ମନୋରଞ୍ଜନ

Jagannath Temple: ଶ୍ରୀମନ୍ଦିରରେ ଜୀବନ୍ତ ହେଲା ଦ୍ୱାପର ଯୁଗ, ଅଧର୍ମ ଉପରେ ଧର୍ମର ବିଜୟ

ଶଙ୍ଖଧ୍ୱନିରେ ମୁଖରିତ ଶ୍ରୀମନ୍ଦିର । ଭକ୍ତିରେ ଭିଜିଲା ପରିବେଶ । ଆଉ ଶ୍ରୀମନ୍ଦିର ଭିତରେ ଜୀବନ୍ତ ହେଲା ଦ୍ୱାପର ଯୁଗର କାହାଣୀ । କେଉଁଠି ଦାନବର ଗର୍ଜନ କେଉଁଠି କୃଷ୍ଣଙ୍କ ବୀରତ୍ୱ ଆଉ ଶେଷରେ ଅଧର୍ମ ଉପରେ ଧର୍ମର ବିଜୟ । ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ବକାସୁର ବଧ ଓ ଅର୍ଘାସୁର ବଧ ନୀତି। ସାତ ସାହିର ଯୁବକଙ୍କ ଅଭିନୟରେ ଯେମିତି ଜୀବନ୍ତ ହୋଇଛି କୃଷ୍ଣ ଲୀଳାର ଚରିତ୍ର। ଲାଗୁଥିଲା ଯେମିତି ଦ୍ୱାପର ଯୁଗ ପୁଣି ଫେରିଆସିଛି । ବାଲିସାହିରୁ ବକାସୁର ବେଶରେ, କାଳିକାଦେବୀ ସାହିରୁ ଅର୍ଘାସୁର ବେଶରେ ସାହି ଯୁବକମାନେ କରିଥିଲେ ଦ୍ୱାପର ଲୀଳାର ଦୁଇ ପ୍ରମୁଖ ଚରିତ୍ର। ସାହିଯାତ୍ରାର ପରମ୍ପରା ଭଳି, ସାତ ସାହିର ଯୁବକମାନେ କୃଷ୍ଣ ଜନ୍ମଠାରୁ କଂସ ବଧ ପର୍ଯ୍ୟନ୍ତ ବିଭିନ୍ନ ଚରିତ୍ର କରିଥାନ୍ତି।

ସନ୍ଧ୍ୟାଧୂପ ବଢ଼ିବା ପରେ…ରାତିର ନିରବତା ଭିତରେ ଜଗମୋହନରେ ଆରମ୍ଭ ହୋଇଥିଲା ବଧ ନୀତି। ସାମ୍ନାରେ ବକାସୁର…ସାମ୍ନାରେ ଅର୍ଘାସୁର…ଆଉ ତାଙ୍କ ସାମ୍ନାରେ ସ୍ୱୟଂ ପ୍ରଭୁ ଶ୍ରୀକୃଷ୍ଣ । ଦୁଇ ଅସୁରଙ୍କୁ ବଧ କରି ଅଧର୍ମ ଉପରେ ଧର୍ମର ବିଜୟର ବାର୍ତ୍ତା ଦେଇଥିଲେ ଶ୍ରୀକୃଷ୍ଣ। କେବଳ ବଧ ଲୀଳା ନୁହେଁ, ଭାଦ୍ରକୃଷ୍ଣ ଦଶମୀ ତିଥିରେ ମହାପ୍ରଭୁଙ୍କ ଅନୁଷ୍ଠିତ ହୋଇଛି ବଣଭୋଜି ବେଶ। ଶ୍ରୀଜିଉଙ୍କ ଏହି ମନୋମୁଗ୍ଧକର ବେଶ ଦେଖି ଭକ୍ତଙ୍କ ମନ ହୋଇଯାଇଥିଲା ଭକ୍ତିମୟ। ଶ୍ରୀଭୁଜରେ ରୂପା ପିଙ୍ଗଣରେ ସର, ଅନ୍ୟ ହସ୍ତରେ ନଉଡି । ଆଉ ପ୍ରାୟ ୧୮ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାରରେ ବିମଣ୍ଡିତ ହୋଇଥିଲେ ଶ୍ରୀଜିଉ।
ମଧ୍ୟାହ୍ନଧୂପ ପରେ ରାମକୃଷ୍ଣ ଦୁଇ ଚଳନ୍ତି ପ୍ରତିମାଙ୍କୁ ପୂଜାପଣ୍ଡା ସେବକ ଆଜ୍ଞାମାଳ ପ୍ରଦାନ କରିଥିଲେ। ପରେ ବିମାନରେ ବସାଇ ଦୁଇ ପ୍ରତିମାଙ୍କୁ ସିଂହଦ୍ୱାର ନିକଟସ୍ଥ ବଡ଼ଛତା ମଠ ପାର୍ଶ୍ୱରେ ଥିବା କାଠ ସିଂହାସନରେ ବିଜେ କରାଯାଇଥିଲା। ଲେଙ୍କା ସେବକ ଶବରୁଣୀ ବେଶରେ ଆସି ଗୁଆ, କୋଳି ଓ ନଡ଼ିଆ ପାତି ନେଇ ସମ୍ପାଦନ କରିଥିଲେ ନୀତି। ଭିତରଚ୍ଛ ମହାପାତ୍ର କୋଳି ଆଣି ମହାପ୍ରଭୁଙ୍କୁ ସମର୍ପଣ କରିଥିଲେ। ପରେ ଶୀତଳ ଭୋଗ ଓ ବନ୍ଦାପନା ନୀତି ହୋଇଥିଲା। ତେବେ ଏହାରି ଭିତରେ ଆଜି ପାଳନ ହୋଇଛି କାଳୀୟ ଦଳନ ବେଶ । ଏଠି କେବଳ ନୀତି ନୁହେଁ, ଏଠି ଇତିହାସ କଥା କହେ। ଏଠି ପରମ୍ପରା ଜୀବନ୍ତ ହୁଏ। ଏଠି ଦ୍ୱାପର ଲୀଳା ଆଜି ବି ଅନୁଭବ କରନ୍ତି ଭକ୍ତ । କୃଷ୍ଣ ଜନ୍ମରୁ ଆରମ୍ଭ, ନନ୍ଦ ଉତ୍ସବରୁ ଆଗକୁ ବଣଭୋଜି ବେଶ…କୋଳି ବିକା… । ଆଉ ବକାସୁର ଓ ଅର୍ଘାସୁର ବଧ। ପ୍ରତିଟି ନୀତିରେ ରହିଛି ଗୋଟିଏ ଗୋଟିଏ ଲୀଳାର କାହାଣୀ।

ରାତି ବଢ଼ୁଥିଲା କିନ୍ତୁ ଶ୍ରୀମନ୍ଦିରରେ ଜାରି ରହିଥିଲା ଦ୍ୱାପରର ଲୀଳା। ଅସୁରଙ୍କ ଅହଂକାରର ଅନ୍ତ, ଧର୍ମର ବିଜୟ ଆଉ ଭକ୍ତଙ୍କ ହୃଦୟରେ ଶ୍ରୀକୃଷ୍ଣଙ୍କ ଅପାର ଭକ୍ତି। ଏହା ହେଉଛି ପୁରୀର ସେହି ଅମର ପରମ୍ପରା, ଯେଉଁଠି ପ୍ରତିବର୍ଷ ଶ୍ରୀମନ୍ଦିରରେ ଜୀବନ୍ତ ହୁଏ ଦ୍ୱାପର ଯୁଗର କାହାଣୀ।

Leave a Reply

Your email address will not be published. Required fields are marked *

Back to top button