର ଡାକ୍ତରୀ ଟିମ୍। ଉକ୍ତ ରୋଗୀ ହେପାଟାଇଟିସ୍-ବି ସଂକ୍ରମଣ ଯୋଗୁଁ ଉନ୍ନତ ପର୍ଯ୍ୟାୟର ଦୀର୍ଘସ୍ଥାୟୀ ଯକୃତ ରୋଗ ସହ ପଞ୍ଚମ ପର୍ଯ୍ୟାୟ କିଡନୀ ରୋଗରେ ପୀଡ଼ିତ ଥିଲେ। ତାଙ୍କୁ ନିୟମିତ ଡାଏଲିସିସ୍ କରିବାକୁ ପଡ଼ୁଥିଲା। ଏହି ଜଟିଳ ଅସ୍ତ୍ରୋପଚାର ତାଙ୍କ ପାଇଁ ଜୀବନର ନୂଆ ଅଧ୍ୟାୟ ଖୋଲିଦେଇଛି।

ଅନ୍ୟପଟେ, ଯୁବକଙ୍କ ଦ୍ୱିତୀୟ ବୃକକ୍‌ଟି ମଧ୍ୟ ଆଉ ଜଣେ ରୋଗୀଙ୍କ ଶରୀରରେ ସଫଳତାର ସହ ପ୍ରତିରୋପଣ କରାଯାଇଛି। ଦୁଇ ରୋଗୀ ଦୀର୍ଘଦିନ ଧରି ଅଙ୍ଗଦାତାଙ୍କ ଅପେକ୍ଷାରେ ରହିଥିବା ବେଳେ ଏହି ଅଙ୍ଗଦାନ ସେମାନଙ୍କ ପାଇଁ ଆଶୀର୍ବାଦ ସାଜିଛି। ଏହି ଜଟିଳ ଅସ୍ତ୍ରୋପଚାରରେ କିମ୍ସର ସର୍ଜିକାଲ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି, ୟୁରୋଲୋଜି ଓ ଆନାସ୍ଥେସିଆ ବିଭାଗର ବିଶେଷଜ୍ଞ ଡାକ୍ତରଙ୍କ ସହ ନର୍ସ, ଅପରେସନ୍ ଥିଏଟର ଓ ପାରାମେଡିକାଲ୍ କର୍ମଚାରୀମାନେ ମିଳିତ ଭାବେ ଏହି ସଫଳତା ହାସଲ କରିଛନ୍ତି।

ଆଜି ଯୁବକଙ୍କ ମରଶରୀରକୁ ତାଙ୍କ ଗାଁକୁ ନିଆଯିବା ପୂର୍ବରୁ କିମ୍ସ ହସ୍ପିଟାଲ ପରିସରରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ଏକ ଶୋକାକୁଳ ପରିବେଶରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ଦୁଃଖର ସବୁଠାରୁ କଠିନ ସମୟରେ ମଧ୍ୟ ମହତ୍ ନିଷ୍ପତ୍ତି ନେଇଥିବା ପରିବାରକୁ ସମ୍ମାନ ଜଣାଯାଇଥିଲା। କିଟ୍, କିସ୍ ଓ କିମ୍ସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଅଙ୍ଗଦାତା ଯୁବକଙ୍କ ପରିବାରର ଏହି ମହାନ ନିଷ୍ପତ୍ତି ପାଇଁ ଗଭୀର କୃତଜ୍ଞତା ଜଣାଇବା ସହ ଉଭୟ ଅଙ୍ଗଗ୍ରହୀତାଙ୍କ ଶୀଘ୍ର ଆରୋଗ୍ୟ ଓ ସୁସ୍ଥ ଜୀବନ କାମନା କରିଛନ୍ତି।
ସତରେ, ଜୀବନ ସବୁବେଳେ ନିଶ୍ୱାସରେ ମାପ ହୁଏନାହିଁ। କେତେବେଳେ ଜଣେ ମଣିଷର ମହାନ ନିଷ୍ପତ୍ତି ମୃତ୍ୟୁ ପରେ ବି ଅନ୍ୟ ଦୁଇଟି ଜୀବନରେ ନିଶ୍ୱାସ ଭରିଦିଏ। ୨୦ ବର୍ଷୀୟ ଏହି ଯୁବକ ଅଙ୍ଗଦାନର ମହତ୍ତ୍ୱକୁ ନିଜ ଜୀବନର ଶେଷ ଅଧ୍ୟାୟରେ ଅମର କରିଦେଇଗଲେ।

Leave a Reply

Your email address will not be published. Required fields are marked *

Back to top button