ଦେଶ ବିଦେଶ

Agra MLC Elections : ଆଗ୍ରାରେ ଏମଏଲସି ନିର୍ବାଚନରେ କର୍ତ୍ତବ୍ୟରେ ଖିଲାପ ଅଭିଯୋଗ, ୬ ଅଧିକାରୀ ନିଲମ୍ବିତ

: ଉତ୍ତରପ୍ରଦେଶର ଆଗ୍ରାରେ ଶିକ୍ଷକ ଏମଏଲସି ନିର୍ବାଚନ ସମୟରେ ବୁଥ୍ ଜବରଦଖଲ ଓ ନିର୍ବାଚନରେ ଅନିୟମିତତା ଅଭିଯୋଗକୁ ନେଇ କଠୋର ପଦକ୍ଷେପ ନେଇଛନ୍ତି ନିର୍ବାଚନ କର୍ତ୍ତୃପକ୍ଷ । ନିର୍ବାଚନ ସମୟରେ ଗୁରୁତର ଅବହେଳା ଓ କର୍ତ୍ତବ୍ୟରେ ଖିଲାପ ଅଭିଯୋଗରେ ୬ ଜଣ ପର୍ଯ୍ୟବେକ୍ଷକଙ୍କୁ ତୁରନ୍ତ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିଲମ୍ବିତ ଅଧିକାରୀଙ୍କ ମଧ୍ୟରେ ସେକ୍ଟର ମାଜିଷ୍ଟ୍ରେଟ୍, ଇନ୍ସପେକ୍ଟର ଓ ସବ୍-ଇନ୍ସପେକ୍ଟର ରହିଛନ୍ତି ।

ଏନେଇ ଉତ୍ତରପ୍ରଦେଶ ରାଜ୍ୟ ନିର୍ବାଚନ ସଚିବ ସୁମନ କୁମାର ଦାସ ନିର୍ଦ୍ଦେଶ ଜାରି କରିଛନ୍ତି । ଗତ ଅକ୍ଟୋବର ୨୩ ତାରିଖରେ ଭୋଟ୍ ଗ୍ରହଣ ଦିନ ଆଗ୍ରାର ସୈୟା ଓ ଫତେହାବାଦ ଅଞ୍ଚଳରେ ଥିବା ମତଦାନ କେନ୍ଦ୍ରଗୁଡ଼ିକରୁ ଅନିୟମିତତା ନେଇ ଅଭିଯୋଗ ମିଳିବା ପରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି ।

ମତଦାନ କେନ୍ଦ୍ରଗୁଡ଼ିକରେ ତଦାରଖ ବ୍ୟବସ୍ଥାରେ ତ୍ରୁଟି ଥିବା ଅଭିଯୋଗକୁ ଗୁରୁତ୍ୱ ଦେଇ ନିର୍ବାଚନ କର୍ତ୍ତୃପକ୍ଷ ଏହି ପଦକ୍ଷେପ ନେଇଛନ୍ତି । ନିଲମ୍ବିତ ଅଧିକାରୀଙ୍କ ବିରୋଧରେ ୧୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । କେବଳ ୬ ଜଣ ଅଧିକାରୀ ନୁହନ୍ତି, ଅନ୍ୟ ୨୧ ଜଣ ମତଦାନ ଓ ପୋଲିସ କର୍ମଚାରୀଙ୍କ ବିରୋଧରେ ମଧ୍ୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଏଥିରେ ୨ ଜଣ ପ୍ରିଜାଇଡିଂ ଅଫିସର, ୩ ଜଣ ପୋଲିଂ ଅଫିସର, ୫ ଜଣ ହେଡ୍ କନଷ୍ଟେବଳ ଏବଂ ୧୧ ଜଣ କନଷ୍ଟେବଳ ଅଛନ୍ତି ।

ମତଦାନ କେନ୍ଦ୍ରରେ ଉପଯୁକ୍ତ ତଦାରଖ ଓ ନିୟନ୍ତ୍ରଣ ରଖିବାରେ ବିଫଳ ହୋଇଥିବାରୁ ଏହି କର୍ମଚାରୀମାନଙ୍କୁ ଦାୟୀ କରାଯାଇଛି । ସେମାନଙ୍କ ବିରୋଧରେ ଆବଶ୍ୟକ ଶୃଙ୍ଖଳାଗତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ହୋଇଛି । ନିର୍ବାଚନ ସମୟରେ ଅନିୟମିତତା ଅଭିଯୋଗ ପରେ ତଦାରଖ ବ୍ୟବସ୍ଥାରେ ଅବହେଳା କରିଥିବା ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଏହି ପଦକ୍ଷେପ ନିଆଯାଇଛି ।

Leave a Reply

Your email address will not be published. Required fields are marked *

Back to top button