
Father Daughter Love: ତିନୋଟି ଶବ୍ଦ ବଦଳାଇଦେଲା ବାପାଙ୍କ ରାତି, ଝିଅ ପାଖକୁ ଧାଇଁ ଆସିଲେ
ଝିଅ ଲେଖିଲା- ‘I MISS YOU’ । ମେସେଜ ପଢ଼ି ଆଉ ରହିପାରିଲେ ନି ବାପା । ସକାଳୁ ସକାଳୁ ଝିଅକୁ ଦେଲେ ବଡ଼ ସରପ୍ରାଇଜ୍ । କିଛି ସମ୍ପର୍କ ଶବ୍ଦରେ ବନ୍ଧା ନଥାଏ।ସେଠି ଗୋଟିଏ ଛୋଟ ମେସେଜ୍ ହିଁ ବହୁତ କିଛି କହିଦିଏ। ରାତିର ନିରବତା। ହଠାତ୍ ମନେ ପଡ଼ିଗଲା ବାପାଙ୍କ କଥା। ପାଖରେ ନଥିଲେ ବାପା। ତେଣୁ ମନର କଥାକୁ ମେସେଜ୍ରେ ଲେଖିଦେଲା ଝିଅ। ‘I MISS YOU…’ ବାସ୍, ଏତିକି। ନା କୌଣସି ଅଭିଯୋଗ। ନା କୌଣସି ଲମ୍ବା କଥା। କେବଳ ବାପାଙ୍କୁ ମନେ ପକାଇ ଦୁଇଟି ଶବ୍ଦ। ହେଲେ ଏହି ଦୁଇଟି ଶବ୍ଦ ବାପାଙ୍କ ମନକୁ ଏତେ ଛୁଇଁଗଲା ଯେ, ସେ ଆଉ ଅପେକ୍ଷା କରିପାରିଲେନି। ଆଉ ତାପରେ ପରଦିନ ସକାଳେ ଯାହା ଘଟିଲା, ତାହା ଦେଖିଲେ ଆପଣଙ୍କ ଛାତି ମଧ୍ୟ ଗର୍ବ ଓ ଭାବବିହ୍ୱଳରେ ଫାଟି ପଡ଼ିବ!
ସକାଳ ହେଲା ଝିଅ ଘରର କବାଟ ଖୋଲିଲା। ସାମ୍ନାରେ ଯାହା ଦେଖିଲା, କିଛି ସମୟ ପାଇଁ ଯେମିତି ବିଶ୍ୱାସ ହେଲାନି। ସାମ୍ନାରେ ଠିଆ ହୋଇଥିଲେ ତାଙ୍କ ବାପା। ହାତରେ ଗୋଟିଏ ବ୍ୟାଗ୍, ମୁହଁରେ ହସ ଆଉ ଆଖିରେ ଝିଅକୁ ଦେଖିବାର ଖୁସି। କେବଳ ଗୋଟିଏ ‘ଆଇ ମିସ୍ ୟୁ’ ମେସେଜ୍ ପାଇଁ ବାପା କରିଥିଲେ ୧୪ ଘଣ୍ଟାର ଦୀର୍ଘ ଯାତ୍ରା। ରାତାରାତି ବାଇକ୍ ଚଳାଇ ପହଞ୍ଚି ଯାଇଥିଲେ ଝିଅ ପାଖରେ। ବାପା ଆସିଥିଲେ କିନ୍ତୁ ରହିବା ପାଇଁ ନୁହେଁ। ଝିଅ ସହ କିଛି ଘଣ୍ଟା, କିଛି ମୁହୂର୍ତ୍ତ, କିଛି ହସ, ଆଉ ଅନେକ ସ୍ମୃତି ନେଇ ପୁଣି ଫେରିଯିବାର ଥିଲା। ସେହି ଅଳ୍ପ ସମୟ ଭିତରେ ବାପା ଝିଅ ପାଇଁ କରିଥିଲେ ଅନେକ ଛୋଟ ଛୋଟ କାମ। ବାସନକୁସନ ସଫା କରିବା, ଝିଅକୁ ପସନ୍ଦର ଖାଦ୍ୟ ଖୁଆଇବା, ତା’ସହ ବାହାରକୁ ବୁଲିବା ପ୍ରତ୍ୟେକ ମୁହୂର୍ତ୍ତକୁ ସେ ସ୍ମରଣୀୟ କରିଥିଲେ। ବ୍ୟସ୍ତ ୱର୍କ କଲ୍ ମଧ୍ୟରେ ବି ଝିଅ ପାଇଁ ସମୟ ବାହାର କରିବାକୁ ଭୁଲିନଥିଲେ ବାପା।
ମାତ୍ର କିଛି ଘଣ୍ଟା ଝିଅ ସହ କାଟିବା ପରେ ସେ ପୁଣି ୧୪ ଘଣ୍ଟା ଯାତ୍ରା କରି ନିଜ ଘରକୁ ଫେରିଥିଲେ। ଫେରିବା ସମୟରେ ବାପା ଦେଇଥିଲେ ଏକ ମର୍ମସ୍ପର୍ଶୀ ବାର୍ତ୍ତା—’ତୁ ଯାହା ବି କର, ଖୁସିରେ ରହ, ମୁଁ ସବୁବେଳେ ତୋ ସାଥୀରେ ଅଛି’। ଝିଅଙ୍କ କହିବା କଥା, ବାପା କେବଳ ତାଙ୍କୁ ଭେଟିବାକୁ ଆସି ନଥିଲେ, ବରଂ ଏହା ମନେ ପକାଇବାକୁ ଆସିଥିଲେ ଯେ, ସେ ଏହି ଦୁନିଆରେ କେବେବି ଏକୁଟିଆ ନୁହଁନ୍ତି। ଏହି ସୁନ୍ଦର ଭିଡିଓଟିକୁ ଇନଷ୍ଟାଗ୍ରାମରେ ‘@apple.kaivalya’ ହ୍ୟାଣ୍ଡେଲରୁ ସେୟାର କରାଯାଇଛି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି, ଆଉ ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି।ଝିଅ ଯେତେ ଦୂରରେ ଥାଉ ନା କାହିଁକି, ବାପାଙ୍କ ପାଇଁ ତା’ର ଗୋଟିଏ ଡାକ ହିଁ ଯଥେଷ୍ଟ। ଏହା ହେଉଛି ବାପାଙ୍କ ଭଲପାଇବା। ଯାହାର ଦୂରତା ନାହିଁ, ସୀମା ନାହିଁ।