
Old Couple Odisha: ଛାତ ଦେଇ ଦିଶୁଛି ଆକାଶ, ଭତ୍ତା ପାଇଁ ଅପେକ୍ଷାରେ ବୃଦ୍ଧ ଦମ୍ପତି
ସରକାରୀ ଯୋଜନା ଗରିବଙ୍କ ମୁହଁରେ ହସ ଫୁଟାଇବା ପାଇଁ। ହେଲେ ଆଜି ବି ଅନେକ ଲୋକଙ୍କ ପାଇଁ ଏହା କେବଳ କାଗଜକଲମରେ ସୀମିତ। ପରିତ୍ୟକ୍ତ ଘର ଦୁଇ ଜଣ ବୃଦ୍ଧ ମଣିଷଙ୍କ ଜୀବନର ଠିକଣା। ଦିନରେ ଛାତ ଦେଇ ଦେଖାଯାଏ ଆକାଶ ଆଉ ରାତିରେ ତାରା। ବର୍ଷା ହେଲେ ଘର ଭିତରେ ପାଣି ଓ ଖରା ହେଲେ ଭଙ୍ଗା ଛାତ ତଳେ ଅସହାୟ ଜୀବନ।
କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ସାନ୍ତରାପୁର ପଞ୍ଚାୟତର ୯ ନମ୍ବର ୱାର୍ଡରେ ରହୁଛନ୍ତି ନରସିଂଘ ମୁଣ୍ଡା ଓ ତାଙ୍କ ପତ୍ନୀ ରଇବାରୀ ମୁଣ୍ଡା। ବୟସ ବଢ଼ିଛି । ଶରୀର ଆଉ ସାଥ ଦେଉନି । କିନ୍ତୁ ଆଜି ପର୍ଯ୍ୟନ୍ତ ମିଳିନାହିଁ ସରକାରୀ ଭତ୍ତା। ମିଳିନାହିଁ ଆବାସ ଯୋଜନାର ସୁବିଧା। ଯେଉଁ ବୟସରେ ଦୁଇ ମୁଠା ଖାଇ ଶାନ୍ତିରେ ବଞ୍ଚିବା କଥା ସେହି ବୟସରେ ସଂଘର୍ଷ ହିଁ ପାଲଟିଛି ତାଙ୍କ ନିୟତି।ନରସିଂଘଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ନାହିଁ। ରୋଗ ବଢ଼ୁଛି କିନ୍ତୁ ଚିକିତ୍ସା ପାଇଁ ନାହିଁ ଟଙ୍କା। ଔଷଧ କିଣିବେ ନା ପେଟ ପୋଷିବେ । ଏହି ପ୍ରଶ୍ନ ଭିତରେ ଦିନ କାଟୁଛି ଜୀବନ। ବୃଦ୍ଧ ପତ୍ନୀ ରଇବାରୀ ମଧ୍ୟ ସ୍ୱାମୀଙ୍କ ସହ ଏହି କଷ୍ଟର ସାଥୀ। ଭଙ୍ଗା ମାଟି ଘର, ଅନିଶ୍ଚିତ ଭବିଷ୍ୟତ ଆଉ ସରକାରୀ ସହାୟତାର ଅପେକ୍ଷା।
ସରକାରଙ୍କ ପକ୍ଷରୁ ବାରମ୍ବାର କୁହାଯାଉଛି ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚୁଛି ସମସ୍ତ ସରକାରୀ ଯୋଜନାର ସୁଫଳ। ହେଲେ ଏହି ବୃଦ୍ଧ ଦମ୍ପତିଙ୍କ କଥା ଶୁଣିଲେ ପ୍ରଶ୍ନ ଉଠୁଛି ସେହି ସୁଫଳ କେଉଁଠି ? ଯଦି ସେମାନେ ଯୋଗ୍ୟ ତେବେ ଏପର୍ଯ୍ୟନ୍ତ କାହିଁକି ମିଳିନି ଭତ୍ତା ? କାହିଁକି ମିଳିନି ଏକ ଛାତ ତଳେ ସୁରକ୍ଷିତ ଜୀବନ ? ଗାଁ ଲୋକେ ମଧ୍ୟ ତାଙ୍କ ଦୁଃଖ ଦେଖି ଚିନ୍ତା ପ୍ରକାଶ କରିଛନ୍ତି। ସରକାରୀ ସହାୟତା ଆଶାରେ ପ୍ରତ୍ୟେକ ଦିନ କାଟୁଛନ୍ତି ନରସିଂଘ ଓ ରଇବାରୀ। ଆଖିରେ ଅନେକ ସ୍ୱପ୍ନ ନାହିଁ କେବଳ ଆଶା ବଞ୍ଚିବା ପାଇଁ ଏକ ଭତ୍ତା । ମୁଣ୍ଡ ଗୁଞ୍ଜିବା ପାଇଁ ଏକ ଘର । ଆଉ ରୋଗ ସମୟରେ ଟିକେ ସହାରା। ଏବେ ଦେଖିବାର କଥା ଏହି ଅସହାୟ ବୃଦ୍ଧ ଦମ୍ପତିଙ୍କ ଲୁହ ପ୍ରଶାସନର ହୃଦୟକୁ କେବେ ଛୁଇଁବ ? କେବେ ତାଙ୍କ ପାଖରେ ପହଞ୍ଚିବ ସରକାରୀ ଭତ୍ତା, ଆବାସ ଓ ଅନ୍ୟାନ୍ୟ ସହାୟତା ?