
Vigilance Action: ସ୍କର୍ପିଓରୁ ମିଳିଲା ୫ ଲକ୍ଷ ନଗଦ, ଅବକାରୀ ଅଧୀକ୍ଷକଙ୍କୁ ଘେରିଲା ଭିଜିଲାନ୍ସ
ମଦ ଲାଇସେନ୍ସଧାରୀଙ୍କ ଠାରୁ ବିପୁଳ ଲାଞ୍ଚ ଟଙ୍କା ସଂଗ୍ରହ ବେଳେ ମାଡ଼ି ବସିଲା ଭିଜିଲାନ୍ସ। ରାଉରକେଲା ଅବକାରୀ ଅଧୀକ୍ଷକ ଧନେଶ୍ୱର ବରାଡ଼ଙ୍କ ଉପରେ ନଜର ରଖିଥିଲା ଓଡ଼ିଶା ଭିଜିଲାନ୍ସ । ୫ ଲକ୍ଷ ଟଙ୍କା ନେଇ ଯାଉଥିବା ଜଣେ ମଦ ଦୋକାନ ସେଲ୍ସମ୍ୟାନ୍ ଙ୍କୁ ଭିଜିଲାନ୍ସ ଅଟକାଇ ଟଙ୍କା ଜବତ କରିଛି । ଉଦିତନଗରସ୍ଥିତ ଅବକାରୀ କାର୍ଯ୍ୟାଳୟ ସମ୍ମୁଖରେ ସ୍କର୍ପିଓକୁ ଅଟକାଇ ଯାଞ୍ଚ କରାଯାଇଥିଲା । ଗାଡ଼ିରେ ଥିବା ଜଣେ ସ୍ଥାନୀୟ ମଦ ଦୋକାନର ସେଲ୍ସମ୍ୟାନ୍ ଙ୍କଠାରୁ ୫ ଲକ୍ଷ ଟଙ୍କା ନଗଦ ମିଳିଥିଲା । ଏହି ଟଙ୍କା ଅବକାରୀ ଅଧୀକ୍ଷକ ଧନେଶ୍ୱର ବରାଡ଼ ତାଙ୍କ ଘରେ ପହଞ୍ଚାଇବା ପାଇଁ ଦେଇଥିବା ସେଲ୍ସମ୍ୟାନ୍ ଭିଜିଲାନ୍ସକୁ କହିଥିବା ସୂଚନା ମିଳିଛି ।
ଏନେଇ ଧନେଶ୍ୱର ବରାଡ଼ଙ୍କୁ ପଚରାଉଚରା କରାଯାଇଥିବାବେଳେ ଉଦ୍ଧାର ଟଙ୍କା ସମ୍ପର୍କରେ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ଏହାପରେ ୫ ଲକ୍ଷ ଟଙ୍କା ଜବତ କରାଯାଇଛି । ଏହି ଘଟଣାରେ ରାଉରକେଲା ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ ହୋଇଛି। ଅବକାରୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଭିଜିଲାନ୍ସ ପକ୍ଷରୁ ତଲାସି ଆରମ୍ଭ ହୋଇଛି । ଘଟଣାର ତଦନ୍ତ ଜାରି ରଖିଛି ଭିଜିଲାନ୍ସ ।