ରାଜ୍ୟ

Traffic problem: ପାର୍ବଣ ଆରମ୍ଭରୁ ହନ୍ତ ସନ୍ତ କଲାଣି ଟ୍ରାଫିକ ସମସ୍ୟା, ପ୍ରାୟ ୨କିମି ଯିବା ପାଇଁ ଲାଗୁଛି ପାଖାପାଖି ୨୦ ରୁ ୩୦ ମିନିଟ୍

ଗଣେଶ ପୂଜାରେ ଏତେ, ଦୁର୍ଗାପୂଜାରେ କେତେ? ରାଜଧାନୀରେ ପାର୍ବଣରେ କନ୍ଦାଉଛି ଟ୍ରାଫିକ ସମସ୍ୟା । ପ୍ରାୟ ୨ କିଲୋମିଟର ଯିବା ପାଇଁ ଲାଗୁଛି ପାଖାପାଖି ୨୦ ରୁ ୩୦ ମିନିଟ୍ । ଏଭଳି ଚିତ୍ର ଭୁବନେଶ୍ୱରର ଏକାଧିକ ରାସ୍ତା ଯଥା – ବାଣୀବିହାର ଛକରୁ ସହିଦ ନଗର ଦେଇ ମାଷ୍ଟରକ୍ୟାଣ୍ଟିନ୍ ଛକ ପର୍ଯ୍ୟନ୍ତ ଦେଖିବାକୁ ମିଳିଛି । ଖାଲି ସେତିକି ନୁହେଁ, ପଟିଆ ଜୟଦେବ ବିହାର ରାସ୍ତା ସହ ରସୁଲଗଡ଼, ଆଚାର୍ଯ୍ୟ ବିହାର ରୋଡ, କଳ୍ପନା ଆଦି ଜାଗାରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ପାର୍ବଣ ଆରମ୍ଭରୁ ଏହିଭଳି ଟ୍ରାଫିକ ସମସ୍ୟା କୁ ନେଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ବିଶେଷ କରି ଗଣେଶ ମଣ୍ଡପକୁ ବୁଲିବାକୁ ଆସୁଥିବା ଭକ୍ତ ରାସ୍ତା କଡ଼ରେ ଅବୈଧ ଭାବେ ପାର୍କିଂ କରୁଛନ୍ତି । ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ଗଳି ରାସ୍ତାରେ ଲୋକେ ଗାଡ଼ି ମୋଟର ରଖି ବୁଲୁଛନ୍ତି । ରାସ୍ତା କଡ଼ରେ ମେଲୋଡ଼ି ଚାଲୁଥିବାରୁ ଲୋକେ ଦେଖିବାକୁ ଭିଡ଼ କରୁଛନ୍ତି । ରାସ୍ତା କଡ଼ରେ ସବୁ ଜାଗାରେ ଉଠା ଦୋକାନୀ ନିଜର ବେପାର ଖୋଲିଛନ୍ତି । ସଂଧ୍ୟାରେ ପରିବାର ସହ ଲୋକଙ୍କ କିଣାକିଣି ସହ ପୂଜା ମଣ୍ଡପ ବୁଲୁଛନ୍ତି ।

ଏଠି ପ୍ରଶ୍ନ ଉଠୁଛି ଯେ, ପାର୍ବଣ ଆରମ୍ଭରୁ ଅର୍ଥାତ୍ ଯଦି ଗଣେଶ ପୂଜାରେ ଏହିଭଳି ଭିଡ଼ ଦେଖିବାକୁ ମିଳୁଛି, ତେବେ ଆଗକୁ ଟ୍ରାଫିକ ଅବସ୍ଥା ଆଉ କିଭଳି ହେବ । ପ୍ରଶାସନ ଭିଡ଼ ନିୟନ୍ତ୍ରଣ କରିବାରେ ବିଫଳ ହେଉଛି କି ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି । ​କମିଶନରେଟ ପୋଲିସ ପକ୍ଷରୁ ସହରର ପ୍ରାୟ ୪୨୦ଟି ମଣ୍ଡପ ପାଇଁ ସୁରକ୍ଷା ବଳ ମୁତୟନ, ଡିଜେ ଉପରେ କଟକଣା ଏବଂ ପିକ ଆୱାରରେ ଭସାଣି ଶୋଭାଯାତ୍ରା ଉପରେ ବାରଣ ଭଳି ନିୟମ ଜାରି କରାଯାଇଛି ।

Leave a Reply

Your email address will not be published. Required fields are marked *

Back to top button