
Odisha School Achievement: ଆସିଲା ବଡ଼ ଖୁସି ଖବର ! ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବ ଶମ୍ଭୁ ସୀତା ବିଦ୍ୟାଳୟ
ଆସିଲା ବଡ଼ ଖୁସି ଖବର । ମିଳିବ ସମ୍ମାନ ଆଉ ପୁରସ୍କାର । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ମିଟୁଆଣୀର ଶମ୍ଭୁ ସୀତା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ମିଳିବ ୨୦୨୫ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର। ସରକାରଙ୍କ ଘୋଷଣା ପରେ ବିଦ୍ୟାଳୟରେ ଖୁସିର ମାହୋଲ। ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଶିକ୍ଷକ, ଅଭିଭାବକ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ।…
ଶିକ୍ଷାଦାନ ହେଉ କି ପରିବେଶ ପ୍ରତିଟି କ୍ଷେତ୍ରରେ ଏହି ବିଦ୍ୟାଳୟର ରହିଛି ଭିନ୍ନ ପରିଚୟ। ବିଦ୍ୟାଳୟର ସୁନ୍ଦର ପରିବେଶ। ବଗିଚାରେ ବିଭିନ୍ନ ପ୍ରକାରର ଫୁଲ ଓ ଫଳ ଗଛ। ଗୁରୁ-ଶିଷ୍ୟ ପରମ୍ପରାକୁ ଗୁରୁତ୍ୱ। ଶିକ୍ଷାଦାନରେ ମଧ୍ୟ ରହିଛି ଉତ୍ତମ ବ୍ୟବସ୍ଥା। ସତେ ଯେମିତି ଗୁରୁକୁଳର ପରିବେଶ। ଶିଶୁ ବାଟିକାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏହି ବିଦ୍ୟାଳୟରେ ରହିଛି ଶିକ୍ଷାଦାନର ବ୍ୟବସ୍ଥା। ପୂର୍ବରୁ ୨୦୨୪ ମସିହାରେ ମଧ୍ୟ ବିଦ୍ୟାଳୟଟି ଜିଲ୍ଲାସ୍ତରରେ ପୁରସ୍କୃତ ହୋଇଥିଲା। ଏବେ ୨୦୨୫ ମସିହା ପାଇଁ ମିଳିଛି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର। ଆସନ୍ତା ଗୁରୁଦିବସରେ ମୁଖ୍ୟମନ୍ତ୍ରୀଙ୍କଠାରୁ ବିଦ୍ୟାଳୟ ପକ୍ଷରୁ ଏହି ପୁରସ୍କାର ଗ୍ରହଣ କରାଯିବ।
ବିଦ୍ୟାଳୟର ଏହି ସଫଳତାରେ କେବଳ ଛାତ୍ରଛାତ୍ରୀ ନୁହନ୍ତି ଗ୍ରାମବାସୀ ବି ଖୁସି ଅଛନ୍ତି। ଖୁସି ଅଛନ୍ତି ଅଭିଭାବକ, ଶିକ୍ଷକ ଓ ଶିକ୍ଷା କମିଟି।
ବିଦ୍ୟାଳୟର ଉନ୍ନତି ପାଇଁ ଗ୍ରାମବାସୀ ଓ ଶିକ୍ଷା କମିଟିର ସହଯୋଗ ମଧ୍ୟ ଏହି ସଫଳତାର ଏକ ବଡ଼ ଅଂଶ। ଏହି ପୁରସ୍କାର ବିଦ୍ୟାଳୟ ପାଇଁ କେବଳ ଏକ ସମ୍ମାନ ନୁହେଁ ଏହା ଛାତ୍ରଛାତ୍ରୀ, ଶିକ୍ଷକ ଓ ଗ୍ରାମବାସୀଙ୍କ ପରିଶ୍ରମର ମାନ୍ୟତା। ଆଗାମୀ ଦିନରେ ଆହୁରି ଭଲ ଶିକ୍ଷା ପରିବେଶ ଗଢ଼ି ତୋଳିବାକୁ ବିଦ୍ୟାଳୟ ପକ୍ଷରୁ ଲକ୍ଷ୍ୟ ରହିଛି । ଶିକ୍ଷାର ମନ୍ଦିରକୁ ମିଳିଛି ବଡ଼ ସମ୍ମାନ। ପୁରସ୍କାର ଘୋଷଣା ପରେ ମିଟୁଆଣୀରୁ ବିଦ୍ୟାଳୟ ପର୍ଯ୍ୟନ୍ତ ଖୁସିର ଲହରୀ।