
Cab Shortage: ଆପ୍ ଆଧାରିତ ଗାଡ଼ି କମ୍, ଅଧିକ ଭଡ଼ାରେ ଯାତ୍ରୀ ହନ୍ତସନ୍ତ
ଭୁବନେଶ୍ୱରରେ ଏବେ ବି ସ୍ୱାଭାବିକ ହୋଇନି ଅନଲାଇନ କ୍ୟାବ, ଅଟୋ ଓ ବାଇକ ସେବା । Ola, Uber ସମେତ ବିଭିନ୍ନ ଆପ୍ ଆଧାରିତ କ୍ୟାବ୍ ଓ ଅଟୋ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି । ଗତକାଲି ସ୍ଥିତିରେ କିଛିଟା ସୁଧାର ଆସିଥିଲେ ମଧ୍ୟ ଆପ୍ ଆଧାରିତ ଗାଡ଼ି ସେବା ଏପର୍ଯ୍ୟନ୍ତ ପୂର୍ବ ସ୍ଥିତିକୁ ଫେରିନାହିଁ । ଏପଟେ ଆନ୍ଦୋଳନ ସମୟରେ ହିଂସା ଓ ବେଆଇନ କାର୍ଯ୍ୟକଳାପ ଅଭିଯୋଗରେ ସ୍ମାର୍ଟ୍ ସିଟି ଅନଲାଇନ ଅଟୋ ଆସୋସିଏସନ ସଭାପତି ଦୀନବନ୍ଧୁ ନାୟକଙ୍କ ସମେତ ମୋଟ ୧୧୪ ଜଣଙ୍କୁ ଗିରଫ କରାଯାଇଛି । ଏଥିସହ ୩୫୪ରୁ ଅଧିକ ଗାଡ଼ି ଜବତ କରିଛି ପୋଲିସ । ଆଗକୁ ସେମାନଙ୍କ ଜାମିନ ଆବେଦନ ଓ ଏହା ଉପରେ କୋର୍ଟଙ୍କ ନିଷ୍ପତ୍ତି ଉପରେ ନଜର ରହିବ ।
ଆପ୍ ଆଧାରିତ ଗାଡ଼ିର ସଂଖ୍ୟା କମ୍ ଥିବାରୁ ଅନେକ ସ୍ଥାନରେ ଉପଲବ୍ଧ କ୍ୟାବ୍ ଓ ଅଟୋର ଭଡ଼ା ସାଧାରଣ ଦିନ ତୁଳନାରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଅଧିକ ଥିବା ଅଭିଯୋଗ ହେଉଛି । ଫଳରେ ଦୈନନ୍ଦିନ ଯାତାୟାତ ପାଇଁ ଆପ୍ ଆଧାରିତ ସେବା ଉପରେ ନିର୍ଭର କରୁଥିବା ଲୋକେ ସବୁଠାରୁ ଅଧିକ ଅସୁବିଧାରେ ପଡ଼ିଛନ୍ତି । ବିଶେଷକରି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର, ଭୁବନେଶ୍ୱର ରେଳଷ୍ଟେସନ ଓ ବିଭିନ୍ନ ବସ୍ ଷ୍ଟାଣ୍ଡରେ ଯାତ୍ରୀମାନେ ଗାଡ଼ି ପାଇବାରେ ସମସ୍ୟା ଭୋଗୁଛନ୍ତି । ଅଫ୍ ଲାଇନ୍ ଅଟୋ ମଧ୍ୟ ପର୍ଯ୍ୟାପ୍ତ ସଂଖ୍ୟାରେ ମିଳୁନଥିବା ବେଳେ କିଛି ଚାଳକ ଅଧିକ ଭଡ଼ା ଦାବି କରୁଥିବା ଅଭିଯୋଗ ଆସିଛି । କ୍ୟାବ୍ ଓ ଅଟୋ ସେବା ପ୍ରଭାବିତ ହେବାର ସିଧାସଳଖ ପ୍ରଭାବ AMA Bus ସେବା ଉପରେ ପଡ଼ିଛି ।
ବିଭିନ୍ନ ରୁଟ୍ ରେ ବସ୍ ଗୁଡ଼ିକରେ ଅସ୍ୱାଭାବିକ ଭିଡ଼ ଦେଖିବାକୁ ମିଳୁଛି । ଅନେକ ଯାତ୍ରୀ ନିଜ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ସରକାରୀ ପରିବହନ ବ୍ୟବସ୍ଥାକୁ ବିକଳ୍ପ ଭାବେ ବାଛୁଛନ୍ତି । ଏପଟେ ମାଷ୍ଟର କ୍ୟାଣ୍ଟିନରେ ବ୍ୟାପକ ହିଂସା ମାମଲାରେ ତଦନ୍ତ ଚାଲିଛି । ଆନ୍ଦୋଳନ ଓ ହିଂସା ସମୟର CCTV ଫୁଟେଜ୍ , ମୋବାଇଲ୍ ଭିଡିଓ ଓ ଅନ୍ୟାନ୍ୟ ଭିଜୁଆଲ୍ ପ୍ରମାଣକୁ ପୋଲିସ ଯାଞ୍ଚ କରୁଛି । ତେବେ ଆପ୍ ଆଧାରିତ ଡ୍ରାଇଭରଙ୍କ ଭଡ଼ା ନିର୍ଦ୍ଧାରଣ, ସାମାଜିକ ସୁରକ୍ଷା, ଆଗ୍ରିଗେଟର କମ୍ପାନୀଗୁଡ଼ିକର ନିୟନ୍ତ୍ରଣ ଓ ଡ୍ରାଇଭରଙ୍କ ଆୟ ସମ୍ପର୍କିତ ମୂଳ ଦାବିଗୁଡ଼ିକ ଏବେ ବି ଆଲୋଚନାରେ ରହିଛି ।