
Defamation Case: ନୋରା ଫତେହିଙ୍କ ବଢ଼ିଲା ଅଡୁଆ, ୩ କୋଟିର ମାନହାନି ମାମଲା
ବଲିଉଡ୍ ଅଭିନେତ୍ରୀ ନୋରା ଫତେହିଙ୍କ ପାଇଁ ବଢ଼ିଲା ଅଡୁଆ । ତାଙ୍କ ବିରୋଧରେ ରୁଜୁ ହୋଇଛି ୩ କୋଟି ଟଙ୍କାର ମାନହାନି ମାମଲା । ଗାନ୍ଧୀନଗର କୋର୍ଟରେ ଏହି ମାମଲା କରିଛି ବିମାନ ଚଳାଚଳ କମ୍ପାନୀ ଡ୍ୟୁନ୍ସ ଏଭିଏସନ୍ । କମ୍ପାନୀର ଅଭିଯୋଗ ହେଲା, ନୋରା ଫତେହି ସୋସିଆଲ ମିଡିଆରେ ସେମାନଙ୍କ ଏକ ଚାର୍ଟାର୍ଡ ବିମାନକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ସେ ବିମାନଟିକୁ ‘ଲେଗୋ ବିମାନ’, ‘ଖେଳନା’ ଏବଂ ‘ଛୋଟ ବିମାନ’ ବୋଲି କହିଥିଲେ ।
ସୂଚନା ଅନୁସାରେ, ଗତ ବର୍ଷ ଡିସେମ୍ବରରେ ନୋରା ମୁମ୍ବାଇରୁ ଜୟପୁର ଯାତ୍ରା କରୁଥିବା ବେଳେ Cessna Citation CJ2 ବିମାନରେ କିଛି ଭିଡିଓ ରେକର୍ଡ କରିଥିଲେ । ପରେ ସେହି ଭିଡିଓକୁ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ଡ୍ୟୁନ୍ସ ଏଭିଏସନ୍ କହିଛି, ନୋରାଙ୍କର ୪.୬ କୋଟିରୁ ଅଧିକ ସୋସିଆଲ ମିଡିଆ ଫଲୋଅର ଥିବାରୁ ତାଙ୍କ ମନ୍ତବ୍ୟ ଖୁବ୍ ଶୀଘ୍ର ଅନେକ ଲୋକଙ୍କ ପାଖରେ ପହଞ୍ଚିଥିଲା । ଏହାର ପ୍ରଭାବ କମ୍ପାନୀର ବ୍ୟବସାୟ ଉପରେ ପଡ଼ିଥିବା ଦାବି କରାଯାଇଛି । କମ୍ପାନୀର କହିବା ଅନୁସାରେ, ନୋରାଙ୍କ ମନ୍ତବ୍ୟ ପରେ ବୁକିଂ ୧୫ରୁ ୨୦ ପ୍ରତିଶତ କମିଥିଲା ଏବଂ ଅନେକ ବୁକିଂ ବାତିଲ ହୋଇଥିଲା ।
ତେବେ କମ୍ପାନୀ ସ୍ପଷ୍ଟ କରିଛି ଯେ, ବିମାନଟି ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ DGCA ଦ୍ୱାରା ଅନୁମୋଦିତ । ଆଇନ ଅନୁସାରେ ବିମାନଟି ଚଳାଚଳ କରୁଥିବା ମଧ୍ୟ କମ୍ପାନୀ କହିଛି । ଏବେ କମ୍ପାନୀ ନୋରାଙ୍କ ଠାରୁ ୩ କୋଟି ଟଙ୍କା କ୍ଷତିପୂରଣ ଦାବି କରିବା ସହ ସୋସିଆଲ ମିଡିଆରୁ ସମ୍ପୃକ୍ତ ଭିଡିଓ ହଟାଇବାକୁ ମଧ୍ୟ କୋର୍ଟଙ୍କୁ ଅନୁରୋଧ କରିଛି । ଏହାସହ ନୋରା ଫତେହି ସର୍ବସାଧାରଣରେ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ମଧ୍ୟ ଦାବି କରାଯାଇଛି । ତେବେ ଏହି ହାଇପ୍ରୋଫାଇଲ୍ ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୫ ତାରିଖରେ ହେବ ।