
Nepal Flood Rescue: ପ୍ରକୃତିର କୋପକୁ ହରାଇଲା ଜୀବନର ଜିଦ୍, ୧୦ ଦିନ ପରେ ଉଦ୍ଧାର
ସରିଥିଲା ଶ୍ରାଦ୍ଧ ଓ ଅନ୍ତିମ ସଂସ୍କାର । ମାଟି ଫଟାଇ ବାହାରିଲେ ମହିଳା ! ୧୦ ଦିନ ପରେ କାଦୁଅ ଭିତରୁ ଉଦ୍ଧାର । ଚାରିଆଡ଼େ ଖାଲି କାଦୁଅ, ମାଟି, ପଥର। ଭାଙ୍ଗିଯାଇଥିବା ଘର ଆଉ ନିରାଶାର ଅନ୍ଧକାର। ଏହାରି ଭିତରୁ ହୋଇଛି ହଠାତ୍ ଚମତ୍କାର। ଶୁଭିଛି ଜୀବନ ବଞ୍ଚିଥିବାର ଶବ୍ଦ। କାଦୁଅ ଭିତରୁ ମିଳିଛି ଜୀବନ।୧୦ ଦିନ ପରେ ମୃତ୍ୟୁକୁ ମାତ୍ ଦେଇ ମାଟି ଭିତରୁ ଜୀବନ୍ତି ବାହାରିଛନ୍ତି ଜଣେ ମା’। ଏହି କାହାଣୀ କୌଣସି ସିନେମାର ନୁହେଁ। ଏହା ହେଉଛି ଜୀବନ ଓ ମୃତ୍ୟୁର ସଂଘର୍ଷର ପ୍ରକୃତ କାହାଣୀ।
ନେପାଳ ନୌକଟାରର ୬୦ ବର୍ଷୀୟା ଚନ୍ଦ୍ରିକା। ଅଗଷ୍ଟ ୨୬ ତାରିଖରେ ନେପାଳରେ ଯେଉଁ ପ୍ରଳୟଙ୍କାରୀ ବନ୍ୟା ଆସିଥିଲା ସେଥିରେ ଇଏ ମଧ୍ୟ ନିଖୋଜ ହୋଇଥିଲେ। ବହୁ ଖୋଜାଖୋଜି ପରେ ବି ମିଳିନଥିଲା ଚନ୍ଦ୍ରିକାଙ୍କ ପତ୍ତା। ଏହାପରେ ପରିବାର ଲୋକେ ମୃତ ଭାବି କରିସାରିଥିଲେ ପ୍ରତୀକାତ୍ମକ ଅନ୍ତିମ ସଂସ୍କାର। ଶ୍ରାଦ୍ଧ କର୍ମ ବି ସାରିଦେଇଥିଲେ। କିନ୍ତୁ କାହାକୁ ବା ଜଣା ଥିଲା ଯେ ମୃତ୍ୟୁ ତାଙ୍କ ପାଖରୁ ହାର ମାନିସାରିଛି।୧୦ ଦିନ ପରେ ସେ ହଠାତ୍ କାଦୁଅ ଭିତରୁ ଜୀବନ୍ତ ବାହାରିଛନ୍ତି। ନେପାଳର ନୁୱାକୋଟ ଜିଲ୍ଲାର ବିଦୁର ସହର। ବନ୍ୟାରେ ପୋତି ହୋଇଯାଇଥିବା ୪ ମହଲା କୋଠାର ଉପର ମହଲାରେ ଫସି ରହିଥିଲେ ୬୦ ବର୍ଷୀୟ ଚନ୍ଦ୍ରିକା। ଘଟଣାସ୍ଥଳରେ ୯ ଜଣିଆ ଏଏଫ୍ଏଫ୍ ଟିମ୍ ପହଞ୍ଚି ଭଗ୍ନାବଶେଷ ହଟାଇ ଝରକା ଫାଙ୍କରୁ ତାଙ୍କୁ ଜୀବନ୍ତ ଉଦ୍ଧାର କରିଛି। ଉଦ୍ଧାର ସମୟର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ପରେ ତାଙ୍କୁ ହେଲିକପ୍ଟର ଯୋଗେ କାଠମାଣ୍ଡୁର ମେଡିକାଲକୁ ପଠାଯାଇଛି।
ଯେଉଁ ପରିବାର କିଛି ସମୟ ପୂର୍ବରୁ ତାଙ୍କୁ ହରାଇବାର ଦୁଃଖରେ ଭାଙ୍ଗି ପଡ଼ିଥିଲା. ସେହି ପରିବାର ପାଇଁ ଏବେ ଏହାଠାରୁ ବଡ଼ ଖୁସିର ଖବର ଆଉ କ’ଣ ହୋଇପାରେ। ଏହି ଘଟଣା ନେପାଳର ଭୟଙ୍କର ବନ୍ୟା ମଧ୍ୟରେ ଆଶାର ଏକ ନୂଆ କିରଣ ସୃଷ୍ଟି କରିଛି । ଜୀବନ ଜିଇଁବାର ଜିଦ୍ ଆଗରେ ପ୍ରକୃତିର କୋପ ମଧ୍ୟ ହାର ମାନିଯାଏ। ଏହାର ଏକ ଜୀବନ୍ତ ଉଦାହରଣ ଏଠି ଦେଖିବାକୁ ମିଳିଛି।