ମନୋରଞ୍ଜନ

Artisan Success Story: ଚାକିରି ଛାଡ଼ି ଗଢ଼ିଲେ ଗଣେଶ! ଆଜି କଳା ହିଁ ରୂପରଞ୍ଜନଙ୍କ ପରିଚୟ

କେଉଁ ମୂର୍ତ୍ତିର ଆଖିରେ ଜୀବନ୍ତ ଭାବ ତ କେଉଁଠି ମୁହଁର ଭାବଭଙ୍ଗୀ। ଦେଖିଲେ ଲାଗିବ ସତେ ଯେମିତି ଜୀବନ୍ତ ହୋଇ ଠିଆ ହୋଇଛନ୍ତି ବିଘ୍ନ ବିନାଶକ। ରଙ୍ଗ, ରୂପ ଆଉ କାରିଗରୀର ନିଖୁଣତା। ସବୁକିଛି ମିଶି ମୂର୍ତ୍ତିଗୁଡ଼ିକୁ ଦେଇଛି ନିଆରା ରୂପ। ଏ ହେଉଛି କାମାକ୍ଷାନଗର ଜିରିଡାମାଳି। ଏଠାରେ ଦିନରାତି ଚାଲିଛି ମୂର୍ତ୍ତି ଗଢ଼ା। ଛୋଟ ହେଉ କି ବଡ଼। ଗ୍ରାହକଙ୍କ ପସନ୍ଦ ଅନୁସାରେ ତିଆରି ହେଉଛି ମୂର୍ତ୍ତି। ୨ ଫୁଟରୁ ୧୮ ଫୁଟ। ମୂର୍ତ୍ତିର ଦାମ ବି ଭିନ୍ନ। ୨୦୦ ଟଙ୍କାରୁ ଆରମ୍ଭ କରି ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ। ପସନ୍ଦର ମୂର୍ତ୍ତି ହାତ ପାଆନ୍ତାରେ ଉପଲବ୍ଧ। ତେଣୁ ଖୁସି ଗ୍ରାହକ। ପ୍ରାୟ ୩ ବର୍ଷ ହେଲା ରୂପରଞ୍ଜନ ନିଜେ ଆରମ୍ଭ କରିଛନ୍ତି ଏହି ମୂର୍ତ୍ତି ନିର୍ମାଣ କେନ୍ଦ୍ର।

ହେଲେ ଏହି ମୂର୍ତ୍ତି ପଛରେ ରହିଛି ଏକ ବଡ଼ ସ୍ୱପ୍ନ। ରହିଛି ସଂଘର୍ଷ। ଆଉ ରହିଛି ଏକ ବଡ଼ ନିଷ୍ପତ୍ତି। ନାଁ ରୂପରଞ୍ଜନ ରାଉଳ। ଦିନେ କରୁଥିଲେ ଚାକିରି। ହେଲେ ମନ ଟାଣିଲା ନିଜ ହାତରେ କିଛି ଗଢ଼ିବାକୁ। ଚାକିରି ଛାଡ଼ିଦେଲେ। ହାତରେ ଧରିଲେ କଳାର ରାସ୍ତା। ଆରମ୍ଭ କଲେ ମୂର୍ତ୍ତି ଗଢ଼ିବା। ରାସ୍ତା ସହଜ ନଥିଲା। କିନ୍ତୁ ହାର ମାନିନଥିଲେ। ଆଜି ସେହି ନିଷ୍ପତ୍ତି ଦେଇଛି ତାଙ୍କୁ ଏକ ନୂଆ ପରିଚୟ। କେବଳ ନିଜେ ରୋଜଗାର କରୁନାହାନ୍ତି। ଅନ୍ୟମାନଙ୍କ ପାଇଁ ବି ଖୋଲିଛନ୍ତି ରୋଜଗାରର ବାଟ। ପ୍ରାୟ ୧୦ ଜଣ କାରିଗର। ଦିନରାତି ଏକ କରି ଗଢ଼ୁଛନ୍ତି ଗଣେଶଙ୍କ ମୂର୍ତ୍ତି।
ସମୟ ବଦଳିଛି। ବଦଳିଛି ମୂର୍ତ୍ତି ତିଆରିର ଶୈଳୀ। ଆଗରୁ ମାଟିରେ ତିଆରି ହେଉଥିଲା ମୂର୍ତ୍ତି। ଏବେ ପ୍ଲାଷ୍ଟର ଅଫ୍ ପ୍ୟାରିସ୍‌ରେ ତିଆରି ହେଉଛି ଆକର୍ଷଣୀୟ ମୂର୍ତ୍ତି। ଡିଜାଇନ୍‌ରେ ଆସିଛି ଆଧୁନିକତା। କାରିଗରଙ୍କ ହାତରେ ରହିଛି ନିଖୁଣତା। ଆଉ ସେହି କାରିଗରୀ ଗଣେଶ ମୂର୍ତ୍ତିକୁ ଦେଉଛି ଜୀବନ୍ତ ରୂପ। ଚଳିତ ବର୍ଷ ମିଳିଛି ୫୦୦ରୁ ଅଧିକ ମୂର୍ତ୍ତିର ଅର୍ଡର। କେବଳ ଢେଙ୍କାନାଳ ନୁହେଁ। ଭୁବନେଶ୍ୱର, କଟକ, ନୟାଗଡ଼, ଅନୁଗୋଳ ଆଉ ଯାଜପୁର। ଏସବୁ ଜିଲ୍ଲାରୁ ବି ଆସିଛି ଅର୍ଡର। ତେଣୁ ଦୂରଦୂରାନ୍ତରୁ ଆସୁଛନ୍ତି ଗ୍ରାହକ।

କେବେ ଥିଲେ ଚାକିରିଆ। ଆଜି ନିଜ ହାତର କଳା ହିଁ ପାଲଟିଛି ତାଙ୍କ ପରିଚୟ। ରୂପରଞ୍ଜନଙ୍କ ହାତରେ ଗଢ଼ା ଗଣେଶ ଏବେ କାମାକ୍ଷାନଗରର ସୀମା ଡେଇଁଛି। ପହଞ୍ଚୁଛି ଜିଲ୍ଲା ବାହାରେ। ଗୋଟିଏ ସ୍ୱପ୍ନରୁ ଆରମ୍ଭ ହୋଇଥିଲା ଯାତ୍ରା। ଆଜି ସେହି ସ୍ୱପ୍ନ ଦେଇଛି ରୋଜଗାର। ଦେଇଛି ପରିଚୟ। ଆଉ ୧୦ ଜଣଙ୍କୁ ଦେଇଛି କାମ। କଳା ଯେତେବେଳେ ପରିଶ୍ରମ ସହ ମିଶେ… ସେତେବେଳେ ସ୍ୱପ୍ନ ହିଁ ପାଲଟେ ପରିଚୟ।

Leave a Reply

Your email address will not be published. Required fields are marked *

Back to top button