ରାଜ୍ୟ

Papakshaya Ghat: ଐତିହାସିକ ଜଗନ୍ନାଥ ସଡ଼କ ଏବେ ମରଣଯନ୍ତା, ୩ କିମି ପାଇଁ ଘଣ୍ଟାଏ ଯନ୍ତ୍ରଣା

ଏହା କୌଣସି ସାଧାରଣ ରାସ୍ତା ନୁହେଁ । ଏହା ଐତିହାସିକ ଜଗନ୍ନାଥ ସଡ଼କ । ଦିନେ ଏହି ପଥ ଦେଇ ଶ୍ରୀକ୍ଷେତ୍ର ଯାଉଥିଲେ ହଜାର ହଜାର ଭକ୍ତ କିନ୍ତୁ ଆଜି ସେହି ରାସ୍ତା ପାଲଟିଛି ମରଣଯନ୍ତା । ଖାଲଖମାରେ ଭରିଯାଇଛି ସଡ଼କ । ବର୍ଷା ହେଲେ ରାସ୍ତା ଉପରେ କାଦୁଅ ଓ ଖାଲରେ ପାଣି । ଆଉ ପ୍ରତିଦିନ ଜୀବନକୁ ବାଜି ଲଗାଇ ଯାତାୟାତ କରୁଛନ୍ତି ପର୍ଯ୍ୟଟକ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକ । ବିନିକାରୁ ପାପକ୍ଷୟ ଘାଟ ମାତ୍ର ୩ କିଲୋମିଟର । କିନ୍ତୁ ଏହି ୩ କିଲୋମିଟର ଏବେ ଲୋକଙ୍କ ପାଇଁ ବଡ଼ ଯନ୍ତ୍ରଣା

ପ୍ରତିଦିନ ଏହି ରାସ୍ତା ଦେଇ ଶହ ଶହ ଛାତ୍ରଛାତ୍ରୀ ଯାଉଛନ୍ତି । କିଏ ଚାଲିଚାଲି ତ କିଏ ସାଇକେଲରେ । ଆଉ କିଏ ବିଭିନ୍ନ ଗାଡ଼ିରେ ଏହି ରାସ୍ତା ଦେଇ ଯାଉଛନ୍ତି । ହେଲେ କେତେବେଳେ କିଏ ଦୁର୍ଘଟଣାର ଶିକାର ହେବ ତାହା କହିହେବ ନାହିଁ । ବର୍ଷା ଦିନରେ ସ୍ଥିତି ଆହୁରି ସଙ୍ଗୀନ । ପାଣି ଭିତରେ ଲୁଚି ଯାଉଛି ଖାଲ । ଆଉ କାଦୁଅ ଭିତରେ ରାସ୍ତା ଖୋଜି ଖୋଜି ଯାଉଛନ୍ତି ଛାତ୍ରଛାତ୍ରୀ ।
ଓଡ଼ିଶାର ନରପତି ଦ୍ୱିତୀୟ ଅନଙ୍ଗଭୀମ ଦେବଙ୍କ ପାପକ୍ଷୟ କଥା ସହ ଜଡ଼ିତ ଏହି ସ୍ଥାନ । ଏଠାରେ ରହିଛି ବିରାଟ ବଟବୃକ୍ଷ, କପିଳେଶ୍ୱର ମନ୍ଦିର, ଜଗନ୍ନାଥ ମନ୍ଦିର, ହନୁମାନ ମନ୍ଦିର ଆଉ ସୂର୍ଯ୍ୟ ମନ୍ଦିର । ପର୍ଯ୍ୟଟନ ଦୃଷ୍ଟିରୁ ଏହି ସ୍ଥାନର ଗୁରୁତ୍ୱ ରହିଛି । କିନ୍ତୁ ପ୍ରଶ୍ନ ରାସ୍ତା କେବେ ସୁଧୁରିବ?

ରାସ୍ତାର ଏହି ଅବସ୍ଥାର ସିଧା ପ୍ରଭାବ ପଡ଼ୁଛି ଛାତ୍ରଛାତ୍ରୀଙ୍କ ଉପରେ କାରଣ ଏହି ରାସ୍ତା ପାର୍ଶ୍ୱରେ ରହିଛି ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଲୀଳାଶାହଜୀ ବିଦ୍ୟାଳୟ ଓ ଇଣ୍ଡୋର ଷ୍ଟାଡିୟମ । କେବଳ ଛାତ୍ରଛାତ୍ରୀ ନୁହେଁ ରାହିଲା, ଉର୍ଲେ ଏବଂ ଆଖପାଖ ଅଞ୍ଚଳର ହଜାର ହଜାର ଲୋକଙ୍କ ପାଇଁ ଏହି ରାସ୍ତା ହେଉଛି ଜୀବନରେଖା । ରାସ୍ତା ପାର୍ଶ୍ୱରେ ରହିଛି ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା । ସେଥିପାଇଁ ଲୋକଙ୍କ ଦାବି ଆଉ ଅସ୍ଥାୟୀ ମରାମତି ନୁହେଁ । ଦରକାର ସ୍ଥାୟୀ ସମାଧାନ । ରାସ୍ତାକୁ ପ୍ରଶସ୍ତ କରାଯାଉ । ନୂଆ ଭାବେ ନିର୍ମାଣ କରାଯାଉ । ଐତିହାସିକ ପାପକ୍ଷୟ କ୍ଷେତ୍ରର ବିକାଶ ନେଇଯୋଜନା ହେଉଛି । ପର୍ଯ୍ୟଟନର ବିକାଶ କଥା ମଧ୍ୟ କୁହାଯାଉଛି । ହେଲେ ଯଦି ମୁଖ୍ୟ ରାସ୍ତା ହିଁ ଏଭଳି ଦୁର୍ଦ୍ଦଶାରେ ରହିବ ତେବେ ବିକାଶର ଲାଭ ପର୍ଯ୍ୟଟକ ଓ ସାଧାରଣ ଲୋକ କେମିତି ପାଇବେ? ଏବେ ସମସ୍ତଙ୍କ ନଜର ପ୍ରଶାସନ ଉପରେ ।

Leave a Reply

Your email address will not be published. Required fields are marked *

Back to top button