
Batagad Village: ଏ ଗାଁର ନାଁ ହିଁ କହେ ଇତିହାସ! ଜାଣନ୍ତୁ କାହିଁକି ନାଁ ହେଲା ବତାଗଡ଼
ଗାଁ ତ ଅନେକ ଅଛି କିନ୍ତୁ କିଛି ଗାଁର ନାଁ ହିଁ କହେ ତା’ର ଇତିହାସ। ସେମିତି ଏକ ଗାଁ ହେଉଛି ବତାଗଡ଼। ଯାହାର ଇତିହାସ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ଭାବିବାକୁ ବାଧ୍ୟ କରିବ । ଏମିତି ବି ହୋଇଥିଲା । ଗଞ୍ଜାମ ଜିଲ୍ଲା। ସାନଖେମୁଣ୍ଡି ବ୍ଲକ। ପୋଡ଼ାମାରି ପଞ୍ଚାୟତ। ଏହି ପଞ୍ଚାୟତରେ ରହିଛି ବତାଗଡ଼ ଗାଁ। ନାଁ ଯେମିତି ନିଆରା ଇତିହାସ ବି ସେମିତି ରୋଚକ। ଗାଁର ନାଁ ପଛରେ ରହିଛି ରାଜାଙ୍କ ସହ ଜଡ଼ିତ ଏକ ପୁରୁଣା କାହାଣୀ।
ଅତୀତରେ ସାନଖେମୁଣ୍ଡି ରାଜା ଏଠାକୁ ଆସିଥିଲେ ବୋଲି କୁହାଯାଏ। ବତାରେ ଗଡ଼ ତିଆରି କରି କିଛି ଦିନ ଏଠାରେ ରହିଥିଲେ। ସେହି ଗଡ଼କୁ ନେଇ ଗାଁର ନାଁ ହୋଇଥିଲା ବତାଗଡ଼। ଆଜି ବି ଗାଁକୁ ପ୍ରବେଶ କଲେ ବତାରେ ତିଆରି କିଛି ବାଡ଼ ଦେଖିବାକୁ ମିଳେ। ଯାହା ମନେ ପକାଇଦିଏ ସେହି ପୁରୁଣା ଦିନକୁ। ପୁରୁଣା ଇତିହାସକୁ ଛାତିରେ ଧରି ଆଜି ବି ଆଗକୁ ବଢ଼ୁଛି ବତାଗଡ଼। ଏହା ଏକ ଚାଷୀ ପ୍ରଧାନ ଗାଁ। ଚାଷ ହିଁ ଅନେକ ପରିବାରର ମୁଖ୍ୟ ଆଧାର। ପ୍ରାୟ ୧୫୦ ପରିବାର ଏଠାରେ ବସବାସ କରନ୍ତି। ମାଟି ସହ ଜଡ଼ିତ ଜୀବନ। ଚାଷ ସହ ଜଡ଼ିତ ଜୀବିକା। ଏହି ହେଉଛି ବତାଗଡ଼ର ଆଉ ଏକ ପରିଚୟ।
ଗାଁରେ ରହିଛି ମଠ ମନ୍ଦିର। ପ୍ରାଥମିକ ବିଦ୍ୟାଳୟ ଆଉ ରହିଛି ଅଙ୍ଗନବାଡ଼ି କେନ୍ଦ୍ର। ପୁରୁଣା ପରମ୍ପରା ସାଙ୍ଗକୁ ଆଧୁନିକ ଶିକ୍ଷା। ଦୁଇଟିକୁ ନେଇ ଆଗକୁ ବଢ଼ୁଛି ଏହି ଗାଁ। ଗାଁ ଛୋଟ କିନ୍ତୁ ଇତିହାସ ବଡ଼। ନାଁ ଭିତରେ ଲୁଚିଛି ଏକ ପୁରୁଣା କାହାଣୀ। ପରମ୍ପରାକୁ ସାଥୀ କରି ଚାଷକୁ ଆଧାର କରି ଆଗକୁ ବଢ଼ୁଛି ବତାଗଡ଼। ଏହା କେବଳ ଏକ ଗାଁ ନୁହେଁ ଅନେକ ଲୋକଙ୍କ ପାଇଁ ପରିଚୟ।