
Love And War: ‘ଲଭ୍ ଆଣ୍ଡ୍ ୱାର୍’ ଟିଜରକୁ ନେଇ ମେକର୍ସଙ୍କ ବଡ଼ ଯୋଜନା, ଥିଏଟରରେ ହେବ ଗ୍ରାଣ୍ଡ୍ ରିଭିଲ୍
ବଲିଉଡ୍ ଅଭିନେତା ରଣବୀର କପୁର ଦୀର୍ଘଦିନ ଧରି ତାଙ୍କ ଆଗାମୀ ଫିଲ୍ମ ‘ରାମାୟଣ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଚଳିତ ବର୍ଷ ନଭେମ୍ବର ୬ ତାରିଖରେ ଏହି ଫିଲ୍ମ ବିଦେଶରେ ରିଲିଜ୍ ହେବ। ସେହିପରି ଭାରତରେ ଦୀପାବଳି ଅବସରରେ ନଭେମ୍ବର ୮ ତାରିଖରେ ଏହା ରିଲିଜ୍ ହେବ। ଏହା ବ୍ୟତୀତ ରଣବୀରଙ୍କ ଆଉ ଏକ ଫିଲ୍ମ ‘ଲଭ୍ ଆଣ୍ଡ ୱାର୍’କୁ ନେଇ ମଧ୍ୟ ଫ୍ୟାନ୍ସ ଉତ୍ସାହିତ ଅଛନ୍ତି । ଏହି ଫିଲ୍ମ ୨୦୨୭ ମସିହାରେ ସିନେମା ହଲରେ ରିଲିଜ୍ ହେବ । ତେବେ ଫିଲ୍ମ ରିଲିଜ୍ ପୂର୍ବରୁ ଏହାର ଟିଜର ଦର୍ଶକଙ୍କୁ ଦେଖିବାକୁ ମିଳିପାରେ । ଖବର ଅନୁସାରେ, ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀ ‘ଲଭ୍ ଆଣ୍ଡ ୱାର୍’ର ଟିଜରକୁ ‘ରାମାୟଣ’ ଫିଲ୍ମ ସହିତ ସିନେମା ହଲରେ ଦେଖାଇବାକୁ ଯୋଜନା କରୁଛନ୍ତି ।
ପୂର୍ବରୁ ସେପ୍ଟେମ୍ବର ୨୮ ତାରିଖ, ଅର୍ଥାତ ରଣବୀର କପୁରଙ୍କ ଜନ୍ମଦିନରେ ଟିଜର ରିଲିଜ୍ କରିବାର ଯୋଜନା ଥିଲା । କିନ୍ତୁ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଫିଲ୍ମର ସୁଟିଂ ଶେଷ ହୋଇଥିବାରୁ ସେତେ ଶୀଘ୍ର ଟିଜର ପ୍ରସ୍ତୁତ ହୋଇପାରିବ ନାହିଁ ।
ତେବେ ରଣବୀରଙ୍କ ଜନ୍ମଦିନରେ ଟିଜର ବଦଳରେ ଫିଲ୍ମ ସହ ଜଡ଼ିତ ଅନ୍ୟ କୌଣସି ପୋଷ୍ଟର କିମ୍ବା ଭିଡିଓ ରିଲିଜ୍ ହୋଇପାରେ । ଏନେଇ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ ଘୋଷଣା ହୋଇନାହିଁ । ‘ଲଭ୍ ଆଣ୍ଡ ୱାର୍’ ଫିଲ୍ମରେ ରଣବୀର କପୁରଙ୍କ ସହ ଆଲିଆ ଭଟ୍ଟ ଏବଂ ବିକି କୌଶଲ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ।
ଏହି ଫିଲ୍ମ ୨୧ ଜାନୁଆରୀ ୨୦୨୭ରେ ସିନେମା ହଲରେ ରିଲିଜ୍ ହେବ । ପ୍ରଥମେ ଫିଲ୍ମଟିକୁ ଖ୍ରୀଷ୍ଟମାସ ୨୦୨୫ରେ ରିଲିଜ୍ କରିବାର ଯୋଜନା ଥିଲା । କିନ୍ତୁ ପରେ ଫିଲ୍ମର ରିଲିଜ୍ ତାରିଖ ପଛକୁ ଘୁଞ୍ଚାଇ ଦିଆଯାଇଥିଲା । ଏବେ ଫିଲ୍ମଟି ୨୦୨୭ରେ ରିଲିଜ୍ ହେବା ନେଇ ଯୋଜନା ରହିଛି ।