ମନୋରଞ୍ଜନ

Maharashtra Woman Marathon: ଝିଅଙ୍କ ପାଠପଢ଼ା ପାଇଁ ମାଆଙ୍କ ମାରାଥନ୍, ଖାଲି ପାଦରେ ଜିତିଲେ ସ୍ୱର୍ଣ୍ଣ

ଝିଅ ପାଇଁ ଖାଲି ପାଦରେ ଦୌଡିଲେ ମା’। ସ୍କୁଲ ଫି’ ପାଇଁ ହାତରେ ଚପଲ ଧରି ଦୌଡିଲେ । ଶାଢ଼ୀରେ ମାରାଥାନ ଦୌଡି ଜିତିଲେ ଗୋଲ୍ଡ ମେଡାଲ । ଏହି ଦୌଡ଼ କେବଳ ଏକ ମାରାଥନ୍ ନୁହେଁ। ଏହା ଜଣେ ମା’ର ସଂଘର୍ଷର ଦୌଡ଼। ଏହା ଦୁଇ ଝିଅର ସ୍ୱପ୍ନକୁ ସାକାର କରିବାର ଦୌଡ଼। ଆଉ ଏହା ଦରିଦ୍ରତା ସହ ଲଢ଼େଇର ଦୌଡ଼। ମହାରାଷ୍ଟ୍ରର ଅମ୍ବାଜୋଗାଇର ୪୭ ବର୍ଷୀୟ ରମାବାଇ ରଣବୀର ଆଜି ସମଗ୍ର ଦେଶରେ ଚର୍ଚ୍ଚାରେ। କାରଣ ସେ ପ୍ରମାଣ କରିଦେଇଛନ୍ତି ମନର ଶକ୍ତି ଆଗରେ ବୟସ, ଦରିଦ୍ରତା ଓ ପରିସ୍ଥିତି ସବୁ ହାର ମାନିଯାଏ।

ସାଧାରଣ ଶାଢ଼ୀ। ପାଦରେ ଚପଲ। ଆଉ ମନରେ ଝିଅମାନଙ୍କ ଭବିଷ୍ୟତର ଚିନ୍ତା। ଏମିତି ସ୍ଥିତିରେ ରମାବାଇ ପହଞ୍ଚିଥିଲେ ମାରାଥନ୍ ମୈଦାନକୁ। ତାଙ୍କ ଚାରିପାଖରେ ଥିଲେ ଯୁବ ଧାବକ। ସମସ୍ତଙ୍କ ଦେହରେ ଥିଲା ସ୍ପୋର୍ଟ୍ସ ଡ୍ରେସ୍। କିନ୍ତୁ ରମାବାଇଙ୍କ ଦେହରେ ଥିଲା ସାଧାରଣ ଶାଢ଼ି। ତଥାପି ତାଙ୍କ ଭିତରେ ଥିଲା ଜିତିବାର ଅଦମ୍ୟ ଇଚ୍ଛାଶକ୍ତି। ଦୌଡ଼ ଆରମ୍ଭ ହେଲା। ରମାବାଇ ମଧ୍ୟ ଦୌଡ଼ିବାକୁ ଲାଗିଲେ। କିଛି ଦୂର ଯିବା ପରେ ଗୋଡ଼ରୁ ଚପଲ ଖସିଗଲା। ହେଲେ ହାର ମାନିନଥିଲେ ରମାବାଇ। ଚପଲକୁ ହାତରେ ଧରିଲେ ଆଉ ଖାଲି ପାଦରେ ଦୌଡ଼ିବା ଆରମ୍ଭ କଲେ। ଅଙ୍କାବଙ୍କା ରାସ୍ତା, ଛୋଟ ଛୋଟ ପଥର, ଶାଢ଼ୀ ସମ୍ଭାଳିବାର ଚ୍ୟାଲେଞ୍ଜ, କିଛି ବି ତାଙ୍କୁ ଅଟକାଇ ପାରିଲାନି। ଗୋଟିଏ ପରେ ଗୋଟିଏ ପ୍ରତିଯୋଗୀଙ୍କୁ ପଛରେ ପକାଇ ଆଗକୁ ବଢ଼ିଚାଲିଲେ ରମାବାଇ। ଆଉ ଶେଷରେ ସବୁଠୁ ଆଗରେ ଫିନିଶିଂ ଲାଇନ୍ ଅତିକ୍ରମ କରି ପ୍ରଥମ ସ୍ଥାନ ହାସଲ କଲେ, ୩ ହଜାର ଟଙ୍କାର ପୁରସ୍କାର ବି ଜିତିଲେ। ତାଳିରେ କମ୍ପି ଉଠିଲା ସାରା ମୈଦାନ।

ସ୍ୱାମୀଙ୍କ ମୃତ୍ୟୁ ପରେ ଦୁଇ ଝିଅର ଦାୟିତ୍ୱ ଏକାକୀ ବହନ କରୁଛନ୍ତି ରମାବାଇ। ଗୋଟିଏ ଏକାଡେମୀରେ ରୋଷେୟା ଭାବେ କାମ କରି ପରିବାର ଚଳାଉଛନ୍ତି। ଝିଅମାନଙ୍କ ପଢ଼ାଖର୍ଚ୍ଚ ପାଇଁ ଦିନରାତି ପରିଶ୍ରମ କରୁଛନ୍ତି ସେ। ତାଙ୍କର ବଡ଼ ଝିଅ ବ୍ୟାଙ୍କିଂ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବାବେଳେ ଅନ୍ୟ ଝିଅ ପୋଲିସ ଚାକିରି ପାଇଁ ତାଲିମ ନେଉଛନ୍ତି।ଚପଲ ଖସିଯାଇଥିଲା କିନ୍ତୁ ଲକ୍ଷ୍ୟ ଖସିନଥିଲା। ପାଦରେ ଥିଲା ଯନ୍ତ୍ରଣା କିନ୍ତୁ ମନରେ ଥିଲା ଝିଅମାନଙ୍କ ଭବିଷ୍ୟତର ସ୍ୱପ୍ନ। ଆଉ ସେହି ସ୍ୱପ୍ନ ହିଁ ଜଣେ ସାଧାରଣ ମହିଳାଙ୍କୁ ଅସାଧାରଣ କରିଦେଲା। ରମାବାଇଙ୍କ ଏହି କାହାଣୀ କହୁଛି ମା’ର ସ୍ୱପ୍ନ ପାଇଁ କୌଣସି ରାସ୍ତା କଷ୍ଟକର ନୁହେଁ। ରମାବାଇ କେବଳ ଗୋଟିଏ ମାରାଥନ୍ ଜିତିନାହାନ୍ତି। ସେ ଜିତିଛନ୍ତି ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ।

Leave a Reply

Your email address will not be published. Required fields are marked *

Back to top button